ନୂଆଦିଲ୍ଲୀ, ୨୦/୦୧ : "ବିଶ୍ୱରେ ୮ଟି ପ୍ରମୁଖ ଯୁଦ୍ଧ ରୋକିଥିଲି । କିନ୍ତୁ ମୋତେ ନୋବେଲ ଶାନ୍ତି ପୁରସ୍କାର ମିଳିଲା ନାହିଁ । ତେଣୁ ଆଉ ଶାନ୍ତି ଉପରେ ଭରସା ନାହିଁ ।' ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନରୱେ ପ୍ରଧାନମନ୍ତ୍ରୀ ଜୋନାସ ଗହର ଷ୍ଟୋରଙ୍କୁ ଏକ ଚିଠି ଲେଖି ଅସନ୍ତୋଷ ଜାହିର କରିଥିଲେ। ଏବେ ନରୱେ ପ୍ରଧାନମନ୍ତ୍ରୀ ଟ୍ରମ୍ପଙ୍କୁ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ନୋବେଲ ଶାନ୍ତି ପୁରସ୍କାର ଦେବାର ନିଷ୍ପତ୍ତି ନରୱେ ସରକାର ନିଅନ୍ତି ନାହିଁ। ଏକ ସ୍ଵତନ୍ତ୍ର ନୋବେଲ ସମିତି ଏହି ନିଷ୍ପତ୍ତି ନିଏ। ଏନେଇ ମୁଁ ଟ୍ରମ୍ପ ସରକାରକୁ ବହୁଥର ସ୍ପଷ୍ଟ କରିସାରିଛି।
ନରୱେ ଉପରେ ଆମେରିକା ଟାରିଫ ବୃଦ୍ଧି କରିଥିବାରୁ ଏହା ଉପରେ ଆପତ୍ତି ଜଣାଇ ନରୱେ ପ୍ରଧାନମନ୍ତ୍ରୀ ଜୋନାସ ଏକ ଚିଠି ଟ୍ରମ୍ପଙ୍କ ନିକଟକୁ ଲେଖିଥିଲେ । ତେବେ ଟ୍ରମ୍ପ ତାର ଉତ୍ତର ଦେବାକୁ ଯାଇ ଏକ ଚିଠି ଲେଖିଥିଲେ ଏବଂ ସେଥିରେ ନୋବେଲ ଶାନ୍ତି ମିଳି ନଥିବା କଥା ଉଲ୍ଲେଖ କରିଛନ୍ତି । ନରୱେ ପ୍ରଧାନମନ୍ତ୍ରୀ ମଧ୍ୟ ଟ୍ରମ୍ପଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିକୁ ସ୍ୱୀକାର କରିଛନ୍ତି । କିନ୍ତୁ ସେଥିରେ କଣ ସବୁ ଉଲ୍ଲେଖ ରହିଛି ସେହି ବିଷୟରେ ସବିଶେଷ ତଥ୍ୟ ଦେଇନାହାନ୍ତି ।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଟ୍ରମ୍ପ ଉକ୍ତ ଚିଠିରେ ଦର୍ଶାଇଛନ୍ତି ଯେ ଶାନ୍ତି ତ ଜରୁରି । କିନ୍ତୁ ଆମେରିକା ପାଇଁ ତାର କଣ ଫାଇଦା ହେବ ସେକଥା ମଧ୍ୟ ଚିନ୍ତା କରିବାକୁ ପଡିବ । ସେ ୮ଟା ଯୁଦ୍ଧ ରୋକିଥିଲେ ମଧ୍ୟ ତାଙ୍କୁ ନୋବେଲ ଶାନ୍ତି ମିଳିଲା ନାହିଁ । ତେଣୁ ସେ ଶାନ୍ତି ସମ୍ପର୍କରେ ଚିନ୍ତା କରିବା ଛାଡି ଦେଇଛନ୍ତି । ଗ୍ରୀନ୍ଲାଣ୍ଡ କବ୍ଜା କରିବାର ଉଦ୍ୟମ ମଧ୍ୟ ନୋବେଲ ପୁରସ୍କାର ନ ମିଳିବାର ଏକ ପ୍ରମୁଖ କାରଣ । ଗ୍ରୀନଲାଣ୍ଡ ଯେପର୍ଯ୍ୟନ୍ତ ଆମର ନିୟନ୍ତ୍ରଣକୁ ସମ୍ପୂର୍ଣ୍ଣ ଭାବେ ନ ଆସିଛି ସେପର୍ଯ୍ୟନ୍ତ ଦୁନିଆ ସୁରକ୍ଷିତ ନୁହେଁ । ଟ୍ରମ୍ପ ଆହୁରି ମଧ୍ୟ ଲେଖିଛନ୍ତି ଯେ ଗ୍ରୀନ୍ଲାଣ୍ଡ ଉପରେ ରୁଷ ଓ ଚୀନ୍ର ଆଖି ପଡିଛି । ରୁଷ କିମ୍ବା ଚୀନ୍ଠାରୁ ଡେନମାର୍କ ଗ୍ରୀନ୍ଲାଣ୍ଡକୁ ବଞ୍ଚାଇ ପାରିବନାହିଁ । ତଥାପି ଗ୍ରୀନ୍ଲାଣ୍ଡ ଉପରେ ଡେନମାର୍କର ମାଲିକାନା କାହିଁକି ରହିଛି । କୌଣସି ଦସ୍ତାବିଜ ମଧ୍ୟ ନାହିଁ । କୁହାଯାଉଛି କି ଶତାଧିକ ବର୍ଷ ତଳେ ଡେନମାର୍କର ଏକ ନୌକା ଗ୍ରୀନ୍ଲାଣ୍ଡରେ ପହଞ୍ଚିଥିଲା ଏବଂ ସେବେଠାରୁ ତାହା ଡେନମାର୍କର ହୋଇରହିଛି । ଆମେରିକାର ମଧ୍ୟ ଏକ ନୌକା ସେଠାରେ ପହଞ୍ଚିଥିଲା । ତେଣୁ ତାହା ଆମେରିକାର କାହିଁକି ହେବନାହିଁ । ନାଟୋ ପ୍ରତିଷ୍ଠା ହେବା ଦିନରୁ ଆମେରିକା ସବୁ ସଦସ୍ୟମାନଙ୍କ ଲାଗି କାମ କରିଆସିଛି । ଏବେ ନାଟୋ ଦେଶମାନେ ଆମେରିକା ପାଇଁ କାମ କରିବାର ସମୟ ଆସିଛି । ଗ୍ରୀନ୍ଲାଣ୍ଡ ଆମେରିକା ହାତକୁ ଆସିଲେ ନାଟୋ ଆହୁରି ମଜଭୁତ ହେବ ବୋଲି ଟ୍ରମ୍ପ ଉକ୍ତ ଚିଠିରେ ଦାବି ମଧ୍ୟ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଚଳିତବର୍ଷ ଟ୍ରମ୍ପ ନୋବେଲ ଶାନ୍ତି ପାଇବା ଲାଗି ଦାବି କରିଆସିଥିଲେ । କିନ୍ତୁ ନରୱେରେ ନୋବେଲ କମିଟି ଭେନେଜୁଏଲାର ନେତ୍ରୀ ମାରିୟା ମଚାଡୋଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲା।
ଏହି ଖବରଟିକୁ ପଢନ୍ତୁ- କାବୁଲରେ ଏକ ରେଷ୍ଟୁରାଣ୍ଟ ସାମ୍ନାରେ IED ବିସ୍ଫୋରଣ, ୭ ମୃତ…