ମାଲକାନଗିରି/କାଲିମେଳା, ୮/୧୦ (ଆପ୍ର ) :  ଘର ବାଡ଼ିରେ ଖେଳୁଥିବା ବେଳେ ପୋଖରୀରେ ବୁଡି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା  ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ସୁଦାକୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି।

 ସୁଧାକୁଣ୍ଡା ଗ୍ରାମର ଭିମା ପଡିଆମିଙ୍କ ସ୍ତ୍ରୀ ଗାଙ୍ଗି ପଡିଆମି ଦୁର୍ଗାପୂଜା ପାଇଁ ଆଜି ସକାଳ ସମୟରେ ନିଜଘର ମାଟି କାନ୍ଥ ଲିପା ପୋଛା କରୁଥିଲେ। ଏହି ସମୟରେ ତାଙ୍କର ୨ ବର୍ଷର ଶିଶୁପୁତ୍ର  ଅବିନାଶ ପଡିଆମି ସେଠାରେ ଖେଳୁଥିଲେ। ଖେଳୁ ଖେଳୁ ସେ ବାଡ଼ିରେ ଥିବା ପୋଖରୀ ନିକଟକୁ ଉଭୟ ପଳାଇଥିଲେ। ପୋଖରୀରେ ତା’ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲା।  

ଯେତେବେଳେ ମା’ ଗାଙ୍ଗିଙ୍କ ଘର ଲିପା କାର୍ଯ୍ୟ ସରିଲା ସେ ପୁଅକୁ ଖୋଜି ପାଇ ନଥିଲେ। ତାପରେ ସେ ଗାଧୋଇବାକୁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ସେଠାରେ ନିଜ ପୁଅର ମୃତଦେହ ପୋଖରୀରେ ଭାସୁ  ଥିବାର ଦେଖିଥିଲେ। ଏ ସମ୍ପର୍କରେ  କାଲିମେଳା ଥାନାକୁ ଜଣାଇବାରୁ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଶରୀରକୁ ପାଣିରୁ ଉଦ୍ଧାର କରି କାଲିମେଳା ସ୍ବାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଛେଦ କରିବା ନିମନ୍ତେ ପଠାଇଥିଲେ।