ପୁରୀ,୨୪/୦୭: ଆଜି ଚିତାଲାଗି ଅମାବାସ୍ୟା । ଏହି ତିଥିରେ ଶ୍ରୀବିଗ୍ରହଙ୍କ ରତ୍ନଚିତା ଲାଗି ବିଧି ସମ୍ପନ୍ନ ହେବ । ପତିମହାପାତ୍ର ସେବକ ଏହାକୁ ସଂସ୍କାର କରିବା ପରେ ତିନିବାଡ଼ର ବାଡ଼ଗ୍ରାହୀ ଓ ଦଇତାପତି ଏହି ଅଳଙ୍କାର ଶ୍ରୀଅଙ୍ଗରେ ଲାଗି କରିବେ । ଏହି ସ୍ୱତନ୍ତ୍ର ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ଣ ସାଢ଼େ ୨ଟାରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଠାକୁରଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ସ୍ନାନପୂର୍ଣ୍ଣମୀରେ ଠାକୁରେ ଅଣସରକୁ ବିଜେ ସମୟରେ ଏହି ଚିତାକୁ କଢ଼ାଯାଇଥିଲା । ଆସନ୍ତାକାଲି ଅସଲ ରତ୍ନଚିତା ଲାଗି ହେବ । ଭୋଗମଣ୍ଡପ ନୀତି ପରେ ଏହି ବିଶେଷ ନୀତି ସମ୍ପନ୍ନ ହେବ । ପୁଷ୍ପାଳକ ସେବାୟତ ତିନିବାଡ଼ରେ ମଇଲମ କରିବେ । ଶ୍ରୀଦେବୀ ଓ ଭୂଦେବୀଙ୍କୁ ପୁଷ୍ପାଳକ ସେବକମାନେ ରତ୍ନ ସିଂହାସନରୁ ହାତରେ ବିଜେ କରାଇ ଆଣି ଖଟ ଶେଜରେ ବିଜେ କରିବେ । ସୁଦ୍ଧସୁଆରମାନେ ରତ୍ନସିଂହାସନ ତଳେ ସ୍ୱର୍ଣ୍ଣ ଓଷ ପ୍ରସ୍ତୁତ କରିବେ । ବାଡ଼ଗ୍ରାହୀମାନେ ଶୁଦ୍ଧସୁଆର ଦେଇଥିବା ଓଷ ଚିତାରେ ଲାଗି କରାଇବେ । ପାଟରା ଦେଇଥିବା ପାଟଡୋର ଫିତାରେ ବାନ୍ଧି ଶ୍ରୀମସ୍ତକରେ ଚିତା ଲାଗି ହେବ । ଏଥିରେ ଦୁର୍ମୂଲ୍ୟ ପଥର ସବୁ ସ୍ଥାପନ ପରେ ପୁଣି ଆସନ୍ତା ବର୍ଷ ସ୍ନାନପୂର୍ଣ୍ଣମୀ ପର୍ଯ୍ୟନ୍ତ ଅକ୍ଷତ ରହିବ ।