ଜନସ୍ୱାସ୍ଥ୍ୟ ସଂପର୍କରେ ସତର୍କ ସୂଚନା ପ୍ରଦାନକାରୀ  ଆମେରିକୀୟ ସ୍ୱନାମଧନ୍ୟ ସ୍ୱେଚ୍ଛାସେବୀ ସଂସ୍ଥା  ‘ନାସନାଲ ଲାଇବ୍ରେରୀ ଅଫ୍‌ ମେଡିସିନ’ ଦ୍ୱାରା ବିଗତ ୧  ସେପ୍ଟେମ୍ବର ୨୦୨୫ ତାରିଖରେ ପ୍ରକାଶିତ ଏକ ଅଧ୍ୟୟନର  ଫଳାଫଳ ଅନୁସାରେ, ଆମ ଦେଶରେ ବସ୍ତାନିର ବୋଝ  ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଓ ଶରୀର ଉପରେ ଘୋର  ପ୍ରତିକୂଳ ପ୍ରଭାବ ପକାଉଛି । ତହିଁରେ ପ୍ରଦତ୍ତ ସୂଚନା  ଅନୁସାରେ, ସେମାନେ ନିଜ ଶରୀର ଓଜନର ୧୦ ଶତାଂଶ  ପର୍ଯ୍ୟନ୍ତ ଭାର ବହନ କରିବା ନିରାପଦ ହେବା ସ୍ଥଳେ  ଏଠାରେ ଅନେକ ସ୍ଥଳେ ତାହା ୨୫  ପ୍ରତିଶତ ବା ତତୋଧିକ ହେବାର  ଦେଖାଯାଉଛି । ପୁନଶ୍ଚ ତାଙ୍କୁ ଏହା  ଅତି କମ୍‌ରେ ୨୦/୨୫ ମିନିଟ୍‌ ଧରି  କାନ୍ଧରେ ବୋହିବାକୁ ପଡ଼ୁଛି ।

ramesha praida

କିଛି ବର୍ଷ ତଳେ (୨୦୧୬  ମସିହା) ମୁମ୍ବାଇ ଠାରେ ଅନୁଷ୍ଠିତ  ଏକ ସର୍ବେକ୍ଷଣରୁ ମଧ୍ୟ ମିଳିଥିଲା  ଅନୁରୂପ ଫଳାଫଳ । ସେଠାରେ  ପ୍ରାୟ ୨୦ କିଲୋଗ୍ରାମ ଶରୀରର  ଓଜନ ହୋଇଥିବା ପ୍ରଥମ ଶ୍ରେଣୀର  ଛାତ୍ରଛାତ୍ରୀଙ୍କୁ ହାରାହାରି ୪  କିଲୋଗ୍ରାମର ବସ୍ତାନି ବୋହିବାକୁ ପଡୁଥିଲା । ସେହିପରି  ଜଣେ ୫ମ ଶ୍ରେଣୀର ପିଲା (ଶରୀରର ଓଜନ ପ୍ରାୟ ୩୧ କିଲୋଗ୍ରାମ) ଏବଂ ଅଷ୍ଟମ ଶ୍ରେଣୀ ପିଲା (ଶରୀରର  ଓଜନ ପ୍ରାୟ ୪୩ କିଲୋଗ୍ରାମ)ଙ୍କ କ୍ଷେତ୍ରରେ ତାହା ଥିଲା  ଯଥାକ୍ରମେ ୬ କିଲୋଗ୍ରାମ ଏବଂ ୭.୫ କିଲୋଗ୍ରାମ ।  ଦେଶର ଅନ୍ୟତ୍ର ଏହା ସେହି ଅନୁରୂପ ହୋଇଥିବାର  ମନେ କରାଯାଏ । ଶରୀର ବିଜ୍ଞାନୀମାନଙ୍କ ମତରେ, ବସ୍ତାନିର ଏଇ  ଅତିରିକ୍ତ ବୋଝ ତା’ ଦେହ ଓ ମନ ଉପରେ କୁପ୍ରଭାବ ପକାଇବା ସ୍ୱାଭାବିକ । ଫଳରେ ତା’ଠାରେ ପ୍ରକାଶ  ପାଏ ବେକ, କାନ୍ଧ ଓ ଅଣ୍ଟାରେ ଯନ୍ତ୍ରଣା, ନିଦ୍ରାହୀନତା,  ଅମନଯୋଗିତା ଆଦି ଲକ୍ଷଣ । ପୁନଶ୍ଚ  ସ୍ନାୟୁ ଚାପି ହୋଇଯିବା ଫଳରେ  ବୋଧଶକ୍ତିହୀନତା, ଜ୍ୱଳନ ଏବଂ ଦେହ  ହାତ ଝିନଝିନ ହେଲା ଭଳି ଅନୁଭୂତି  ଜାତ ହୁଏ । ଅନ୍ୟପକ୍ଷରେ, ଭାରୀ ବସ୍ତାନି  ପିଠିରେ ବୋହି ନେଲାବେଳେ ପିଲାକୁ ଆଗ ଆଡକୁ ନଇଁବାକୁ ପଡ଼େ । ଏଣୁ ବିକଶିତ  ଅବସ୍ଥାରେ ଥିବା ତା’ କଅଁଳିଆ ମେରୁଦଣ୍ଡ  ଓ ପିଞ୍ଜରା ହାଡ଼ ବଙ୍କା ହେଇଯାଏ । ଏହା  ତାର ଶାରୀରିକ ଗଠନକୁ ବିକୃତ କରିବା  ସଙ୍ଗେ ସଙ୍ଗେ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ  ଉପରେ କୁପ୍ରଭାବ ପକାଇଥାଏ ।

