ନୂଆଦିଲ୍ଲୀ, ୦୧/୦୬: ଏକ ବହୁ ଶକ୍ତିଶାଳୀ ଟେଲିସ୍କୋପ୍ ନିର୍ମାଣରେ ଲାଗିଛି ଚୀନ୍ । ଏହାର ନାମ ରହିଛି ଏମ୍‌ୟୁଏସ୍‌ଟି ବା ମଲ୍ଟିପ୍ଲେକ୍ସଡ୍ ସର୍ଭେ ଟେଲିସ୍କୋପ୍(ମଷ୍ଟ) । କିଙ୍ଗଘଇ ପ୍ରାନ୍ତରେ ପ୍ରାୟ ୪,୩୮୦ ମିଟର ଉଚ୍ଚତାରେ ଏହାକୁ ବନାଯାଉଛି । ଏହି ଟେଲିସ୍କୋପ୍ ବନାଇବା ପଛରେ ଚୀନ୍‌ର ବଡ଼ ମହାକାଶୀୟ ମହତ୍ତ୍ୱାକାଂକ୍ଷା ରହିଛି । ଏହା କୌଣସି ସାଧାରଣ ଟେଲିସ୍କୋପ୍ ନୁହେଁ । ଏଥିରେ ୨୦ ହଜାରରୁ ଅଧିକ ରୋବୋଟିକ୍ ଫାଇବର ଲାଗିବ । ଏହି ଫାଇବର ଏକସଙ୍ଗରେ ଅଲଗା ଅଲଗା ଗ୍ୟାଲେକ୍ସି ଉପରେ ଫୋକସ୍ କରିପାରିବ । ସିଙ୍ଗ୍ହୁଆ ୟୁନିଭର୍ସିଟି ଏହି ପ୍ରୋଜେକ୍ଟର ନେତୃତ୍ୱ ନେଉଛି ।

ଅଦ୍ୟାବଧି ଆମକୁ ବ୍ରହ୍ମାଣ୍ଡ ବା ୟୁନିଭର୍ସର କେବଳ ଫଟୋ ହିଁ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ବୈଜ୍ଞାନିକମାନେ ପ୍ରତ୍ୟେକ ଗ୍ୟାଲେକ୍ସିକୁ ଭିତରୁ ବେଶ୍ ଗଭୀରତାର ସହ ଅଧ୍ୟୟନ କରିବାକୁ ଚାହୁଁଛନ୍ତି । ମଷ୍ଟ ଟେଲିସ୍କୋପ ଏ ଦିଗରେ ବୈଜ୍ଞାନିକଙ୍କୁ ବେଶ୍ ସହାୟକ ହେବ । ଆଗାମୀ ଦିନରେ ଏହି ଟେଲିସ୍କୋପ୍ ମହାକାଶ ବିଜ୍ଞାନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେବ । ଏହାଦ୍ୱାରା ଡାର୍କ ଏନର୍ଜୀ ଭଳି ଅବୁଝା ହୋଇ ରହିଥିବା ପ୍ରଶ୍ନଗୁଡ଼ିକର ଜବାବ ସହଜରେ ମିଳିପାରିବ ବୋଲି ଆଶା କରାଯାଉଛି ।

