ନୂଆଦିଲ୍ଲୀ ୦୪/୦୧: ଚୀନ୍‌ରେ ଓଜନ ହ୍ରାସର ଏଭଳି ଏକ ଟ୍ରେଣ୍ଡ୍‌ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆଠୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ସମସ୍ତଙ୍କୁ ଚକିତ କରିଛି । ଏଠାରେ ମୋଟା ଲୋକଙ୍କ ପାଇଁ ପ୍ରସ୍ତୁତ ଓଜନ ହ୍ରାସ କ୍ୟାମ୍ପ୍‌କୁ ଲୋକେ ‘ଫ୍ୟାଟ୍‌ ପ୍ରିଜନ୍‌’ କହୁଛନ୍ତି । କ୍ୟାମ୍ପ୍‌ରେ ରହୁଥିବା ଲୋକଙ୍କୁ ୧ ମାସ ପର୍ଯ୍ୟନ୍ତ ବନ୍ଦୀ ଭଳି ଜୀବନ ବଞ୍ଚିବାକୁ ପଡୁଛି । ଦିନର ୧୨ ଘଣ୍ଟା କଠିନ ବ୍ୟାୟାମ ଓ ଅତି ସୀମିତ ଖାଦ୍ୟ ମିଳୁଛି । କ୍ୟାମ୍ପ୍‌ରୁ ବାହାରକୁ ଯିବା ଉପରେ ପୂର୍ଣ୍ଣ କଟକଣା ରହିଛି ।

ଏହି କ୍ୟାମ୍ପ୍‌ଗୁଡ଼ିକର ଉଦ୍ଦେଶ୍ୟ କମ୍‌ ସମୟରେ ଶୀଘ୍ର ଓଜନ ହ୍ରାସ । ତେବେ ହଠାତ୍‌ ଓ ଅସ୍ଥିର ଓଜନ ହ୍ରାସ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ଡାକ୍ତର ଓ ବିଶେଷଜ୍ଞମାନେ ଚେତାବନୀ ଦେଉଛନ୍ତି । ଏହା ସତ୍ତେ୍ୱ ପ୍ରତି ବର୍ଷ ଶତାଧିକ ଲୋକ ଏଠାରେ ଭର୍ତ୍ତି ହେଉଛନ୍ତି, କାରଣ ସେମାନଙ୍କୁ ଶୀଘ୍ର ଫଳ ଦରକାର । ଏହି ଟ୍ରେଣ୍ଡ୍‌କୁ ଆହୁରି ଚର୍ଚ୍ଚାକୁ ଆଣିଛନ୍ତି ଅଷ୍ଟ୍ରେଲୀୟ ଇନ୍‌ଫ୍ଲୁଏନ୍ସର ଏଗ୍‌ଇଟ୍ସ । ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଭିଡିଓସବୁ ଭାଇରାଲ ହେଉଛି, ଯେଉଁଥିରେ ଫ୍ୟାଟ୍‌ ପ୍ରିଜନ୍‌ ଭିତରର କଠୋର ଦିନଚର୍ଯ୍ୟା ସ୍ପଷ୍ଟ ଦେଖାଯାଉଛି । ୨୮ ବର୍ଷୀୟ ଏହି ଇନ୍‌ଫ୍ଲୁଏନ୍ସର କହିଛନ୍ତି, ସେ ଅଷ୍ଟ୍ରେଲିଆରେ ଏକ ଉଚ୍ଚ-ଦରମାଯୁକ୍ତ ଚାକିରି ଛାଡ଼ି ଦେଇଥିଲେ । କାରଣ ତାଙ୍କ ଜୀବନ ଅଟକି ଯାଇଛି ବୋଲି ସେ ଅନୁଭବ କରୁଥିଲେ । ଚୀନ୍‌ରେ ଏହି କ୍ୟାମ୍ପ୍‌ରେ ଦୁଇ ସପ୍ତାହ ବିତାଇବା ପରେ ତାଙ୍କ ଓଜନ ୪ କିଲୋ କମିଗଲା ।

କ୍ୟାମ୍ପ୍‌ରେ ସକାଳ ୭.୩୦ରେ ଆଲାର୍ମ ସହିତ ଦିନ ଆରମ୍ଭ ହୁଏ । ୮ଟାରେ ଓଜନ ମାପ, ତା’ପରେ ଏରୋବିକ୍ସ, କାର୍ଡିଓ ଓ ୱେଟ୍‌-ଲିଫ୍ଟିଙ୍ଗ୍‌ । ପ୍ରଥମ ଖାଦ୍ୟ ପ୍ରାୟ ୧୧.୧୫ରେ ମିଳେ, ଯେଉଁଥିରେ ୪ଟା ଅଣ୍ଡା, ଅଧା ଟମାଟୋ, ଅଳ୍ପ କାକୁଡ଼ି ଓ ଖଣ୍ଡେ ବ୍ରେଡ୍‌ ଥାଏ । ଏହା ପରେ କଠୋର ତାଲିମ ଓ ସ୍ପିନ୍‌ କ୍ଲାସ୍‌ । ରାତ୍ରି ଭୋଜନ ପରେ ପୁଣି ଥରେ ଓଜନ ମାପି ଶୋଇବାକୁ ଛଡ଼ାଯାଏ । ଏହି ଫିଟ୍‌ନେସ୍‌ କ୍ଲାସ୍‌ର ମୂଲ୍ୟ ପ୍ରାୟ ୧ହଜାର ଡଲାର । ରହିବା ପାଇଁ ୫ ଜଣିଆ ରୁମ୍‌ରେ ବେଡ୍‌ ମିଳେ । କ୍ୟାମ୍ପ୍‌ ଚତୁଃପାଶ୍ୱର୍ରେ ଉଚ୍ଚ ବାଡ଼, ଗେଟ୍‌ରେ ତାଲା । ଉଚ୍ଚ କ୍ୟାଲୋରିଯୁକ୍ତ ଜଳଖିଆ ଭିତରକୁ ନ ଆଣିବା ପାଇଁ କ୍ୟାମ୍ପ୍‌ରେ ଭର୍ତ୍ତି ଲୋକଙ୍କ ବ୍ୟାଗ୍‌କୁ ଭଲଭାବେ ଯାଞ୍ଚ୍‌ କରାଯାଏ । କେବଳ ବୈଧ କାରଣ ଆଧାରରେ ହିଁ ମଝିରେ କ୍ୟାମ୍ପ୍‌ ଛାଡ଼ିବାର ଅନୁମତି ମିଳେ । ସୋସିଆଲ ମିଡିଆରେ ଏହାକୁ ନେଇ ବିତର୍କ ତେଜିଛି । କିଛି ଲୋକ ଏହାକୁ ଉଚିତ୍‌ ଅନୁଶାସନ ବୋଲି କହୁଛନ୍ତି । ଆଉ କିଛି ଏହାକୁ ସ୍ୱାସ୍ଥ୍ୟ ସହିତ ବିପଦପୂର୍ଣ୍ଣ ଖେଳ ବୋଲି କହୁଛନ୍ତି । ଚୀନ୍‌ର ଏହି ‘ଫ୍ୟାଟ୍‌ ପ୍ରିଜନ୍‌’ ଏବେ ଓଜନ ହ୍ରାସର ସବୁଠୁ ବିବାଦୀୟ ଟ୍ରେଣ୍ଡ୍‌ ହୋଇଛି ।