ବେଜିଂ, ୧୩/୭: ଚୀନ୍ ଏବଂ ଆମେରିକା ମଧ୍ୟରେ ସାମରିକ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି । ଏହା ଭିତରେ ଚୀନ୍ ପାଦେ ଆଗକୁ ଯାଇ ଆମେରିକାକୁ ଟକ୍କର ଦେବା ଲକ୍ଷ୍ୟରେ ଚକିତ କଲା ଭଳି ପଦକ୍ଷେପ ନେଇଛି । କ୍ଷେପଣାସ୍ତ୍ର ଟାର୍ଗେଟ ଅଭ୍ୟାସ ପାଇଁ ଚୀନ୍ ଆମେରିକୀୟ ଯୁଦ୍ଧ ଜାହାଜର ସମ୍ପୂର୍ଣ୍ଣ ତଥା ଅବିକଳ ନକଲ ଯୁଦ୍ଧପୋତ ବନାଇଛି । ନୂଆ ସାଟେଲାଇଟ ଚିତ୍ରରୁ ଜଣାପଡ଼ିଛି, ଚୀନ୍ ସିନ୍ଜିଆଙ୍ଗର ଏକ ଦୁର୍ଗମ ମରୁଭୂମିରେ ଥିବା ରୁଓକିଆଙ୍ଗ୍ ଟେଷ୍ଟ ରେଞ୍ଜରେ ଆମେରିକାର ‘ଅର୍ଲେ ବର୍କ-କ୍ଲାସ୍’ ଡେଷ୍ଟ୍ରୟରର ଏକ ପ୍ରତିକୃତି ନିର୍ମାଣ କରିଛି ।
ରିପୋର୍ଟ ଅନୁସାରେ, ଆମେରିକାର କେତେକ ସମ୍ଭାବ୍ୟ ଯୁଦ୍ଧଜାହାଜର ନକଲ ବନାଇ ତାହାକୁ ସଫଳତାର ସହ ଟାର୍ଗେଟ କରିବା ଲାଗି ଚୀନ୍ ପରୀକ୍ଷଣ ଚଲାଇଛି । ଚୀନ୍ ଏହି ନକଲି ଆମେରିକୀୟ ଯୁଦ୍ଧଜାହାଜର ବ୍ୟବହାର ନିଜ ଆଣ୍ଟି-ଶିପ୍ ବାଲିଷ୍ଟିକ ମିସାଇଲକୁ ଟାର୍ଗେଟ କରି ନିଜ ସାମରିକ କ୍ଷମତା ପରଖିବ । ଏଥିପାଇଁ ଚୀନ୍ ଏହାର ସୈନ୍ୟଙ୍କୁ ସ୍ୱତନ୍ତ୍ର ତାଲିମ ଦେଉଛି । ଏହି ଚିତ୍ରରୁ ୬ ମିଟର ଚଉଡ଼ାର ଏକ ରେଳ ବ୍ୟବସ୍ଥା ମଧ୍ୟ ଦେଖିବାକୁ ମିଳିଛି, ଯେଉଁଠି ଜାହାଜ ଆକାରର ଏକ ଟାର୍ଗେଟ ବା ଲକ୍ଷ୍ୟସ୍ଥଳ ବନାଯାଇଛି । ଏହା ଏକ ଚାଲୁଥିବା ସାମୁଦ୍ରିକ ଜାହାଜ ଭଳି କାର୍ଯ୍ୟ କରିପାରେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।
ଆହୁରି ପଢନ୍ତୁ ;- ଇରାନର ଆଗାମୀ ଟାର୍ଗେଟ କିଏ ? ହିଟ୍ ଲିଷ୍ଟରେ ଏହି ସବୁ ନେତା, ଖବର କାଗଜରେ ଜାରି ହେଲା ତାଲିକା…
ୟୁଏସ୍ ନାଭାଲ ଇନ୍ଷ୍ଟିଚ୍ୟୁଟ ଅନୁସାରେ, ଏହି କମ୍ପେ୍ଲକ୍ସକୁ ବାଲିଷ୍ଟିକ ମିସାଇଲ ପରୀକ୍ଷଣ ପାଇଁ ବ୍ୟବହାର କରାଯାଉଛି । ଏହି ରେଳ ସିଷ୍ଟମ ଉପରେ ଜାହାଜ ଆକାରର ଏକ ଢାଞ୍ଚା କରାଯାଇଛି । ଏହାର ଅର୍ଥ ଚୀନ୍ ଦୀର୍ଘ ଯୋଜନା କରି ନିଜ ମିସାଇଲ ଟେକ୍ନୋଲୋଜି ଜରିଆରେ ଚଳନ୍ତା ଆମେରିକୀୟ ଜାହାଜକୁ ବି ସଫଳ ଟାର୍ଗେଟ କରିବାକୁ ଅଭ୍ୟାସ ଚଲାଇଛି । ଏହାଦ୍ୱାରା ଚୀନ୍ ନିଜର ଜାହାଜ ବିରୋଧୀ କ୍ଷେପଣାସ୍ତ୍ର କ୍ଷମତାକୁ ମଜଭୁତ କରୁଛି । ଅର୍ଲେ ବର୍କ-କ୍ଲାସ୍ ଗାଇଡେଡ୍ ମିସାଇଲ ଡେଷ୍ଟ୍ରୟର ହେଉଛି ଆମେରିକା ନୌସେନାର ଏକ ପ୍ରମୁଖ ହତିଆର । ଏହା ବିମାନବାହୀ ଜାହାଜ ପାଇଁ ଏସକର୍ଟ ଭାବେ କାମ କରେ ଏବଂ ବାୟୁ ପ୍ରତିରକ୍ଷା ପ୍ଲାଟଫର୍ମ ଭାବେ ମଧ୍ୟ ବ୍ୟବହାର ହୋଇଥାଏ । ଆମେରିକାର ୭ମ ଫ୍ଲିଟ୍ ଅଧୀନରେ ଜାପାନରେ ଥିବା ଡେଷ୍ଟ୍ରୟର ସ୍କ୍ୱାଡ୍ରନ୍ ୧୫ରେ ଏଭଳି ୧୦ଟି ଡେଷ୍ଟ୍ରୟର ରହିଛି । ଯଦି ଚୀନ୍ ଏପରି ପରୀକ୍ଷଣରେ ସଫଳତା ପାଏ ତେବେ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଥିବା ଆମେରିକୀୟ ଜାହାଜ ଅଧିକ ବିପଦର ସମ୍ମୁଖୀନ ହୋଇପାରନ୍ତି ।