ନୂଆଦିଲ୍ଲୀ, ୧୬/୦୪ : ଚେହେରା ଓ ଜିଭକୁ ସ୍କାନ୍ କରି ମନ ପସନ୍ଦର ଖାଦ୍ୟ ପରସୁଛି ରୋବୋ। ଝେଜିୟାଙ୍ଗ ପ୍ରାନ୍ତର ହାଙ୍ଗଝୋଉରେ ଏଭଳି କିଛି ରେସ୍ତୋରାଁ ଚର୍ଚ୍ଚାର ପରିସରକୁ ଆସିଛି । ଏଠାରେ ରୋବୋ ଗ୍ରାହକଙ୍କଠୁ ଅର୍ଡର୍ ନେଉଛନ୍ତି । ଖାଦ୍ୟ ପରସୁଛନ୍ତି । ସଫେଇ କାମ ସହିତ ବ୍ୟଞ୍ଜନ ପ୍ରସ୍ତୁତି କାମ ବି ସମ୍ଭାଳୁଛନ୍ତି । ପୂର୍ବ ଚୀନ୍ରେ ଅନେକ ରେସ୍ତୋରାଁ ଖର୍ଚ୍ଚ କାଟ ଓ ୧୦୦ରୁ ଅଧିକ ବ୍ୟଞ୍ଜନ ପ୍ରସ୍ତୁତି ଲାଗି ଏଭଳି ଏଆଇ ରୋବୋ ବ୍ୟବହାର କରୁଛନ୍ତି । ଏମାନଙ୍କ ସଂଖ୍ୟା ରୋଷେଇ କର୍ମଚାରୀଙ୍କର ମୋଟ୍ କାର୍ଯ୍ୟଭାରର ୬୦ ପ୍ରତିଶତ । ଏହାକୁ ନେଇ ସୋସିଆଲ ମିଡିଆରେ ବିତର୍କ ସୃଷ୍ଟି ହୋଇଛି।
ରିପୋର୍ଟ ଅନୁସାରେ, ଗ୍ରାହକ ଖାଦ୍ୟ ଅର୍ଡର କରିବା ପୂର୍ବରୁ ରୋବୋ ସେମାନଙ୍କ ଚେହେରା ଓ ଜିଭକୁ ସ୍କାନ୍ କରୁଛନ୍ତି ଏବଂ ସେମାନଙ୍କୁ କିଛି ସରଳ ପ୍ରଶ୍ନ ପଚାରୁଛନ୍ତି । ପ୍ରଶ୍ନର ଉତ୍ତର ଦେବା ପରେ ତା’ର ଏଆଇ ବିଶ୍ଳେଷଣ କରାଯାଉଛି । ତା’ପରେ ରୋବୋ ଗ୍ରାହକଙ୍କ ଜୀବନଶୈଳୀ, ଭାବନା ଓ ମଧୁମେହ ସ୍ଥିତି ବିଷୟରେ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି ଏବଂ ଶେଷରେ ଜଳବାୟୁ ଅନୁସାରେ ଗ୍ରାହକଙ୍କ ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ପରାମର୍ଶ ଦେଉଛନ୍ତି । ଏଭଳି ଏକ ରେସ୍ତୋରାଁର ମାଲିକ କାଈ ହେତାଙ୍ଗ କହିଛନ୍ତି, ଏହି ରୋବୋ ୧୦୦ରୁ ଅଧିକ ବ୍ୟଞ୍ଜନ ପ୍ରସ୍ତୁତ କରିପାରନ୍ତି । ଖାଦ୍ୟ ପ୍ରସ୍ତୁତକର୍ତ୍ତା ରୋବୋ ବିକଶିତ କରିଥିବା ଇଞ୍ଜିନିୟର ଝୁ କ୍ୟୁୟି କହିଛନ୍ତି, ଏହି ରୋବୋ ମାନବ ରାନ୍ଧୁଣିଆ କରିଥିବା କାମରୁ ଚୁଲି ନିଆଁ ଆଧାରରେ ତଥ୍ୟ ସଂଗ୍ରହ କରନ୍ତି । ଖାଦ୍ୟ ଛାଣିବା ଓ ବାସନକୁ ବୁଲାଇବା ପାଇଁ ରାନ୍ଧୁଣିଆଙ୍କ ଗତିବିଧିର ନକଲ କରନ୍ତି ।
ଜଣେ ଶେଫ୍ କହିଛନ୍ତି, ପୂର୍ବରୁ ତାଙ୍କୁ ଭିଡ଼ ସମୟରେ ପ୍ରତିଦିନ ଏକାଧିକ ବ୍ୟଞ୍ଜନ ପ୍ରସ୍ତୁତ କରିବାକୁ ପଡୁଥିଲା । କିନ୍ତୁ ଯେବେଠୁ ରେସ୍ତୋରାଁରେ ରୋବୋର ଉପଯୋଗ ଆରମ୍ଭ ହୋଇଛି, ତାଙ୍କ କାମ ମୁଖ୍ୟତଃ ମେସିନ୍ କରୁଛନ୍ତି । ଏହା ଦ୍ୱାରା ତାଙ୍କର ଅଧା ଶକ୍ତି ସଞ୍ଚୟ ହେଉଛି । ସେଥିପାଇଁ ସେ କଞ୍ଚାମାଲର ଗୁଣବତ୍ତା ଯାଞ୍ଚ, ନୂଆ ବ୍ୟଞ୍ଜନ ପ୍ରସ୍ତୁତି ଓ ରୋଷେଇ ପରିଚାଳନାରେ ଧ୍ୟାନ କେନ୍ଦ୍ରିତ କରିପାରୁଛନ୍ତି । ଗ୍ରାହକଙ୍କ ଅନୁସାରେ, ରୋବୋ ଦ୍ୱାରା ପ୍ରସ୍ତୁତ ବ୍ୟଞ୍ଜନର ସ୍ୱାଦରେ କିଛି ଫରକ ନାହିଁ । ରୋବୋର ଉପଯୋଗ ପରେ ରେସ୍ତୋରାଁରେ ଖାଦ୍ୟ ଶସ୍ତା ହୋଇଯାଇଛି ।
ଏହି ଖବରଟିକୁ ପଢନ୍ତୁ- ୨୫କୋଟି ବର୍ଷ ଆଗରୁ ଅଣ୍ଡା ଦେଉଥିଲେ ସ୍ତନ୍ୟପାୟୀ, ଅଧ୍ୟୟନରୁ ପ୍ରମାଣିତ