ପୁରୀ,୨୪/୦୭: ଆଜି  ଚିତାଲାଗି  ଅମାବାସ୍ୟା । ଏହି ତିଥିରେ ଶ୍ରୀବିଗ୍ରହଙ୍କ ରତ୍ନଚିତା  ଲାଗି ବିଧି ସମ୍ପନ୍ନ ହେବ । ପତିମହାପାତ୍ର ସେବକ ଏହାକୁ ସଂସ୍କାର କରିବା ପରେ ତିନିବାଡ଼ର ବାଡ଼ଗ୍ରାହୀ  ଓ ଦଇତାପତି ଏହି ଅଳଙ୍କାର ଶ୍ରୀଅଙ୍ଗରେ ଲାଗି  କରିବେ । ଏହି ସ୍ୱତନ୍ତ୍ର ନୀତି ସମୟରେ ସର୍ବସାଧାରଣ  ଦର୍ଶନ ବନ୍ଦ ରହିବ । ଅପରାହ୍ଣ ସାଢ଼େ ୨ଟାରୁ  ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଠାକୁରଙ୍କ ସାଧାରଣ  ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ସୂଚନା ମିଳିଛି ।

ସ୍ନାନପୂର୍ଣ୍ଣମୀରେ ଠାକୁରେ ଅଣସରକୁ ବିଜେ  ସମୟରେ ଏହି ଚିତାକୁ କଢ଼ାଯାଇଥିଲା । ଆସନ୍ତାକାଲି  ଅସଲ ରତ୍ନଚିତା ଲାଗି ହେବ । ଭୋଗମଣ୍ଡପ ନୀତି  ପରେ ଏହି ବିଶେଷ ନୀତି ସମ୍ପନ୍ନ ହେବ । ପୁଷ୍ପାଳକ  ସେବାୟତ ତିନିବାଡ଼ରେ ମଇଲମ କରିବେ ।  ଶ୍ରୀଦେବୀ ଓ ଭୂଦେବୀଙ୍କୁ ପୁଷ୍ପାଳକ ସେବକମାନେ  ରତ୍ନ ସିଂହାସନରୁ ହାତରେ ବିଜେ କରାଇ ଆଣି  ଖଟ ଶେଜରେ ବିଜେ କରିବେ । ସୁଦ୍ଧସୁଆରମାନେ ରତ୍ନସିଂହାସନ ତଳେ ସ୍ୱର୍ଣ୍ଣ ଓଷ ପ୍ରସ୍ତୁତ କରିବେ ।  ବାଡ଼ଗ୍ରାହୀମାନେ ଶୁଦ୍ଧସୁଆର ଦେଇଥିବା ଓଷ ଚିତାରେ  ଲାଗି କରାଇବେ । ପାଟରା ଦେଇଥିବା ପାଟଡୋର  ଫିତାରେ ବାନ୍ଧି ଶ୍ରୀମସ୍ତକରେ ଚିତା ଲାଗି ହେବ ।  ଏଥିରେ ଦୁର୍ମୂଲ୍ୟ ପଥର ସବୁ ସ୍ଥାପନ ପରେ ପୁଣି  ଆସନ୍ତା ବର୍ଷ ସ୍ନାନପୂର୍ଣ୍ଣମୀ ପର୍ଯ୍ୟନ୍ତ ଅକ୍ଷତ ରହିବ ।