ଏହିସବୁ କଥା ବିଚାରକୁ ନେଇ ଗତ ୨୦୧୭  ମସିହାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦେଶର  ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ମାର୍ଗଦର୍ଶିକାଟିଏ ପ୍ରସ୍ତୁତ  କରିଥିଲା । ଜଣେ ପ୍ରଥମରୁ ପଞ୍ଚମ, ଷଷ୍ଠରୁ ଅଷ୍ଟମ  ଏବଂ ନବମରୁ ଦ୍ୱାଦଶ ଶ୍ରେଣୀର ପିଲାପାଇଁ ବସ୍ତାନିର  ଭାର ଯଥାକ୍ରମେ ୨ରୁ ୩, ୩ରୁ ୪ ଏବଂ ୫ରୁ ୬  କିଲୋଗ୍ରାମ ମଧ୍ୟରେ ସୀମାବଦ୍ଧ ରଖିବାକୁ ତହିଁରେ  ସୂଚନା ଦିଆଯାଇଥିଲା । ସେଥିରେ କୁହାଯାଇଥିଲା ଯେ,  ତହିଁରେ ରହିବ ପ୍ରତ୍ୟେକ ବିଷୟରେ ଗୋଟିଏ ଲେଖାଏଁ  ଖାତା ଏବଂ ବହି । ଏଗୁଡ଼ିକ ବନେ୍ଧଇ ହେବନାହିଁ ।  ଏହାଛଡ଼ା ପିଲାମାନେ ବିଦ୍ୟାଳୟକୁ ଜଳଖିଆ ବାକ୍ସ କିମ୍ବା  ପାଣିବୋତଲ ନେବାପାଇଁ ମଧ୍ୟ ବାରଣ କରାଯାଇଥିଲା  ଏବଂ ତାହା ସବୁ ବିଦ୍ୟାଳୟରେ ଯୋଗାଇ ଦେବାକୁ  ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଆଜିପର୍ଯ୍ୟନ୍ତ ତାହା  ସବୁ କାର୍ଯ୍ୟକାରୀ ହୋଇପାରିନାହିଁ ।

