ନୂଆଦିଲ୍ଲୀ ୧୨/୦୭: ଚିକିତ୍ସା ନାଁରେ ଲୋଭ ଓ ଅବହେଳା ଜୀବନକୁ ବିପଦରେ ପକାଇପାରେ, ଏହାର ସଦ୍ୟ ମାମଲା ଚୀନ୍ରେ ଦେଖିବାକୁ ମିଳିଛି । ଏଠାରେ ଜଣେ ୬୩ ବର୍ଷୀୟଙ୍କର ଗୋଟିଏ ଦାନ୍ତରେ ଯନ୍ତ୍ରଣା ହେଉଥିଲା । କିନ୍ତୁ ଏକ କ୍ଲିନିକ୍ ତାଙ୍କୁ ଏମିତି ଠକିଲା ଯେ ତାଙ୍କର ୧୨ ଦାନ୍ତ ଉପାଡ଼ିଦେଲା । ସେତିକି ନୁହେଁ, ଚିକିତ୍ସା ଆଳରେ ତାଙ୍କ ବ୍ୟାଙ୍କ ଖାତା ଓ ଡିଜିଟାଲ ୱାଲେଟ୍ରୁ ପ୍ରାୟ ସବୁ ଟଙ୍କା ଖାଲି କରିଦେଲା । ଚୀନ୍ର ଶାନ୍ଶି ପ୍ରାନ୍ତର ବାଓଜୀ ସହର ବାସିନ୍ଦା ୬୩ ବର୍ଷୀୟ ଏହି ବ୍ୟକ୍ତି ଦାନ୍ତ ବିନ୍ଧା ଯୋଗୁ ଦାତୁଆନୟୁଆନ କ୍ଲିନିକ୍ରେ ପହଞ୍ଚିଥିଲେ । କ୍ଲିନିକ୍ର ବଡ଼ ବଡ଼ ଦାବିଯୁକ୍ତ ବିଜ୍ଞାପନରେ ସେ ପ୍ରଭାବିତ ହୋଇଥିଲେ, ଯେଉଁଥିରେ ଲେଖାଥିଲା- ସକାଳେ ନୂଆ ଦାନ୍ତ ଲଗାନ୍ତୁ ଏବଂ ଦ୍ୱିପ୍ରହରରେ ମାଂସ ଖାଆନ୍ତୁ । ପୂରା ଦାନ୍ତ ଲଗାନ୍ତୁ, ୧୦୦ ବର୍ଷ ଯାଏ ବଞ୍ଚନ୍ତୁ ।
ବ୍ୟକ୍ତିଙ୍କ ଅନୁସାରେ, କ୍ଲିନିକ୍ର କର୍ମଚାରୀ ତାଙ୍କୁ ଘରୁ ନେବାକୁ କାର୍ ପଠାଇଲେ ଏବଂ ମାଗଣା ଯାଞ୍ଚ ଅଫର୍ ଦେଲେ । କିନ୍ତୁ ଯାଞ୍ଚ ପରେ ଯାହା ହେଲା, ତାହା ତାଙ୍କ ପରିବାରକୁ ଦୋହଲାଇଦେଲା । କେବଳ ଗୋଟିଏ ଦାନ୍ତର ଚିକିତ୍ସା ଲାଗି ପହଞ୍ଚିଥିବା ବ୍ୟକ୍ତିଙ୍କ ପାଟିରୁ ଡାକ୍ତର ୧୨ ଦାନ୍ତ ଉପାଡ଼ିଦେଲେ । ଏହା ପରେ ସେହି ପ୍ରକ୍ରିୟାରେ ୧୦ ଦାନ୍ତ ପ୍ରତିରୋପଣ କରିଦେଲେ । ସେତିକିରେ ମାମଲା ଶେଷ ହେଲାନି । ଚିକିତ୍ସା ନାଁରେ କ୍ଲିନିକ୍ ପୀଡ଼ିତଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଡିଜିଟାଲ ୱାଲେଟ୍ରୁ ପ୍ରାୟ ୨.୨ ଲକ୍ଷ କାଢ଼ିନେଲେ । ଏହା ପରେ ବି ୭୩ ହଜାର ଟଙ୍କାର ଅତିରିକ୍ତ ବିଲ୍ ବକେୟା ବୋଲି ଦର୍ଶାଇଲେ । ତାଙ୍କ ପାଖରେ ଆଉ ୩୫୦ ଟଙ୍କା ବଳିଥିଲା । ଚଳିତ ମାସ ସ୍ୱାସ୍ଥ୍ୟ ବିଭାଗର ଯାଞ୍ଚରେ କ୍ଲିନିକ୍ ଅନେକ ମାମଲାରେ ଦୋଷୀ ପ୍ରମାଣିତ ହେଲା । ଏହା ପରେ ଅଧିକାରୀମାନେ କ୍ଲିନିକ୍କୁ ବ୍ୟକ୍ତିଙ୍କଠୁ ନେଇଥିବା ପୂରା ଦେୟ ଫେରାଇବାକୁ ଆଦେଶ ଦେଲେ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଲାଗି କ୍ଲିନିକ୍ରେ ତାଲା ପକାଇଲେ ।
ଆହୁରି ପଢ଼ନ୍ତୁ...Mosquito Bite Reasons: କିଛି ଲୋକଙ୍କୁ ଅଧିକ ମଶା କାମୁଡ଼ନ୍ତି କାହିଁକି? ମିଠା ରକ୍ତ ନୁହେଁ, ମଣିଷ ଛାଡୁଥିବା ରସାୟନ ପ୍ରତି ହୁଅନ୍ତି ଆକର୍ଷିତ