ନୂଆଦିଲ୍ଲୀ: କ୍ଲିନସୁଇପ୍ ହେଲା, ସମ୍ମାନ ଗଲା । ଟିମ୍ ଇଣ୍ଡିଆର ବଡ଼ ପରାଜୟ । ଶେଷ ଟି-୨୦ରେ ୫୬ରନରେ ଭାରତକୁ ହରାଇଲା ଇଂଲଣ୍ଡ । ଭାରତ ଆଗରେ ୨୫୮ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଭାରତ ୮ ଓ୍ବିକେଟ ବିନିମୟ ୨୦୧ ରନ କରିବାରେ ସକ୍ଷମ ହୋଇଛି । ଏହି ମ୍ୟାଚ ପରାଜୟ ସହ ଟିମ୍ ଇଣ୍ଡିଆକୁ ୪-୦ରେ କ୍ଲିନ ସୁଇପ କରିଛି ଘରୋଇ ଦଳ । ଦୀର୍ଘବର୍ଷ ପରେ ଭାରତକୁ ଏଭଳି ବିପର୍ଯ୍ୟୟର ସାମ୍ନାକୁ କରିବାକୁ ପଡ଼ିଥିବାବେଳେ ସମାଲୋଚନା କରାଯାଉଛି ।

୨୫୮ ରନକୁ ପିଛା କରୁଥିବାବେଳେ ଭାରତର ଓପନର ବ୍ୟାଟ୍ସମ୍ୟାନ ଅଭିଶେକ ଶର୍ମା ମାତ୍ର ୩ ରନ କରି ଆଉଟ୍ ହୋଇଥିଲେ । ସଞ୍ଜୁ ସାମସନ ୨୭ ରନ କରିଥିଲେ । ପରେ ଇଶାନ କିଷନ ଏବଂ ଶ୍ରେୟସ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ଇଶାନ ୫୬ ରନ କରିଥିବାବେଳେ ଶ୍ରେୟସ ୨୮ ରନ କରିପାରିଥିଲେ । ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ତିଲକ ବର୍ମା ୫୩ ଏବଂ ଦୁବେ ୧୪ କରିଥିଲେ । ଅନ୍ୟମାନେ ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇନାହାନ୍ତି । ସେପଟେ ଇଂଲଣ୍ଡ ପକ୍ଷରୁ ସାମ କରାନ ୩ ଏବଂ ଆଦିଲ ରସିଦ ୨ ଓ୍ବିକେଟ ନେଇଛନ୍ତି । ଓ୍ବିଲ ଜ୍ୟାକ୍ସଙ୍କୁ ଛାଡ଼ିଲେ ବାକି ବୋଲର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ଆଜିର ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଯଦିଓ ଓପନର ବ୍ୟାଟ୍ସମ୍ୟାନ ଫିଲ୍ ସଲ୍ଟ ମାତ୍ର ୬ ରନ୍ କରି ଆଉଟ୍ ହୋଇଥିଲେ କିନ୍ତୁ ପରେ ବଟଲର ଏବଂ ହ୍ୟାରି ବ୍ରୁକ୍ ଯୋଡ଼ି ଭାରତୀୟ ବୋଲରଙ୍କୁ ପାଣି ପିଆଇଥିଲେ । ବଟଲର ୧୩୧ ରନର ପାଳି ଖେଳିଥିବାବେଳେ ବ୍ରୁକ୍ ଅପରାଜିତ ୯୫ ରନ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବଡ଼ ପାଳି ବଳରେ ଦଳ ୩ ଓ୍ବିକେଟ ବିନିମୟରେ ୨୫୭ ରନର ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଥିଲା ।

ଇଂଲଣ୍ଡର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବେଥଲ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ଓ୍ବିଲ୍ ଜ୍ୟାକ୍ସ ମାତ୍ର ୭ ରନ କରିବାରେ ସକ୍ଷମ ହୋଇଥିଲେ । ସେପଟେ ଭାରତ ପକ୍ଷରୁ ଶିଭମ ଦୁବେ ଦୁଇଟି ଏବଂ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି । ବାକି ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିବାବେଳେ ଗୋଟିଏ ମଧ୍ୟ ଓ୍ବିକେଟ୍ ନେଇନାହାନ୍ତି ।

ଏହାସହ ପଢ଼ନ୍ତୁ : ଆଉ କିଏ କହିବ ‘ଭଣ୍ଡାରା କରା ଦୋ ବାବୁଜୀ’, ଭାଇରାଲ ହେଉଛି ପୁରୁଣା ଭିଡିଓ