ଜନସ୍ୱାସ୍ଥ୍ୟ ସଂପର୍କରେ ସତର୍କ ସୂଚନା ପ୍ରଦାନକାରୀ ଆମେରିକୀୟ ସ୍ୱନାମଧନ୍ୟ ସ୍ୱେଚ୍ଛାସେବୀ ସଂସ୍ଥା ‘ନାସନାଲ ଲାଇବ୍ରେରୀ ଅଫ୍ ମେଡିସିନ’ ଦ୍ୱାରା ବିଗତ ୧ ସେପ୍ଟେମ୍ବର ୨୦୨୫ ତାରିଖରେ ପ୍ରକାଶିତ ଏକ ଅଧ୍ୟୟନର ଫଳାଫଳ ଅନୁସାରେ, ଆମ ଦେଶରେ ବସ୍ତାନିର ବୋଝ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଓ ଶରୀର ଉପରେ ଘୋର ପ୍ରତିକୂଳ ପ୍ରଭାବ ପକାଉଛି । ତହିଁରେ ପ୍ରଦତ୍ତ ସୂଚନା ଅନୁସାରେ, ସେମାନେ ନିଜ ଶରୀର ଓଜନର ୧୦ ଶତାଂଶ ପର୍ଯ୍ୟନ୍ତ ଭାର ବହନ କରିବା ନିରାପଦ ହେବା ସ୍ଥଳେ ଏଠାରେ ଅନେକ ସ୍ଥଳେ ତାହା ୨୫ ପ୍ରତିଶତ ବା ତତୋଧିକ ହେବାର ଦେଖାଯାଉଛି । ପୁନଶ୍ଚ ତାଙ୍କୁ ଏହା ଅତି କମ୍ରେ ୨୦/୨୫ ମିନିଟ୍ ଧରି କାନ୍ଧରେ ବୋହିବାକୁ ପଡ଼ୁଛି ।

କିଛି ବର୍ଷ ତଳେ (୨୦୧୬ ମସିହା) ମୁମ୍ବାଇ ଠାରେ ଅନୁଷ୍ଠିତ ଏକ ସର୍ବେକ୍ଷଣରୁ ମଧ୍ୟ ମିଳିଥିଲା ଅନୁରୂପ ଫଳାଫଳ । ସେଠାରେ ପ୍ରାୟ ୨୦ କିଲୋଗ୍ରାମ ଶରୀରର ଓଜନ ହୋଇଥିବା ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ହାରାହାରି ୪ କିଲୋଗ୍ରାମର ବସ୍ତାନି ବୋହିବାକୁ ପଡୁଥିଲା । ସେହିପରି ଜଣେ ୫ମ ଶ୍ରେଣୀର ପିଲା (ଶରୀରର ଓଜନ ପ୍ରାୟ ୩୧ କିଲୋଗ୍ରାମ) ଏବଂ ଅଷ୍ଟମ ଶ୍ରେଣୀ ପିଲା (ଶରୀରର ଓଜନ ପ୍ରାୟ ୪୩ କିଲୋଗ୍ରାମ)ଙ୍କ କ୍ଷେତ୍ରରେ ତାହା ଥିଲା ଯଥାକ୍ରମେ ୬ କିଲୋଗ୍ରାମ ଏବଂ ୭.୫ କିଲୋଗ୍ରାମ । ଦେଶର ଅନ୍ୟତ୍ର ଏହା ସେହି ଅନୁରୂପ ହୋଇଥିବାର ମନେ କରାଯାଏ । ଶରୀର ବିଜ୍ଞାନୀମାନଙ୍କ ମତରେ, ବସ୍ତାନିର ଏଇ ଅତିରିକ୍ତ ବୋଝ ତା’ ଦେହ ଓ ମନ ଉପରେ କୁପ୍ରଭାବ ପକାଇବା ସ୍ୱାଭାବିକ । ଫଳରେ ତା’ଠାରେ ପ୍ରକାଶ ପାଏ ବେକ, କାନ୍ଧ ଓ ଅଣ୍ଟାରେ ଯନ୍ତ୍ରଣା, ନିଦ୍ରାହୀନତା, ଅମନଯୋଗିତା ଆଦି ଲକ୍ଷଣ । ପୁନଶ୍ଚ ସ୍ନାୟୁ ଚାପି ହୋଇଯିବା ଫଳରେ ବୋଧଶକ୍ତିହୀନତା, ଜ୍ୱଳନ ଏବଂ ଦେହ ହାତ ଝିନଝିନ ହେଲା ଭଳି ଅନୁଭୂତି ଜାତ ହୁଏ । ଅନ୍ୟପକ୍ଷରେ, ଭାରୀ ବସ୍ତାନି ପିଠିରେ ବୋହି ନେଲାବେଳେ ପିଲାକୁ ଆଗ ଆଡକୁ ନଇଁବାକୁ ପଡ଼େ । ଏଣୁ ବିକଶିତ ଅବସ୍ଥାରେ ଥିବା ତା’ କଅଁଳିଆ ମେରୁଦଣ୍ଡ ଓ ପିଞ୍ଜରା ହାଡ଼ ବଙ୍କା ହେଇଯାଏ । ଏହା ତାର ଶାରୀରିକ ଗଠନକୁ ବିକୃତ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଉପରେ କୁପ୍ରଭାବ ପକାଇଥାଏ ।
