ଭୁବନେଶ୍ଵର, ୨୮/୦୩ : ପଶ୍ଚିମ ଏସିଆ ଯୁଦ୍ଧ ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଏହି ବୈଠକ ବସିଥିଲା । ଏଥିରେ ପଶ୍ଚିମ ଏସିଆରେ ଜାରି ସଂଘର୍ଷ ଏବଂ ହୋର୍ମୁଜ ପ୍ରଣାଳୀ ଦେଇ ତୈଳ ଜାହାଜ ଯାତାୟାତ ବାଧାପ୍ରାପ୍ତ ହେବା ସଙ୍କଟ ଭିତରେ ରାଜ୍ୟଗୁଡ଼ିକର ଆଗୁଆ ପ୍ରସ୍ତୁତି ଏବଂ ଯୋଜନାଗୁଡ଼ିକର ସମୀକ୍ଷା କରାଯାଇଛି। ୨୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାୟ ଅଢ଼େଇ ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ବୈଠକରେ ସାମିଲ ଥିଲେ। ଟିମ୍ ଇଣ୍ଡିଆ ହୋଇ ଏକାଠି କାମ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଆତ୍ମବିଶ୍ୱାସ ଏବଂ ସ୍ପଷ୍ଟତାର ସହିତ ଅଭୂତପୂର୍ବ ବିଶ୍ୱ ଚ୍ୟାଲେଞ୍ଜର ମୁକାବିଲା ଜାରି ରଖିଛି। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅନ୍ୟ ସହକର୍ମୀ ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ପରବର୍ତ୍ତୀ ରଣନୀତି ଏବଂ ବିଚାରବିମର୍ଶ ପାଇଁ ଭର୍ଚୁଆଲ୍ କଲ୍ ରେ ଅଂଶଗ୍ରହଣ କରିଥିଲି। ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, "ଟିମ୍ ଇଣ୍ଡିଆ" ଆଗାମୀ ଚ୍ୟାଲେଞ୍ଜଗୁଡ଼ିକୁ ଦୂର କରିବ, ଆର୍ଥିକ ସ୍ଥିରତା, ସକ୍ରିୟ କୃଷି ଯୋଜନା ଏବଂ ଜାହାଜ ଚଳାଚଳ ଏବଂ ଅତ୍ୟାବଶ୍ୟକୀୟ ଯୋଗାଣ ପାଇଁ ସୀମାନ୍ତ ଏବଂ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିବ।
Under the visionary leadership of Hon’ble Prime Minister Shri @narendramodi Ji, India continues to navigate unprecedented global challenges with confidence and clarity. I participated in a virtual call with the Hon’ble Prime Minister, Hon’ble Union Home Minister Shri @AmitShah…
— Mohan Charan Majhi (@MohanMOdisha) March 27, 2026
ସେପଟେ ଘରୋଇ ବ୍ୟବହାର ପାଇଁ ଆସୁଥିବା ପେଟ୍ରୋଲ ଓ ଡିଜେଲ ଉପରେ ସରକାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଲିଟର ପିଛା ୧୦ ଟଙ୍କା କମିଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ, ବିଶ୍ୱ ବଜାରର ମୂଲ୍ୟ ଅସ୍ଥିରତା ଯୋଗୁ ବଡ଼ ସଙ୍କଟ ସୃଷ୍ଟି ହୋଇଛି । କିନ୍ତୁ କେନ୍ଦ୍ର ଏହି ନିଷ୍ପତ୍ତି ଯୋଗୁ ସବୁ ଘର ଓ ପରିବାର ଉପକୃତ ହେବେ । ମୂଲ୍ୟ ଅସ୍ଥିରତାରୁ ସୁରକ୍ଷା ପାଇବେ । ଘରୋଇ ବ୍ୟବହାର ପାଇଁ ତୈଳ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀକୁ ପର୍ଯ୍ୟାପ୍ତ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହା ଏକ ଭବିଷ୍ୟତବାଦୀ ପଦକ୍ଷେପ ଯାହା ସରକାରଙ୍କ 'ରାଷ୍ଟ୍ର ପ୍ରଥମ' ନୀତିକୁ ଦର୍ଶାଉଛି।
ସିଏମ୍ କହିଛନ୍ତି ଯେ, ଯେତେବେଳେ ବିଶ୍ୱବ୍ୟାପୀ ଅର୍ଥନୀତି ଉପରେ ଚାପ ସୃଷ୍ଟି ହେଉଛି, ପ୍ରଧାନମନ୍ତ୍ରୀଙ୍କ ସକ୍ରିୟ ନେତୃତ୍ୱ ଏବଂ ଅନ୍ତର୍ଜାତୀୟ ସ୍ତରରେ ନିରନ୍ତର କାର୍ଯ୍ୟ ସର୍ବଦା ଭାରତର ସ୍ଥିତିକୁ ସୁଦୃଢ଼ କରିଛି। ସ୍ଥିରତା ଏବଂ ଜାତୀୟ ପ୍ରାଥମିକତା ସୁରକ୍ଷା ଉଭୟ ସୁନିଶ୍ଚିତ କରୁଛି। କେନ୍ଦ୍ର ସରକାରଙ୍କ ଭଳି ସମାନ ଭାବନାରେ, ରାଜ୍ୟ ସରକାର ପ୍ରତ୍ୟେକ ନାଗରିକଙ୍କ ପାଖରେ ସଠିକ୍ ସୂଚନା ପହଞ୍ଚାଇବେ, ଅତ୍ୟାବଶ୍ୟକୀୟ ସାମଗ୍ରୀର ଉପଲବ୍ଧତା ନିରବଚ୍ଛିନ୍ନ ରହିବ, ଏବଂ ଗଚ୍ଛିତ କିମ୍ବା କଳାବଜାରର ଯେକୌଣସି ଘଟଣା କଡ଼ାକଡ଼ି ଭାବରେ ପ୍ରତିରୋଧ କରାଯିବ। ତେଣୁ ଧର୍ଯ୍ୟ ସହକାରେ ଅନାବଶ୍ୟକ କ୍ରୟରୁ ଦୂରେଇ ରହିବାକୁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି।
ଏହି ଖବରଟିକୁ ପଢନ୍ତୁ- ଶ୍ରୀମନ୍ଦିରରେ ସ୍ଥଳସେନା ମୁଖ୍ୟ, ସେନା ଓ ଦେଶର ସୁରକ୍ଷା ପାଇଁ ମହାପ୍ରଭୁଙ୍କୁ ଜଣାଇଲେ