କଟକ,୨୮/୦୪: ଦିନ ଥିଲା ଓଡ଼ିଆ ସିନେମା ଦର୍ଶକଙ୍କ ମନ ଓ ପ୍ରାଣରେ ଘର କରି ରହିଥିଲା । ଅତୀତର ଏମିତି କିଛି ସିନେମା ଅଛି ଯାହା ଦୀର୍ଘ ଦିନ ଧରି ଦର୍ଶକମାନଙ୍କ ମନରେ ସ୍ମୃତି ହୋଇ ରହିଛି । ଏପରିକି  ୮୦ ଓ ୯୦ ଦଶକ ଓଡ଼ିଆ ଚଳଚ୍ଚିତ୍ର ଜଗତ  ପାଇଁ ଥିଲା ସ୍ୱର୍ଣ୍ଣିମ ଯୁଗ। କିନ୍ତୁ ଆଜି ସମୟ  ବଦଳି ଯାଇଛି, ଓଡ଼ିଆ ସିନେମା ପ୍ରତି ଦର୍ଶକ  ବିମୁଖ ହେଉଥିବା ବେଳେ କିଛି ବର୍ଷ ଧରି  ଓଡ଼ିଶାରେ ଫିଲ୍ମ ନିର୍ମାଣ କମିବା ସହ ହଲ୍‌  ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଏପରିକି  କଟକରେ ଥିବା ଅନେକ ହଲ୍‌ ଏବେ  ଇତିହାସ ପାଲଟି ଯାଇଥିବା ବେଳେ ଆଉ  କିଛି ଫିଲ୍ମ ହଲ୍‌ ମଲ୍‌ ଏବଂ ବାହାଘର ମଣ୍ଡପରେ ପରିଣତ ହୋଇଛି ।  ଏଥିପାଇଁ ବିଭିନ୍ନ କାରଣ ରହିଥିବା ବେଳେ  ଓଡ଼ିଆ ଫିଲ୍ମର ମାନ ଓ ମୌଳିକତାକୁ  ନେଇ ଦର୍ଶକଙ୍କ ମଧ୍ୟରେ ଅଭିଯୋଗ ହୋଇ  ଆସୁଛି । ଏପରି ସ୍ଥିତିରେ  ଓଡ଼ିଆ ସିନେମା ୮୯ ବର୍ଷରେ ପଦାର୍ପଣ  କରୁଥିବା ବେଳେ ଆଗାମୀ ଦିନରେ ଫିଲ୍ମର  ସ୍ଥିତି ଓ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି । 

୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ  ଆରମ୍ଭ ହୋଇଥିଲା ଓଡ଼ିଆ ସିନେମାର ଯାତ୍ରା ।  ପୁରୀର ଲକ୍ଷ୍ମୀ ଟକିଜ୍‌ରେ ମୁକ୍ତିଲାଭ କରିଥିଲା  ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ । ଏଣୁ  ଏହି ଦିନକୁ ଓଡ଼ିଆ ସିନେମାର ଜନ୍ମଦିନ ବୋଲି  କୁହାଯାଏ । ଏ ଭିତରେ ଅନେକ ଘାତ ପ୍ରତିଘାତ  ଦେଇ ଓଡ଼ିଆ ସିନେମା ଆଗକୁ ବଢ଼ିଥିବା  ବେଳେ ଏବେ ୯୦ ବର୍ଷରେ ପଦାର୍ପଣ କରିଛି ।  