ନୂଆଦିଲ୍ଲୀ ୨୧/୧୨: ଟେକ୍ନୋଲୋଜି ମାମଲାରେ ଚୀନ୍‌ ସବୁଠୁ ଆଗରେ । ସର୍ବଦା କିଛି ନୂଆ ଓ ଅନନ୍ୟ କରେ । ଚୀନ୍‌ବାସୀ ଏବେ ସପିଂ କିମ୍ବା କୌଣସି ଜିନିଷ କିଣିଲେ ନଗଦ କି କାର୍ଡ ଦୂରର କଥା, ଅନ୍‌ଲାଇନ୍‌ ନେଣଦେଣ ମଧ୍ୟ କରୁନାହାନ୍ତି । କେବଳ ହାତ ଦେଖାଇଲେ, କାମ ହୋଇଯାଉଛି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । 

ଚୀନ୍‌ ଏବେଠୁ ୨୦୫୦ ମସିହାରେ ବଞ୍ଚୁଛି । ଏଠାରେ ଲୋକେ ପକେଟ୍‌ରେ ଟଙ୍କା କିମ୍ବା ପର୍ସ ରଖି ଯାଉନାହାନ୍ତି । ଯଦି କାହାକୁ କିଛି କିଣିବାକୁ ପଡୁଛି, ଟଙ୍କା ବଦଳରେ କେବଳ ହାତ ଦେଖାଇ କାମ ହେଉଛି । ଚୀନ୍‌ର ଦୋକାନ, ସପିଂ ମଲ୍‌ଗୁଡ଼ିକରେ କାର୍ଡ ସ୍ୱାଇପ୍‌ କମ୍ବା କ୍ୟୁଆର କୋଡ୍‌ ବ୍ୟବହାର ପୁରୁଣା ହୋଇସାରିଛି । ଲୋକେ ମନଇଚ୍ଛା ସପିଂ କରୁଛନ୍ତି ଏବଂ ଟଙ୍କା ପୈଠ କରିବା ସମୟରେ କାଉଣ୍ଟର୍‌ରେ କେବଳ ନିଜ ହାତ ଦେଖାଉଛନ୍ତି । ଟଙ୍କା ଆପଣାଛାଏଁ ଆକାଉଣ୍ଟ୍‌ରୁ ଚାଲିଯାଉଛି । 

ଭାଇରାଲ ହେଉଥିବା ଭିଡିଓରେ ବ୍ୟକ୍ତି କହୁଛନ୍ତି, ଆପଣଙ୍କୁ ଏହି ଦୋକାନରେ କେବଳ ନିଜର ହାତ ସ୍କାନ୍‌ କରିବାକୁ ପଡ଼ିବ । ଏହା ପରେ ଆପଣଙ୍କ ବ୍ୟାଙ୍କ୍‌ର ପୂରା ବିବରଣୀ ସେମାନଙ୍କ ସିଷ୍ଟମ୍‌ରେ ଫିଡ୍‌ ହୋଇଯିବ । ତା’ପରେ ଯେବେ ବି ସେହି ଦୋକାନରେ ଆପଣ କିଣାକିଣି କରିବେ, କାର୍ଡ କିମ୍ବା କ୍ୟୁଆର କୋଡ୍‌ ବିନା କେବଳ ହାତ ସ୍କାନ୍‌ କରି ଟଙ୍କା ପୈଠ କରିପାରିବେ । ପୂରା ଦେଶରେ ଏହି ଷ୍ଟୋର୍‌ର ଯେକୌଣସି ବ୍ରାଞ୍ଚ୍‌ରେ ଏ ପ୍ରକାର ପେମେଣ୍ଟ୍‌ ହେଉଛି ।