ନୂଆଦିଲ୍ଲୀ, ୦୪/୦୭ : କୁଆଡ଼େ ଗଲେ ଚୀନ ରାଷ୍ଟ୍ରପତି ? ଦୁଇ ସପ୍ତାହ ହେଲା ଗାଏବ ସି. ଜିନପିଙ୍ଗ। ଦେଖା ଯାଉନାହାଁନ୍ତି ବିଶ୍ଵସ୍ତ। ଆରମ୍ଭ ହେଲାଣି ଜିନପିଙ୍ଗଙ୍କ ବିକଳ୍ପଙ୍କ ଚର୍ଚ୍ଚା। କଣ ଚୀନରେ ଅନ୍ତ ହେବାକୁ ଯାଉଛି କି ଜିନପିଙ୍ଗଙ୍କ ଶାସନ ? କ୍ଷମତା ଛଡେଇ ନେବାକୁ ଚାଲିଛି କି ଷଡ଼ଯନ୍ତ୍ର ? ଚୀନ ସରକାରଙ୍କ ମୁଖପାତ୍ର ପିପୁଲ୍ସ ଡେଲିରେ ବି ନାହିଁ ତାଙ୍କ ଖବର। ବରିଷ୍ଠ ନେତାଙ୍କୁ ଚୁପ୍ଚାପ୍ ଗାଦିଚ୍ୟୁତ କରିବାରେ ଚୀନର ରହିଛି ପୁରୁଣା ରେକର୍ଡ। ସି. ଜିନପିଙ୍ଗଙ୍କ ବିରୋଧରେ ହେଉନି ତ ବଡ଼ ଷଡ଼ଜନ୍ତ୍ର।
ଜୁନ୍ରେ ସି. ଜିନପିଙ୍ଗ ବେଲାରୁଷର ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାଶେନକୋଙ୍କ ସହ ସାକ୍ଷାତ କରିଥିଲେ। ସେତେବେଳେ ରେଡ୍ କାର୍ପେଟ୍ର ଚମକ ଧମକ କୁଆଡ଼େ ଗାଏବ ଥିଲା। ଏହାଠୁ ବଡ଼ ଆଶ୍ଚର୍ଯ୍ୟ ଜିନପିଙ୍ଗଙ୍କ ସୁରକ୍ଷା ଅଧା ହୋଇଯାଇଥିଲା। ଏଥିରୁ ଚୀନରେ ଏକ ବଡ଼ ପରିବର୍ତ୍ତନର ଗନ୍ଧ ବାରି ହେଉଛି। ତାଙ୍କ ପିତାଙ୍କ ବିଶାଳ ସମାଧିସ୍ଥଳ ବି ଏହାର ସରକାରୀ ମାନ୍ୟତା ହରାଇ ସାରିଛି। ଖାଲି ସେତିକି ନୁହେଁ ଜିନପିଙ୍ଗଙ୍କ ସହ ଶକ୍ତିଶାଳୀ ପିପୁଲ୍ସ ଲିବରେସନ ଆର୍ମି ଜେନେରାଲ୍ ଝାଙ୍ଗ ୟୁକ୍ସିୟାଙ୍କ ଭିତରେ ତିକ୍ତତା ଖବର ବି ଆସୁଛି। ଜେନେରାଲ୍ ଝାଙ୍ଗ ହିଁ ଜିନପିଙ୍ଗଙ୍କୁ ତୃତୀୟ ଥର ପାଇଁ କ୍ଷମତାସୀନ କରିବାକୁ ସାହାଯ୍ୟ କରିଥିଲେ। ଦେଖିବାକୁ ଗଲେ ଏବେ ଚୀନର ପ୍ରକୃତ କ୍ଷମତା ଜେନେରାଲ୍ ଝାଙ୍ଗ ୟୁକ୍ସିଆଙ୍କ ହାତରେ ରହିଛି। ଝାଙ୍ଗ ଏବେ ସେଣ୍ଟ୍ରାଲ୍ ମିଲିଟାରୀ କମିଶନର ପ୍ରଥମ ଉପାଧ୍ୟକ୍ଷ। ତାଙ୍କୁ ଚୀନର ପୂର୍ବତନ ରାଷ୍ଟ୍ରପତି ହୁ ଜିତାଁଓଙ୍କ ସମର୍ଥନ ରହିଛି।
ଚୀନରେ ଶୀର୍ଷ ନେତାଙ୍କୁ ଅଣଦେଖା ପ୍ରଥମ ଥର ନୁହେଁ। କମ୍ୟୁନିଷ୍ଟ ପାର୍ଟି ପୂର୍ବରୁ ଏଭଳି ତିନି ନେତାଙ୍କ ସହ କରିସାରିଛି। ଏହି ମଧ୍ୟରେ ଚୀନରେ ଆଉ ଜଣେ ନୂଆ ଚେହେରାଙ୍କ ଚର୍ଚ୍ଚା ହେଉଛି। ଜିନପିଙ୍ଗଙ୍କ ବଦଳରେ ୱାଙ୍ଗ ୟିଙ୍କୁ ନେତୃତ୍ଵ ମିଳିପାରେ ବୋଲି ଆଲୋଚନା ହେଉଛି। ୨୦୨୨ରେ ଯେପରି ଚୀନ କ୍ଷମତା ହସ୍ତାନ୍ତର କରିଥିଲା ତାହା ସାରା ଦୁନିଆ ଦେଖିଥିଲା। ୨୦୧୩ରୁ ଶାସନ ଗାଦିରେ ଥିବା ଜିତାଁଓ ସରକାର ଚୀନର ସର୍ବେସର୍ବା ପାଲଟିଥିଲା। ହେଲେ କମ୍ୟୁନିଷ୍ଟ ପାର୍ଟି ତାଙ୍କୁ ଗାଦିଚ୍ୟୁତ କରି ସି. ଜିନପିଙ୍ଗଙ୍କୁ କ୍ଷମତାସୀନ କରିଥିଲା। ତେବେ ଚୀନ ତାର ଅନ୍ତରୀଣ ସମସ୍ୟା କେବେ ସାର୍ବଜନୀନ କରେ ନାହିଁ। ଏବେ ଜିନପିଙ୍ଗଙ୍କୁ ଯେପରି ଅଣଦେଖା କରାଯାଉଛି ଚୀନରେ ଏକ ବଡ଼ ପରିବର୍ତ୍ତନର ଆଭାଷ ହେଉଛି।