ଆମ ରାଜ୍ୟରେ ୨୦୧୯ ମସିହାରେ କେନ୍ଦ୍ରୀୟ ମାଧ୍ୟମିକ  ଶିକ୍ଷା ବୋର୍ଡର ମାର୍ଗଦର୍ଶିକା ଅନୁସରଣ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କେତେକ ନିୟମାବଳୀ ପ୍ରସ୍ତୁତ କରିଥିଲା । ନୂତନ ପାଠ୍ୟ ଖସଡ଼ା ପ୍ରସ୍ତୁତ କରି ଛାତ୍ରଛାତ୍ରୀମାନଙ୍କୁ  ଅନାବଶ୍ୟକ ଭାବେ ଅତ୍ୟଧିକ ପାଠପଢ଼ା ଜନିତ ମାନସିକ  ଚାପରୁ ମୁକ୍ତ କରିବା ଏବଂ ତାଙ୍କଠାରେ ସୃଜନଶୀଳତାର ବିକାଶ ଘଟାଇବା ଲାଗି ସେଥିରେ ବ୍ୟବସ୍ଥା କରାଯାଇଥିଲା । ତଳ ଶ୍ରେଣୀଗୁଡ଼ିକରେ ପିଲାମାନଙ୍କୁ ଘରେ ପଢ଼ିବା ପାଇଁ  ନଦେବା, ସେମାନଙ୍କ ପାଠ୍ୟପୁସ୍ତକ ସଂଖ୍ୟା ହ୍ରାସ କରିବା  ଏବଂ ସେମାନଙ୍କୁ ଖେଳକୁଦ, ଅଭିନୟ, ସଂଗୀତ ଗାନ ଓ  ଲେଖାଲେଖି କ୍ଷେତ୍ରରେ ନିଜ ନିଜର ଦକ୍ଷତା ପ୍ରଦର୍ଶନ ଲାଗି  ଅବକାଶ ଦେବା ଇତ୍ୟାଦି ଥିଲା ଏହାର ଅନ୍ତର୍ଭୁକ୍ତ ।

ତତ୍ପରେ ୨୦୨୨ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗ ବିଦ୍ୟାଳୟମାନଙ୍କୁ ଏହି ମାର୍ଗଦର୍ଶିକା  ଯଥାଶୀଘ୍ର ପାଳନ କରିବାକୁ ପୁନର୍ବାର  ନିର୍ଦ୍ଦେଶ ଦେଇଥିଲେ । ଏହା ଠିକ୍‌ ପାଳିତ  ହେଉଛି କି ନାହିଁ ତାହା ଯାଞ୍ଚ କରିବା ଲାଗି  ଜିଲ୍ଲା ସ୍ତରରେ ସ୍କ୍ୱାଡମାନ ମଧ୍ୟ ଗଠନ  କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଥିଲା ।  ତେବେ ଏସବୁ ଅଦ୍ୟାବଧି କାର୍ଯ୍ୟକାରୀ  ହୋଇପାରିନାହିଁ । ଫଳରେ ଏପରିକି  ଉଚ୍ଚ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ  ସ୍ଥଳବିଶେଷରେ ୧୦/୧୨ କିଲୋଗ୍ରାମ  ଓଜନର ବସ୍ତାନି ବୋହି ବିଦ୍ୟାଳୟକୁ ଯିବାକୁ  ପଡ଼ୁଛି । ସମଗ୍ର ଦେଶରେ ମଧ୍ୟ ଏ ଅବସ୍ଥା  ଏହିପରି ରହିଛି ବୋଲି ସ୍ପଷ୍ଟ ପ୍ରତୀୟମାନ  ହେଉଛି ନାସନାଲ ଲାଇବ୍ରେରୀ ଅଫ୍‌  ମେଡିସିନ ଏବେ ପ୍ରସ୍ତୁତ କରିଥିବା ରିପୋର୍ଟରୁ । ଉଭୟ  ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଗଣଶିକ୍ଷା ବିଭାଗ ଏହାକୁ  ଏକ ଚେତାବନୀ ରୂପେ ଗ୍ରହଣ କରି ଏ ଦିଗରେ ଉଚିତ  ପଦକ୍ଷେପ ନେବେ ବୋଲି ଆଶା କରାଯାଏ ।