ନୂଆଦିଲ୍ଲୀ,୧୨/୦୭; ଲର୍ଡ୍ସ ଷ୍ଟାଡିୟମରେ ଘରୋଇ ଇଂଲଣ୍ଡ ଓ ଭାରତୀୟ ମହିଳା ଦଳ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟରେ ଭାରତ ଆଧିପତ୍ୟ ଜାରି ରଖି ବିଜୟ ପାଇଁ ପଥ ପ୍ରସ୍ତୁତ କରିଛି । ଦ୍ୱିତୀୟ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧ ଦଳ ମୋଟ ୨୬୯ରନ୍‌ରେ ଅଗ୍ରଣୀ ହାସଲ କରି ମ୍ୟାଚ୍କୁ ନିଜ ନିୟନ୍ତ୍ରଣରେ ରହିଛି । ଆଜି ପେସ୍ ବୋଲର କ୍ରାନ୍ତି ଗୌଡ଼ଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଇଂଲଣ୍ଡ ପ୍ରଥମ ଇନିଂସ୍ ୧୭୦ରନ୍‌ରେ ଅଲଆଉଟ୍ ହୋଇଥିଲା । ୧୧୫ରନ୍ ଆଗୁଆ ଥାଇ ଭାରତ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରି ୧ ବିନିମୟରେ ୧୫୪ ରନ୍ ସଂଗ୍ରହ କରିଛି । ଦଳ ପକ୍ଷରୁ ସ୍ମୃତି ମନ୍ଧନା ୬୯ ଓ ୟସ୍ତିକା ଭାଟିଆ ୩୯ରନ୍ କରି ଅପରାଜିତ ରହିଛନ୍ତି । ଦ୍ୱିତୀୟ ଦିବସରେ ଇଂଲଣ୍ଡ ଅସମାପ୍ତ ପ୍ରଥମ ଇନିଂସ୍ ୧/୨୧ରୁ ବ୍ୟାଟିଂ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା ମାୟା ବୌଚିର (୨୩) ଓ ହିଦର ନାଇଟ୍ (୬) ସହଳ ପାଭିଲିୟନ ଫେରିଥିଲେ ।

ପରେ ପରେ ଆଲିସ୍ କ୍ୟାପସି ୯ରନ୍ କରି ଆଉଟ୍ ହେବା ସହ ଇଂଲଣ୍ଡ ୪୭ରନ୍‌ରେ ୪ଟି ୱିକେଟ୍ ହରାଇଥିଲା । ଦ୍ୱିତୀୟ ୱିକେଟର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ନାତାଲି ସ୍କିଭରବ୍ରଣ୍ଟଙ୍କ ସହ ମିଶି ଆମି ଜୋନ୍ସ ସ୍ଥିତି ସୁଧାରିଥିଲେ । ପଞ୍ଚମ ୱିକେଟରେ ସଂଗୃହୀତ ହୋଇଥିଲା ୮୪ ରନ୍ । ଦଳୀୟ ସ୍କୋର ୧୩୧ରେ ବ୍ୟକ୍ତିଗତ ୫୨ ରନ୍ କରି ଜୋନ୍ସ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ୧୨ରନ୍ ମଧ୍ୟରେ ସ୍କିଭରବ୍ରଣ୍ଟଙ୍କ ୱିକେଟ୍ ପତନ ଘଟିଥିଲା । ସେ ୪୪ରନ୍ କରିଥିଲେ । ଏହାପରେ ମଧ୍ୟ ଓ ନିମ୍ନଭାଗ ବ୍ୟାଟରମାନେ ଭାରତୀୟ ବୋଲରଙ୍କ ସାମ୍ନା କରିପାରିନଥିଲେ । ଫଳରେ ଇଂଲଣ୍ଡ ଇନିଂସ୍ ୧୭୦ରେ ଅଟକି ଯାଇଥିଲା । ଭାରତ ପକ୍ଷରୁ କ୍ରାନ୍ତି କ୍ୟାରିୟରରେ ପ୍ରଥମ ୫ ୱିକେଟ ସଫଳତା ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାୟଲୀ ସତଘରେ, ସ୍ନେହ ରାଣା ୨ଟି ଲେଖାଏଁ ଓ ଦୀପ୍ତି ଶର୍ମା ଗୋଟିଏ ୱିକେଟ୍ ନେଇଥିଲେ । ପ୍ରଥମ ଇନିଂସ୍ ଅଗ୍ରଣୀ ଥାଇ ଭାରତ ଦ୍ୱିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଥିଲା ।

ଏହା ବି ପଢନ୍ତୁ...England vs India Result: ଭାରତକୁ ପଞ୍ଚମ ଟି-୨୦ ହରାଇ କ୍ଲିନ୍ ସୁଇପ୍ କଲା ଇଂଲଣ୍ଡ  

ସ୍ମୃତି ମନ୍ଧନା ଓ ଶେଫାଳି ବର୍ମା ଦୃଢ଼ ବ୍ୟାଟିଂ କରି ୮୮ରନ୍ ସଂଗ୍ରହ କରିଥିଲେ । ଶେଫାଳି ୭ଚୌକା ବଳରେ ୩୩ରନ୍ କରି ଆଉଟ୍ ହୋଇଥିଲେ । ମନ୍ଧନା ଅର୍ଦ୍ଧଶତକ ପୂରଣ କରିବା ସହ ୟସ୍ତିକାଙ୍କୁ ସାଥୀ କରି ସ୍କୋରକୁ ଆଗେଇ ନେଇଥିଲେ । ଉଭୟ ଷ୍ଟମ୍ପ ଘୋଷଣା ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋରକୁ ୧/୧୫୪ରନ୍‌ରେ ପହଞ୍ଚାଇ ଦେଇଥିଲେ । ଇଂଲଣ୍ଡ ପକ୍ଷରୁ ଶୋଫି ଏକ୍ଲେଷ୍ଟୋନ୍ ଗୋଟିଏ ୱିକେଟ୍ ନେଇଥିଲେ ।