ନୂଆଦିଲ୍ଲୀ,୭।୧୨: ଦକ୍ଷିଣ ଚୀନ୍ ସାଗରର ନିୟନ୍ତ୍ରଣକୁ ନେଇ ଚୀନ୍ ଏବଂ ଫିଲିପାଇନ୍ସ ମଧ୍ୟରେ ବିବାଦ ପୁଣି ଥରେ ଚରମ ସୀମାରେ ପହଁଞ୍ଚିଛି। ଚୀନ୍ ସୈନ୍ୟମାନେ ଫିଲିପାଇନ୍ସର ଏକ ପାଟ୍ରୋଲିଂ ବିମାନ ଆଡ଼କୁ ତିନୋଟି ଫ୍ଲେୟାର ଫାୟାରିବା ନିଆଁର ଗୋଲା ମାଡ଼ କରିଥିଲେ। ଯାହାପରେ ଏହି ସାମୁଦ୍ରିକ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଘଟଣା ଚୀନ୍-ଅଧିକୃତ ସୁବି ରିଫ୍ ନିକଟରେ ଘଟିଥିଲା, ଯାହା ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ସାର୍ବଭୌମତ୍ୱ ପ୍ରସଙ୍ଗକୁ ପୁଣିଥରେ ସାମ୍ନାକୁ ଆଣିଛି। ଯଦିଓ କୌଣସି ସିଧାସଳଖ ମୁକାବିଲା ହୋଇନଥିଲା,ଏହି କାର୍ଯ୍ୟାନୁଷ୍ଠାନ ସ୍ପଷ୍ଟ ଭାବରେ ଏହି ଅଞ୍ଚଳର ଅସ୍ଥିରତାକୁ ଦର୍ଶାଇଛି।

ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ସୈନ୍ୟ ଫିଲିପାଇନ୍ସ ଗ୍ରାଣ୍ଡ କାରାଭାନ୍ ବିମାନ ଆଡ଼କୁ ତିନୋଟି ଫ୍ଲେୟାର ମାଡ଼ କରିଥିଲେ। ଏହି ଘଟଣା ଚୀନ୍-ଅଧିକୃତ ସୁବି ରିଫ୍ ଦ୍ୱୀପ ନିକଟରେ ଘଟିଥିଲା। ଫିଲିପାଇନ୍ସ ତଟରକ୍ଷୀ ବାହିନୀ ଘଟଣା ସମ୍ପର୍କରେ କହିଛି, ବିମାନଟି ତାର ପାଟ୍ରୋଲିଂ ଜାରି ରଖିଛି ଏବଂ କୌଣସି ବଡ଼ ସମସ୍ୟାର ସମ୍ମୁଖୀନ ହୋଇନାହିଁ। ଯଦିଓ ଏହା ସ୍ପଷ୍ଟ ହୋଇପାରିନି ଯେ, ଫ୍ଲେୟାର ବିମାନର କେତେ ଦୂରରେ ପଡିଥିଲା। ଏପରି କାର୍ଯ୍ୟ ଚୀନର ଦୀର୍ଘକାଳୀନ ରଣନୀତିର ଅଂଶ ହୋଇ ରହିଛି।

ଉଲ୍ଲେଖନୀୟ ଯେ, ଚୀନ୍ ସୈନ୍ୟମାନେ ପୂର୍ବରୁ ମଧ୍ୟ ନିଜ ଅଧିକୃତ ଦ୍ୱୀପପୁଞ୍ଜ ଏବଂ ବିମାନରୁ ଫ୍ଲେୟାର ମାଡ଼ କରି ଅନ୍ୟ ଦେଶର ବିମାନଗୁଡ଼ିକୁ ସେହି ଅଞ୍ଚଳରୁ ଦୂରେଇ ରହିବାକୁ ଚେତାବନୀ ଦେଉଥିଲେ। ଏହି ଘଟଣା ସମ୍ପର୍କରେ ଫିଲିପାଇନ୍ସ ତଟରକ୍ଷୀ ବାହିନୀ କହିଛି ପାଟ୍ରୋଲିଂ ବିମାନ ଉପରେ ଉଡାଣ ସମୟରେ ଆକ୍ରମଣ କରାଯାଇଥିଲା। ଏହି ପାଟ୍ରୋଲିଂ ବିମାନ ଉଡ଼ାଣର ଉଦ୍ଦେଶ୍ୟ ହେଉଛି ସାମୁଦ୍ରିକ ପରିବେଶ ଉପରେ ନଜର ରଖିବା, ମତ୍ସ୍ୟ ସମ୍ପଦର ସ୍ଥିତି ମୂଲ୍ୟାଙ୍କନ କରିବା ଏବଂ ପଶ୍ଚିମ ଫିଲିପାଇନ୍ସ ସାଗରରେ ଆମର ମତ୍ସ୍ୟଜୀବୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା। ବିମାନ ଆଡ଼କୁ ନିକ୍ଷେପ କରାଯାଇଥିବା ତିନୋଟି ଫ୍ଲେୟାରର ଭିଡିଓ ଫୁଟେଜ୍ ରେକର୍ଡ କରିଛୁ।’