ନୂଆଦିଲ୍ଲୀ,୩୧/୦୫: ଚୀନ୍ ତାର ଦୂରଦୁରାନ୍ତ ମରୁ ଅଞ୍ଚଳରେ ଏକ ବିଶାଳ ସୈନ୍ୟ ପରିସର ଦ୍ରୁତଗତିରେ ନିର୍ମାଣ କରୁଛି । ଯଦି ଚୀନ୍ର କୌଣସି ପରମାଣୁ କେନ୍ଦ୍ର ଉପରେ ଆମେରିକା କିମ୍ବା ଅନ୍ୟ କୌଣସି ଦେଶ ଆକ୍ରମଣ କରନ୍ତି ତେବେ ଏହା ପାଖରେ ଜବାବୀ ହମ୍ଲା ପାଇଁ ପୂର୍ଣ୍ଣ କ୍ଷମତା ରହିପାରିବ । ଉପଗ୍ରହ ଚିତ୍ରରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ସେଥିରେ ଦେଖାଯାଇଛି କି ଚୀନ୍ ଏହାର ସର୍ବାଧିକ ଦୂରଗାମୀ ମିସାଇଲ୍ ମୁତୟନ ଥିବା ସିନଜିଆଙ୍ଗ ପ୍ରଦେଶର ପୂର୍ବରେ ଥିବା ସାଇଲୋ ନିକଟରେ ଶତାଧିକ ଲଞ୍ଚପ୍ୟାଡ, ବଙ୍କର ଓ କମ୍ୟୁନିକେସନ ନେଟୱର୍କ ନିର୍ମାଣ କରୁଛି । ଚୀନ୍ର ପରମାଣୁ ଶକ୍ତିକୁ ଆହୁରି ବଳ ଦେବା ପାଇଁ ଏହି ନିର୍ମାଣ ଏକ ବଡ ପଦକ୍ଷେପ ।

ସମ୍ଭାବ୍ୟ ଆକ୍ରମଣ ପାଇଁ ପ୍ରସ୍ତୁତି କରିଛି ଡ୍ରାଗନ୍ । ଚୀନ୍ ପୂର୍ବରୁ ଏଭଳି ମିସାଇଲ ପ୍ରସ୍ତୁତ କରିସାରିଛି ଯାହା ଆମେରିକାର ଯେକୌଣସି ସହରକୁ ଟାର୍ଗେଟ୍ କରିପାରିବ । ସେହିସବୁ ମିସାଇଲକୁ ଆହୁରି ସୁରକ୍ଷିତ ତଥା ପ୍ରଭାବୀ କିରବା ଉଦ୍ଦେଶ୍ୟରେ ଏଭଳି ସାମରିକ ଭିତ୍ତିଭୂମି ନିର୍ମାଣ କରାଯାଉଛି । ସାଇଲୋ ଅଞ୍ଚଳରେ ଅଷ୍ଟକୋଣ ଆକାର ବିଶାଳ ସୈନ୍ୟ ପରିସର ନିର୍ମାଣ ଦ୍ରୁତଗତିରେ ଚାଲିଛି । ସେଥିରେ ଗୋଟିଏ ଉତ୍ତର ଅଷ୍ଟକୋଣ ଓ ଅନ୍ୟଟି ଦକ୍ଷିଣ ଅଷ୍ଟକୋଣ ରହିଛି । ଏହାର ଚାରିକଡରେ ଶତାଧିକ ଲଞ୍ଚପ୍ୟାଡ୍ ନିର୍ମାଣ କରାଯାଉଛି । ବିଶେଷଜ୍ଞଙ୍କ ଅନୁସାରେ ଏହି ଲଞ୍ଚପ୍ୟାଡ୍ ମୋବାଇଲ୍ ମିସାଇଲ୍ ଲଞ୍ଚର, ଏୟାର ଡିଫେନ୍ସ ସିଷ୍ଟମ, ଇଲେକ୍ଟ୍ରୋନିକ ୱାରଫେୟାର ଉପକରଣ ଏବଂ ସାଟେଲାଇଟ୍ କମ୍ୟୁନିକେସନ ନିମନ୍ତେ ବ୍ୟବହାର କରାଯାଇପାରିବ । ଏହି ଅଷ୍ଟକୋଣ ସଂରଚନାରେ ସୈନିକଙ୍କ ପାଇଁ ରହିବାର ବ୍ୟବସ୍ଥା, ବଡ଼ ଯାନବାହାନ ସୁରକ୍ଷିତ ରଖିବାକୁ ଘର, ଅସ୍ତ୍ରଶସ୍ତ୍ର ଭଣ୍ଡାର ଓ କମାଣ୍ଡ ସେଣ୍ଟର ରହିବ । ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି କି ଏହି ସୈନ୍ୟ ପରିସରକୁ ଲାଗି ସଡ଼କ, ରେଳପଥ, ବିମାନ ଘାଟି ଇନ୍ଧନ ଭଣ୍ଡାର ବ୍ୟବସ୍ଥା ନିର୍ମାଣ କରାଯାଉଛି । କିଛି ମାସହେବ ଏହି ଅଞ୍ଚଳରେ ସାମରିକ ଗତିବିଧି ବଢିଛି ।

