ଭୁବନେଶ୍ୱର,୧୭/୦୩: ଦେଶରେ  ପିଲାଙ୍କଠାରେ ମୋଟାପଣ ଦେଖିବାକୁ  ମିଳୁଛି । ବିଶେଷ ଭାବେ ୫ରୁ ୧୯ବର୍ଷ  ମଧ୍ୟରେ ଥିବା ପିଲାଙ୍କ ଓଜନ ଅତ୍ୟଧିକ ରହୁଛି । ଏହାକୁ ନେଇ ଚିନ୍ତା ପ୍ରକଟ  କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ତେଣୁ  ମଧ୍ୟାହ୍ନଭୋଜନକୁ ସୁଷମ କରିବା ପାଇଁ ନିଆଯାଉଛି ପଦକ୍ଷେପ । ଏଣିକି  ମଧ୍ୟାହ୍ନଭୋଜନ ଖାଦ୍ୟରେ କମ୍‌ ତେଲ  ବ୍ୟବହାର ହେବ । ଆଗରୁ ଯେତିକି  ତେଲ ବ୍ୟବହାର ହେଉଥିଲା, ତା’ର ୧୦  ପ୍ରତିଶତ ହ୍ରାସ କରାଯିବ । ଫର୍ଟିଫାଏଡ୍‌  ଭିଟାମିନ୍‌ ଏ ଓ ଡି ଯୁକ୍ତ ଖାଇବା ତେଲ  ବ୍ୟବହାର ହେବ । ଡବଲ ଫର୍ଟିଫାଏଡ୍‌  ଲୁଣ ବ୍ୟବହାର କରାଯିବ । ଏପରିକି କମ୍‌  ଲୁଣ ମଧ୍ୟ ବ୍ୟବହାର ହେବ । ଏଥିସହ  ନ୍ୟୁଟ୍ରିସିଆନ୍‌ଙ୍କ ପରାମର୍ଶ ନିଆଯିବ । ଜଣେ  ଶିକ୍ଷାର୍ଥୀଙ୍କୁ ସ୍ୱାସ୍ଥ୍ୟ ଆମ୍ବାସାଡାର ଭାବେ  ନିଯୁକ୍ତି ଦିଆଯିବ । ଏପରି ନିଷ୍ପତ୍ତି ନେଇଛି  କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । 

ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ  ରାଜ୍ୟର ମୁଖ୍ୟଶାସନ ସଚିବ, ଶିକ୍ଷା  ବିଭାଗର ପ୍ରମୁଖ ଶାସନ ସଚିବ,  ସମଗ୍ର ଶିକ୍ଷାର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ,ଏନ୍‌ସିଇଆର୍‌ଟି ନିର୍ଦ୍ଦେଶକ,  ସିବିଏସ୍‌ଇ ଅଧ୍ୟକ୍ଷ, କେନ୍ଦ୍ରୀୟ ବିଦ୍ୟାଳୟ  ଓ ନବୋଦୟ ବିଦ୍ୟାଳୟ ସଂଗଠନର  କମିଶନରଙ୍କୁ ଚିଠି ହୋଇଛି । 

ଏଥିରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ  ସମୟରେ ପିଲାଙ୍କଠାରେ ଦେଖାଯାଉଥିବା ମୋଟାପଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।  ଏପିରକି ଏକ ଜର୍ଣ୍ଣାଲରେ ଏସମ୍ପର୍କରେ ମଧ୍ୟ ପ୍ରକାଶ ପାଇଛି । ଯାହା ଖାଇବା ପିଇବା  ଶୈଳୀରେ ପରିବର୍ତ୍ତନ ନେଇ ଏପରି ଦେଖାଯାଉଛି ବୋଲି କୁହାଯାଇଛି । ତେଣୁ ରନ୍ଧନ  ହେଉଥିବା ଖାଦ୍ୟରେ ୧୦ ପ୍ରତିଶତ ଖାଇବା ତେଲର ବ୍ୟବହାର ହ୍ରାସ କରାଯିବ । 

ଏ ସମ୍ପର୍କରେ ଅଭିଭାବକ, ଶିକ୍ଷକଙ୍କୁ ସଚେତନ କରାଯିବ । ପିଏମ୍‌  ପୋଷଣ ଯୋଜନାରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନକୁ ଅଧିକ ସୁଷମ କରାଯିବ । ପୋଷଣ ଯୁକ୍ତ ଚାଉଳ, ଗହମ, ଡାଲି, ପନିପରିବା ବ୍ୟବହାର  ହେବ । ପ୍ରାଥମିକ ଶ୍ରେଣୀ ପିଲାଙ୍କ ପାଇଁ ୫ ଗ୍ରାମ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀ  ପିଲାଙ୍କ ପାଇଁ ୭.୫ ଗ୍ରାମର ଲୁଣ ବ୍ୟବହାର ହେବ । ସ୍କୁଲରେ ପୋଷଣ ବଗିଚା  କରାଯିବ । ସେଠାରୁ ଉତ୍ପାଦିତ ପରିବା ମଧ୍ୟାହ୍ନଭୋଜନରେ ବ୍ୟବହାର ହେବ । 

ଖାଇବା ତେଲ କମ ବ୍ୟବହାର ନେଇ ମଧ୍ୟ ଏକ ସଚେତନତା କାର୍ଯ୍ୟକ୍ରମ ହେବ ।  ଯେଉଁଥିରେ ସ୍ୱତନ୍ତ୍ର କ୍ଲାସ କରାଯିବ । ଜଣେ ପୋଷଣ ବିଶେଷଜ୍ଞ (ନ୍ୟୁଟ୍ରିସିଆନ୍‌) ଙ୍କୁ ସ୍କୁଲକୁ ନିମନ୍ତ୍ରଣ କରାଯିବ । ସେ ଏକ ସୂଚନାସମ୍ବଳିତ ଅଧିବେଶନ କରି କମ୍‌  ଖାଇବା ତେଲ ବ୍ୟବହାରରେ କିପରି ରୋଷେଇ ହୋଇପାରିବ ପରାମର୍ଶ ଦେବେ । ସ୍କୁଲସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ହେବ । ଇକୋ କ୍ଲବ୍‌ ଆକ୍ଟିଭିଟି କରାଯିବ ।  ବ୍ୟାୟାମ ଓ ଯୋଗ ନିୟମିତ କରିବାକୁ ପ୍ରୋତ୍ସାହିତ କରାଯିବ । ଛାତ୍ରଛାତ୍ରୀଙ୍କୁ  ନେଇ କମ୍‌ ତେଲରେ କିପରି ରୋଷେଇ ହୋଇପାରିବ ତାର ଏକ ପ୍ରତିଯୋଗିତା  ମଧ୍ୟ ହେବ । ଏହାକୁ ସାମାଜିକ ଗଣମାଧ୍ୟମରେ ଅପଲୋଡ୍‌ କରି ସଚେତନତା  ସୃଷ୍ଟି କରାଯିବ । ସ୍କୁଲ ପରିଚାଳନା କମିଟିକୁ ନେଇ ମଧ୍ୟ ବୈଠକ ହେବ ।