​​​​​​​

ମଷ୍ଟ ଟେଲିସ୍କୋପ୍ ପ୍ରସ୍ତୁତି ମହାକାଶ ବିଜ୍ଞାନ ପାଇଁ ବେଶ୍ ଜରୁରି । ଏହାକୁ ବ୍ୟବହାର କରି ବୈଜ୍ଞାନିକମାନେ ଖୁବ୍‌ଶୀଘ୍ର ୩୦ ଅରବରୁ ଅଧିକ ଗ୍ୟାଲେକ୍ସିର କାଟାଲଗ୍ ବନାଇବାକୁ ଯାଉଛନ୍ତି । ୟୁକ୍ଲିଡ୍ ଏବଂ ଭେରା ରୁବିନ ଭଳି ଟେଲିସ୍କୋପ୍ ଏହି କାମ କରୁଛନ୍ତି । କିନ୍ତୁ କେବଳ ଫଟୋ ଯଥେଷ୍ଟ ହେଉନି । ଗ୍ୟାଲେକ୍ସିର ରେଡ୍‌ଶିଫ୍ଟ ଏବଂ କେମିଷ୍ଟ୍ରି ବି ବୁଝିବା ବେଶ୍ ଜରୁରି । ପ୍ରତ୍ୟେକ ଗ୍ୟାଲେକ୍ସିର ଲାଇଟ୍ ସ୍ପେକ୍ଟ୍ରମ୍ ମାପିବାରେ ବେଶ୍ ସମୟ ଲାଗିଥାଏ । ଆମେରିକାର ଡିଇଏସ୍‌ଆଇ ଟେଲିସ୍କୋପ୍ ଏହି କାମ କରୁଛି । ଏହା ଏକ ସଙ୍ଗରେ ୫,୦୦୦ ଅବ୍‌ଜେକ୍ଟର ସ୍ପେକ୍ଟ୍ରମ୍ ଉତ୍ତୋଳିତ କରିପାରେ । କିନ୍ତୁ ଅରବ ଅରବ ଗ୍ୟାଲେକ୍ସି ଆଗରେ ଏହାର କ୍ଷମତା ବହୁତ କମ୍ । ତେଣୁ ମଷ୍ଟ ଭଳି ଅତ୍ୟାଧୁନିକ ସିଷ୍ଟମର ଆବଶ୍ୟକତା ରହିଛି । ମଷ୍ଟ ଟେଲିସ୍କୋପ୍‌ର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହାର ୨୦ ହଜାର ରୋବୋଟିକ୍ ଫାଇବର ପୋଜିସନର ରହିଛି । ପ୍ରତ୍ୟେକ ଫାଇବର ଏକ ସ୍ୱତନ୍ତ୍ର ହାତ ଭଳି କାମ କରେ । ଏହା କିଛି ସେକେଣ୍ଡରେ ଏକ ନୂଆ ଗ୍ୟାଲେକ୍ସି ଉପରେ ଲକ୍ ହୋଇପାରିବ । ଡିଇଏସ୍‌ଆଇ ଟେଲିସ୍କୋପ୍‌ଠାରୁ ଏହା ୪ ଗୁଣା ଶକ୍ତିଶାଳୀ ।ମଷ୍ଟ ଟେଲିସ୍କୋପ୍ ଏକାଥରକେ ମହାକାଶର ବଡ଼ ଭାଗକୁ କଭର କରିପାରିବ । ଏହାର ପ୍ରାଇମେରି ମିରର ୬.୫ ମିଟର ଚଉଡ଼ା । ଏଥିରେ ଦୁନିଆର ସବୁଠୁ ବଡ଼ ଏସ୍‌ଫେରିକ୍ ଲେନ୍ସ ଲଗାଯାଇଛି । ଏହା ବେଶ୍ ସ୍ପଷ୍ଟ ଫଟୋ ଉତ୍ତୋଳନ କରିପାରିବ । ୨୦୩୦ ପ୍ରାରମ୍ଭରେ ଏହି ପ୍ରୋଜେକ୍ଟ ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି ।

 

ମଷ୍ଟ ଟେଲିସ୍କୋପ୍ ଲଗାତର ୮ ବର୍ଷ ପର୍ଯ୍ୟନ୍ତ ସର୍ଭେ କରିବ । ଏହି ସମୟରେ ଏହା ୧୦୦ ନିୟୁତରୁ ଅଧିକ ଗ୍ୟାଲେକ୍ସିର ରେଡ୍‌ଶିଫ୍ଟ ମାପିବ । ଏହା ଜରିଆରେ ବୈଜ୍ଞାନିକମାନେ ବିସ୍ତୃତ ଭାବେ ସବୁଠୁ ବଡ଼ ୩ଡି ନକ୍ସା ପ୍ରସ୍ତୁତ କରିପାରିବେ । ଏହି ନକ୍ସା ଅନେକ ଗମ୍ଭୀର ପ୍ରଶ୍ନର ଉତ୍ତର ଦେଇପାରିବ । ଏଥିରୁ ଡାର୍କ ଏନର୍ଜୀର ପ୍ରକୃତ ସତ ଜଣାପଡ଼ିବ । ବିଗ୍ ବ୍ୟାଙ୍ଗ୍ ପୂର୍ବରୁ ବ୍ରହ୍ମାଣ୍ଡ କିପରି ଥିଲା ତାହାର ଜବାବ ମଧ୍ୟ ଏହା ଜରିଆରେ ଖୋଜାଯାଇପାରିବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି ।

ଆହୁରି ପଢ଼ନ୍ତୁ...ଭୋକ ଏବଂ ହିଂସାର ଛାଇତଳେ ଲକ୍ଷ ଲକ୍ଷ ଶିଶୁ; ଶିଶୁ ସୁରକ୍ଷା ଦିବସ ପୂର୍ବରୁ ସାମ୍ନାକୁ ଆସିଛି ବୈଶ୍ବିକ ସଙ୍କଟର ଭୟଙ୍କର ଚିତ୍ର