 

ଏହା ବି ପଢନ୍ତୁ...ସବୁକିଛି ଠିକ୍ ଅଛି, କିନ୍ତୁ ଟ୍ରମ୍ପଙ୍କ ହେଲଥ୍ ରିପୋର୍ଟରେ ବାହାରିଲା ଏଭଳି: ଡାକ୍ତର କହିଲେ ତୁରନ୍ତ ଓଜନ ହ୍ରାସ କରିବା ଉଚିତ  

ଚୀନ ପରମାଣୁ ନୀତି ହେଉଛି ନୋ ଫାର୍ଷ୍ଟ ୟୁଜ ଅର୍ଥାତ ପ୍ରଥମେ ବ୍ୟବହାର କରିବ ନାହିଁ । କିନ୍ତୁ ଆକ୍ରମଣ ହେଲେ ତାର ଜବାବ ଦେବ । ଏହି କ୍ଷମତାକୁ ଆହୁରି ମଜଭୁତ କରିବା ଲାଗି ଚୀନ୍ ଉକ୍ତ ନେଟୱର୍କ ବନାଉଛି । ଯଦି ଆମେରିକା କିମ୍ବା ଅନ୍ୟ କୌଣସି ଦେଶ ଚୀନ୍ର ଉକ୍ତ ସାଇଲୋ କେନ୍ଦ୍ରକୁ ନଷ୍ଟ କରିବାକୁ ଉଦ୍ୟମ କରନ୍ତି ତେବେ ଚୀନ୍ ମୋବାଇଲ ଲଞ୍ଚର ଓ ବଙ୍କର ସହାୟତାରେ ଜବାବୀ ଆକ୍ରମଣ କରିବ । ତାଇୱାନକୁ ନେଇ ଚୀନ୍ ଓ ଆମେରିକା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଚୀନ୍ର ବିଶ୍ୱାସ ଯେ ତାଇୱାନ ପ୍ରସଙ୍ଗରେ ଆମେରିକା ହସ୍ତକ୍ଷେପ କରିପାରେ । ଏହି କାରଣରୁ ଚୀନ୍ ନିଜର ପରମାଣୁ କ୍ଷମତାକୁ ବଢ଼ାଇବାରେ ଲାଗିଛି । ୨୦୩୦ ସୁଦ୍ଧା ଚୀନ୍ ୧୦୦୦ ଅଣୁଅସ୍ତ୍ର ପ୍ରସ୍ତୁତ କରିପାରେ ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି । ଚୀନ୍ର ବୃଦ୍ଧି ପାଉଥିବା ପରମାଣୁ କ୍ଷମତା ଭାରତ ପାଇଁ ମଧ୍ୟ ଚିନ୍ତାର ବିଷୟ । କାରଣ ଉଭୟ ଦେଶ ପରସ୍ପର ସୀମାକୁ ଲାଗିଛନ୍ତି ଏବଂ ଦୁଇଦେଶ ମଧ୍ୟରେ ବିବାଦ ଲାଗି ରହିଛି ।