ଭୁବନେଶ୍ୱର,୧୮/୧୧: ଯେଉଁ ନେତା, ବିଧାୟକ, ସାଂସଦ, ମନ୍ତ୍ରୀମାନେ ନୂଆପଡ଼ାର ଯେଉଁ ଅଞ୍ଚଳରେ ଥିଲେ, ସେଠାକାର ସ୍ଥାନୀୟ ସମସ୍ୟାର ତାଲିକା ପ୍ରସ୍ତୁତ କରନ୍ତୁ । ଏହାକୁ ସମାଧାନ କରାଯିବ । ନୂଆପଡ଼ାର ବିକାଶ ଦାୟିତ୍ୱ ମୋର । ଏହାକୁ ନେଇ ଯାହା ଘୋଷଣା ହୋଇଛି, ସେ ସବୁକୁ ପୂରା କରିବାକୁ ତ୍ୱରିତ୍ ପଦକ୍ଷେପ ନେବି । ସେଠାରେ ଜଳସେଚନରୁ ନେଇ ନୂଆ ଶିଳ୍ପ ପ୍ରତିଷ୍ଠା କରାଯିବ । ଏଥିପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ନୂଆପଡ଼ା ବିଜୟ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେବାକୁ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୋଟିଏ ଦିନ ଥିଲା ସବୁ ପୁଲିଂ ବୁଥ୍‌ର ଆମର ଏଜେଣ୍ଟ ନଥିଲେ । ଆମେ ଅନେକ ପରାଜୟ ଦେଖିଛୁ । ପରାଜୟରୁ ଶିଖିଛୁ ଆଉ ପରିଶ୍ରମ କରି ଏବେ ଜିତିଲୁ । ନୂଆପଡ଼ା ଉପନିର୍ବାଚନରେ ଆମେ ସମସ୍ତେ ଏକାଠି ହୋଇ ଲଢ଼ିଲୁ । କାର୍ଯ୍ୟକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ଆମର ବିଶାଳ ବିଜୟ ହୋଇଛି । ବିଜେଡି ଓ କଂଗ୍ରେସ ଦଳ ହାରିବା ଭୟରେ ବହୁ ମିଛ କଥା କହୁଥିଲେ । ଆମକୁ ଆକ୍ରମଣ କରୁଥିଲେ । ଭୋଟ୍ ଚୋରି, ବେଇମାନ ଭଳି ଅପଶବ୍ଦ ବ୍ୟବହାର କଲେ । କିନ୍ତୁ ବିରୋଧୀଙ୍କ ମିଛ କାମ ଦେଲାନି । ନୂଆପଡ଼ାବାସୀ ସେମାନଙ୍କୁ ଉଚିତ ଜବାବ୍ ଦେଲେ । ଅପରେସନ ସିନ୍ଦୂର ଭଳି ଅପରେସନ ନୂଆପଡ଼ା ହେଲା । ନୂଆପଡ଼ାବାସୀ ରେକର୍ଡ ପରିମାଣରେ ନିଜ ମତଦାନ ସାବ୍ୟସ୍ତ କଲେ । ଐତିହାସିକ ଭୋଟ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଜିତାଇଲେ । ଏହା ରାଜ୍ୟରେ ରାଜନୈତିକ ମୋଡ଼ ବଦଳାଇ ଦେଇଛି । ଖୁବ୍ଶୀଘ୍ର ନୂଆପଡ଼ା ଯାଇ ଲୋକଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କଂଗ୍ରେସକୁ ସମାଲୋଚନା କରି ସେ କହିଛନ୍ତି, ବିଭୀଷଣଙ୍କ ପାଇଁ କଂଗ୍ରେସ ହାରିଛି ଓ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଦାସ କହିଛନ୍ତି । ଯଦି ଏଭଳି ହୁଏ, ତେବେ ୭୦% ବିଭୀଷଣ ଥିବା କଂଗ୍ରେସ ପୂରା ମୂଳପୋଛ ହୋଇଯିବ ବୋଲି ମୋହନ କହିଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ, ନିର୍ବାଚନରେ ଯାହାକୁ ଯେଉଁ ଦାୟିତ୍ୱ ଦେଇଥିଲୁ ସେମାନେ ତାହା କରି ଦେଉଥିଲେ । ଆମେ ସଂଗଠିତ ହୋଇ ନିର୍ବାଚନ ଲଢିଲୁ ଓ ଜିତିଲୁ । ପ୍ରଥମେ ୫ଟି ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କୁ ନେଇ ନିର୍ବାଚନ ଲଢ଼ିବାକୁ ଯୋଜନା ହୋଇଥିଲା । ପରେ ମନ୍ତ୍ରୀମାନଙ୍କୁ ମଣ୍ଡଳ, ବିଧାୟକଙ୍କୁ ପଞ୍ଚାୟତ ଦାୟିତ୍ୱ ଦେଲୁ ।

ରାଜ୍ୟରୁ ପଞ୍ଚାୟତସ୍ତର ଯାଏ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଦେଲୁ । ସ୍ଥାନୀୟ ଲୋକଙ୍କୁ ଗୁରୁତ୍ୱ ଦେଇ ନିର୍ବାଚନ ଲଢିଲୁ । ବାହାରୁ ଯାଇଥିବା ନେତା ଓ ମନ୍ତ୍ରୀ କେବଳ ସହଯୋଗ କଲେ । ଭୋଟ୍ର ୭ ଦିନ ପୂର୍ବରୁ ଆମର ଏକପାଖିଆ ବିଜୟ ହେବ ବୋଲି ସ୍ପଷ୍ଟ ଜଣାପଡ଼ିଥିଲା ବୋଲି ସେ କହିଛନ୍ତି । ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସମ୍ପଦ ସ୍ୱାଇଁ, ଗୋକୁଳାନନ୍ଦ ମଲ୍ଲିକ, ପ୍ରଦୀପ ବଳସାମନ୍ତ, ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।