ଏହିସବୁ କଥା ବିଚାରକୁ ନେଇ ଗତ ୨୦୧୭ ମସିହାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ମାର୍ଗଦର୍ଶିକାଟିଏ ପ୍ରସ୍ତୁତ କରିଥିଲା । ଜଣେ ପ୍ରଥମରୁ ପଞ୍ଚମ, ଷଷ୍ଠରୁ ଅଷ୍ଟମ ଏବଂ ନବମରୁ ଦ୍ୱାଦଶ ଶ୍ରେଣୀର ପିଲାପାଇଁ ବସ୍ତାନିର ଭାର ଯଥାକ୍ରମେ ୨ରୁ ୩, ୩ରୁ ୪ ଏବଂ ୫ରୁ ୬ କିଲୋଗ୍ରାମ ମଧ୍ୟରେ ସୀମାବଦ୍ଧ ରଖିବାକୁ ତହିଁରେ ସୂଚନା ଦିଆଯାଇଥିଲା । ସେଥିରେ କୁହାଯାଇଥିଲା ଯେ, ତହିଁରେ ରହିବ ପ୍ରତ୍ୟେକ ବିଷୟରେ ଗୋଟିଏ ଲେଖାଏଁ ଖାତା ଏବଂ ବହି । ଏଗୁଡ଼ିକ ବନେ୍ଧଇ ହେବନାହିଁ । ଏହାଛଡ଼ା ପିଲାମାନେ ବିଦ୍ୟାଳୟକୁ ଜଳଖିଆ ବାକ୍ସ କିମ୍ବା ପାଣିବୋତଲ ନେବାପାଇଁ ମଧ୍ୟ ବାରଣ କରାଯାଇଥିଲା ଏବଂ ତାହା ସବୁ ବିଦ୍ୟାଳୟରେ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଆଜିପର୍ଯ୍ୟନ୍ତ ତାହା ସବୁ କାର୍ଯ୍ୟକାରୀ ହୋଇପାରିନାହିଁ ।
ଆମ ରାଜ୍ୟରେ ୨୦୧୯ ମସିହାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ମାର୍ଗଦର୍ଶିକା ଅନୁସରଣ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କେତେକ ନିୟମାବଳୀ ପ୍ରସ୍ତୁତ କରିଥିଲା । ନୂତନ ପାଠ୍ୟ ଖସଡ଼ା ପ୍ରସ୍ତୁତ କରି ଛାତ୍ରଛାତ୍ରୀମାନଙ୍କୁ ଅନାବଶ୍ୟକ ଭାବେ ଅତ୍ୟଧିକ ପାଠପଢ଼ା ଜନିତ ମାନସିକ ଚାପରୁ ମୁକ୍ତ କରିବା ଏବଂ ତାଙ୍କଠାରେ ସୃଜନଶୀଳତାର ବିକାଶ ଘଟାଇବା ଲାଗି ସେଥିରେ ବ୍ୟବସ୍ଥା କରାଯାଇଥିଲା । ତଳ ଶ୍ରେଣୀଗୁଡ଼ିକରେ ପିଲାମାନଙ୍କୁ ଘରେ ପଢ଼ିବା ପାଇଁ ନଦେବା, ସେମାନଙ୍କ ପାଠ୍ୟପୁସ୍ତକ ସଂଖ୍ୟା ହ୍ରାସ କରିବା ଏବଂ ସେମାନଙ୍କୁ ଖେଳକୁଦ, ଅଭିନୟ, ସଂଗୀତ ଗାନ ଓ ଲେଖାଲେଖି କ୍ଷେତ୍ରରେ ନିଜ ନିଜର ଦକ୍ଷତା ପ୍ରଦର୍ଶନ ଲାଗି ଅବକାଶ ଦେବା ଇତ୍ୟାଦି ଥିଲା ଏହାର ଅନ୍ତର୍ଭୁକ୍ତ ।
ତତ୍ପରେ ୨୦୨୨ ମସିହାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଦ୍ୟାଳୟମାନଙ୍କୁ ଏହି ମାର୍ଗଦର୍ଶିକା ଯଥାଶୀଘ୍ର ପାଳନ କରିବାକୁ ପୁନର୍ବାର ନିର୍ଦ୍ଦେଶ ଦେଇଥିଲେ । ଏହା ଠିକ୍ ପାଳିତ ହେଉଛି କି ନାହିଁ ତାହା ଯାଞ୍ଚ କରିବା ଲାଗି ଜିଲ୍ଲା ସ୍ତରରେ ସ୍କ୍ୱାଡମାନ ମଧ୍ୟ ଗଠନ କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଥିଲା । ତେବେ ଏସବୁ ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ । ଫଳରେ ଏପରିକି ଉଚ୍ଚ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସ୍ଥଳବିଶେଷରେ ୧୦/୧୨ କିଲୋଗ୍ରାମ ଓଜନର ବସ୍ତାନି ବୋହି ବିଦ୍ୟାଳୟକୁ ଯିବାକୁ ପଡ଼ୁଛି । ସମଗ୍ର ଦେଶରେ ମଧ୍ୟ ଏ ଅବସ୍ଥା ଏହିପରି ରହିଛି ବୋଲି ସ୍ପଷ୍ଟ ପ୍ରତୀୟମାନ ହେଉଛି ନାସନାଲ ଲାଇବ୍ରେରୀ ଅଫ୍ ମେଡିସିନ ଏବେ ପ୍ରସ୍ତୁତ କରିଥିବା ରିପୋର୍ଟରୁ । ଉଭୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଗଣଶିକ୍ଷା ବିଭାଗ ଏହାକୁ ଏକ ଚେତାବନୀ ରୂପେ ଗ୍ରହଣ କରି ଏ ଦିଗରେ ଉଚିତ ପଦକ୍ଷେପ ନେବେ ବୋଲି ଆଶା କରାଯାଏ ।