ତେବେ ପୂର୍ବରୁ ଓଡ଼ିଶାରେ ୨୦୦ରୁ ଅଧିକ  ହଲ୍‌ ଥିବା ବେଳେ ଏବେ ମାତ୍ର ୫୨ଟି ଫିଲ୍ମ  ହଲ୍‌ ରହିଛି । ବିଶେଷକରି ଓଡ଼ିଆ ସିନେମାର  ମୂଳଦୁଆ ପଡ଼ିଥିବା କଟକରେ ପୂର୍ବରୁ ୧୫ରୁ  ଅଧିକ ହଲ୍‌ ଥିବା ବେଳେ ଏବେ ମୁଖ୍ୟତଃ  ୩/୪ଟି ହଲ୍‌ରେ ଫିଲ୍ମ ଚାଲୁଛି । ଅନେକ  ପୁରୁଣା ହଲ୍‌ ମାଟିରେ ମିଶି ସାରିଥିବା ବେଳେ  ବାଦାମବାଡ଼ି ଛକରେ ଥିବା ଜୟଶ୍ରୀ ସିନେମା  ହଲ୍‌ ମଲ୍‌ରେ ପରିଣତ ହୋଇଛି । ସେହିପରି  ଲିଙ୍କ୍‌ରୋଡରେ ଥିବା ନିଶାମଣି ସିନେମା  ହଲ କନ୍‌ଭେନସନ୍‌ ହଲରେ ପରିବର୍ତ୍ତନ  ହୋଇଥିବା ବେଳେ ସମ୍ରାଟ ସିନେମା ହଲ୍‌ରେ  ଓଡ଼ିଆ ଫିଲ୍ମ ପଡୁନାହିଁ । ଏପରି ସ୍ଥିତିରେ  ଓଡ଼ିଆ ସିନେମା ଏବେ ସଙ୍କଟଜନକ ସ୍ଥିତି  ଦେଇ ଗତିକରୁଛି । ନିକଟରେ ସାମାଜିକ  ସମସ୍ୟା ଓ ଜୀବନୀକୁ ନେଇ ତିଆରି  ହୋଇଥିବା କିଛି ଓଡ଼ିଆ ସିନେମାକୁ ଦର୍ଶକ  ପସନ୍ଦ କରିଥିଲେ ମଧ୍ୟ ସେଭଳି ଫିଲ୍ମ  ଯେ ସବୁବେଳେ ନିର୍ମାଣ ହୋଇ ଦର୍ଶକଙ୍କୁ  ବାନ୍ଧି ରଖି ପାରିବ ତାହା କହିବା ମୁସ୍କିଲ୍‌ ।  

ପୁରାଣ କଥାବସ୍ତୁରୁ ଆରମ୍ଭ ହୋଇଥିବା  ଓଡ଼ିଆ ସିନେମାର ଚିତ୍ର ଓ ଚରିତ୍ର ସମୟ  ଅନୁସାରେ ବଦଳି ପାରିବାରିକ, ପ୍ରେମଭିତ୍ତିକ,  ନାରୀକୈନ୍ଦ୍ରିକ ଓ ସାମାଜିକ ସମସ୍ୟାକୁ  ନେଇ ହୋଇଛି । ୨୦୦୦ ମସିହା ପରେ  ଓଡ଼ିଆ ସିନେମାରୁ ପାରିବାରିକ କାହାଣୀର  ଯୁଗ ହଜିଯିବା ପରେ ଆରମ୍ଭ ହୋଇଥିଲା  ପ୍ରେମଭିତ୍ତିକ ସିନେମାର ଯୁଗ । ଅନେକ  ପୁରୁଣା ପ୍ରଯୋଜକ ଓ ପ୍ରଯୋଜନା ସଂସ୍ଥା ଓଡ଼ିଆ  ଫିଲ୍ମ ନିର୍ମାଣରୁ ଦୂରେଇ ରହିଥିବା ଦେଖିବାକୁ  ମିଳିଲା । ତେବେ ଡିଜିଟାଲ୍‌ ମିଡିଆ ଓ ୟୁଟ୍ୟୁବ୍‌ର  ଅତ୍ୟଧିକ ବ୍ୟବହାର ବଢ଼ିବା ଯୋଗୁଁ ସିନେମା  ଶିଳ୍ପ ପ୍ରଭାବିତ ହୋଇଥିବା ପରିଲକ୍ଷିତ  ହୋଇଛି । ଏହାର ପ୍ରଭାବ ସିଧାସଳଖ ଫିଲ୍ମ  ହଲ୍‌ ଉପରେ ପଡ଼ିବା ସହ ଫିଲ୍ମ ନ ଚାଲିବାରୁ  ଓଡ଼ିଶାରେ ଅନେକ ହଲ୍‌ ବନ୍ଦ ହେବାକୁ ବସିଛି।