ନୂଆଦିଲ୍ଲୀ, ୨୦/୦୧ : ବୁଢା ହେଉଛି ଚୀନ। ପଡୋଶୀ ଦେଶରେ ଆଉ ଜନ୍ମ ହେଉ ନାହାଁନ୍ତି ଶିଶୁ। ଲଗାତର ଖସୁଛି ଜନ୍ମହାର। ଫେଲ୍ ମାରୁଛି ସରକାରଙ୍କ ସବୁ ଉପାୟ। ବିପଦରେ ଡ୍ରାଗନ୍। ୨୦୨୫ରେ ଚୀନରେ ଜନ୍ମ ହୋଇଛନ୍ତି ମାତ୍ର ୭୯.୨ ଲକ୍ଷ ଶିଶୁ। ସେହିପରି ୨୦୨୪ରେ ଜନ୍ମ ହୋଇଥିଲେ ୯୫.୪ ଲକ୍ଷ ଶିଶୁ। ୧ ବର୍ଷ ମଧ୍ୟରେ ୧୭ ପ୍ରତିଶତ ଖସିଛି ଜନ୍ମହାର। ୧୯୪୯ ପରଠାରୁ ୨୦୨୩ରେ ଚୀନରେ ଜନ୍ମ ହୋଇଥିଲେ ସବୁଠୁ କମ୍ ଶିଶୁ।
୨୦୨୫ରେ ଚୀନର ଜନସଂଖ୍ୟା ୩୩.୯ ଲକ୍ଷ ହ୍ରାସ ପାଇ ୧.୪୦୪୯ ଅରବରେ ପହଞ୍ଚିଛି। ୨୦୨୪ରେ ଏହି ସଂଖ୍ୟା ୧.୪୦୮୩ ଅରବ ଥିଲା। ୧୯୫୯ ରୁ ୧୯୬୧ ଯାଏଁ ଚୀନରେ ପଡିଥିବା ଭୀଷଣ ଅକାଳ ପରେ ୨୦୨୫ରେ ସବୁଠୁ ଅଧିକ ଜନସଂଖ୍ୟା ହ୍ରାସ ପାଇଛି। ସେହିପରି ଗତ ବର୍ଷ ପ୍ରାୟ ୧.୧୩ କୋଟି ଲୋକଙ୍କ ମୃତ୍ୟୁ ହୋଇଛି। ଯାହାକି ଗତ ୫ ଦଶକ ମଧ୍ୟରେ ସବୁଠୁ ଅଧିକ।
ଚୀନରେ ଏବେ ବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୪ ଶେଷ ସୁଦ୍ଧା ଚୀନରେ ୬୦ ବର୍ଷ ଏବଂ ଏହାଠାରୁ ଅଧିକ ଆୟୁ ଲୋକଙ୍କ ସଂଖ୍ୟା ୩୧ କୋଟିରେ ପହଞ୍ଚିଛି। ୨୦୩୫ ସୁଦ୍ଧା ଏହି ଆୟୁ ବର୍ଗର ଲୋକଙ୍କ ସଂଖ୍ୟା ୪୦ କୋଟିରୁ ଅଧିକ ହେବାର ଅନୁମାନ କରାଯାଉଛି। ଚୀନ ସରକାରଙ୍କ ଏକ ସନ୍ତାନ ଜନ୍ମ ନୀତି ପାଇଁ ଜନସଂଖ୍ୟା ସଙ୍କଟ ସୃଷ୍ଟି ହୋଇଛି। ଏହାର ଦୂରୀକରଣ ପାଇଁ ସରକାର ଯେତେ ଚେଷ୍ଟା କଲେବି ସବୁ ବିଫଳ ହୋଇଛି। ଦେଶର ଅର୍ଥବ୍ୟବସ୍ଥା ଉପରେ ଏହାର ଗମ୍ଭୀର ପ୍ରଭାବ ପଡିଛି।
ସୂଚନାନୁଯାୟୀ, ଚୀନ ସରକାର ୨୦୧୬ରେ ଏକ ସନ୍ତାନ ନୀତି ସମାପ୍ତ କରି ଦୁଇଟି ସନ୍ତାନ ଜନ୍ମ କରିବାକୁ କହିଥିଲେ। ହେଲେ ଲୋକମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା। ଏଥିପାଇଁ ୨୦୨୧ରେ ଜନସଂଖ୍ୟା ନୀତିରେ ସଂଶୋଧନ କରାଯାଇଥିଲା। ଏହି ନୀତି ଅନୁଯାୟୀ, ସରକାର ୩ଟି ସନ୍ତାନ ଜନ୍ମ କରିବାକୁ ଅନୁମତି ଦେଇଥିଲେ।
ଏହି ଖବରଟିକୁ ପଢନ୍ତୁ- 'ସମସ୍ତେ ଜାଣିଛନ୍ତି, ଆମେ କାହାକୁ ନୋବେଲ ଶାନ୍ତି ସୁରସ୍କାର ଦେଉନୁ' : ଟ୍ରମ୍ପଙ୍କୁ ନରୱେ ପ୍ରଧାନମନ୍ତ୍ରୀଙ୍କ ଜବାବ