ନୂଆଦିଲ୍ଲୀ, ୮।୯: ମହାକାଶଚାରୀମାନଙ୍କୁ ମହାକାଶରେ ଅନେକ ଜିନିଷ ସହିତ ଅଭ୍ୟସ୍ତ ହେବାକୁ ପଡ଼ିଥାଏ । ସେଠାରେ ସମସ୍ତ ପ୍ରକାର ସୁବିଧା ନଥିବାରୁ ମହାକାଶଚାରୀମାନେ ସ୍ବଳ୍ପ ଜିନିଷରେ କାମ ଚଳେଇନିଅନ୍ତି । ଆଷ୍ଟ୍ରୋନଟ୍ସମାନେ ନିଜ ମଇଳା ପୋଷାକ ଧୋଇ ପାରିନ୍ତି ନାହିଁ । କିନ୍ତୁ, ଚୀନ୍ ବୈଜ୍ଞାନିକମାନେ ଏବେ ଏହି ସମସ୍ୟାର ସମାଧାନ ଆଣିଛନ୍ତି । ବୈଜ୍ଞାନିକମାନେ କହିଛନ୍ତି ଯେ, ସେମାନେ ଏକ ଛୋଟ ଡିଟରଜେଣ୍ଟ-ମୁକ୍ତ ୱାଶିଂ ମେସିନ୍ ଆବିଷ୍କାର କରିଛନ୍ତି । ଯାହା ପାଣି ବ୍ୟବହାର ନକରି କୁହୁଡ଼ି ଏବଂ ଓଜୋନ୍ ସହିତ ପୋଷାକ ସଫା କରେ ।ଏବେ ବିନା ପାଣି, ବିନା ଡିଟରଜେଣ୍ଟରେ ମହାକାଶରେ ନିଜ ପୋଷାକ ଧୋଇବେ ମହାକାଶଚାରୀ ।
୧୨ କିଲୋଗ୍ରାମ ଓଜନର ୱାଶିଂ ମେସିନ୍:
ଚାଇନା ଆଷ୍ଟ୍ରୋନଟ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ ସେଣ୍ଟର (CARTC)ର ଟିମ୍ଙ୍କ କହିବାନୁଯାୟୀ, ଏହି ୱାଶିଂ ମେସିନ୍ ଏକ କ୍ୟାରି-ଅନ୍ ସୁଟକେସ୍ଠାରୁ ଟିକେ ବଡ଼ । ଏହାର ଓଜନ ପ୍ରାୟ ୧୨ କିଲୋଗ୍ରାମ । ଏହି ମେସିନ୍ ପ୍ରତ୍ୟେକ ୱାସ୍ରେ ୮୦୦ ଗ୍ରାମ ପର୍ଯ୍ୟନ୍ତ ପୋଷାକ ସଫା କରିବା ପାଇଁ କେବଳ ୪୦୦ ମିଲିଲିଟର ପାଣି ବ୍ୟବହାର କରେ । ତେବେ କହିରଖଛୁ କି, ଏହି ପାଣି ତରଳ ରୂପରେ ରହିବ ନାହିଁ । ଡିଟରଜେଣ୍ଟ ପରିବର୍ତ୍ତେ, ଏହି ମେସିନ୍ ଓଜୋନ୍ ସୃଷ୍ଟି କରିବା ପାଇଁ ଅଲ୍ଟ୍ରାଭାୟୋଲେଟ୍ ରଶ୍ମି ବ୍ୟବହାର କରେ, ଯାହା ଏକ ଶକ୍ତିଶାଳୀ ଜୀବାଣୁନାଶକ । ଏହା ୫ ଥର ପର୍ଯ୍ୟନ୍ତ ପୋଷାକ ପିନ୍ଧିବା ପରେ ମଧ୍ୟ ଜୀବାଣୁକୁ ଦୂରରେ ରଖେ ।