ମୁମ୍ବାଇ ୦୯/୧୦: ପ୍ରାଇଭେଟ୍‌ ଚାକିରିରେ କାମ ଚାପ ପ୍ରାୟ ସମସ୍ତେ ଅନୁଭବ କରିଛନ୍ତି । କିଛି ଚାକିରିରେ ଏତେ ଚାପ ଥାଏ ଯେ ୨୪ ଘଣ୍ଟା କାମକୁ ନେଇ ସତର୍କ ରହିବାକୁ ପଡ଼େ । ଛୁଟିରେ ଗଲେ ବି କାମ କରିବାକୁ ପଡ଼େ । ପ୍ରୋଜେକ୍ଟ ଶେଷ କରିବାକୁ ଦିଆଯାଇଥିବା ଟାର୍ଗେଟ୍‌ ପୂରଣ ଲାଗି ଯିବାଆସିବା ବେଳେ, ଭ୍ରମଣ, ସପ୍ତାହାନ୍ତ ଆଦିରେ ବୈଠକ, ଅତିରିକ୍ତ କାମ କରୁଥିବା ଲୋକଙ୍କୁ ଦେଖିବାକୁ ମିଳୁଛି । ଏବେ ଲିଙ୍କ୍‌ଡଇନ୍‌ରେ ଏକ ଫଟୋ ଭାଇରାଲ ହେଉଛି, ଯାହା ଜୀବନ ଓ କାମ ମଧ୍ୟରେ ସନ୍ତୁଳନ ରକ୍ଷାକୁ ନେଇ ପୁଣି ଆଲୋଚନାକୁ ତୀବ୍ର କରିଛି ।

ଏଆଇ ଷ୍ଟାର୍ଟଅପ୍‌ ଥଟ୍‌ଲିର ସିଇଓ ଟୋରି ଲିଓନାର୍ଡ ଲିଙ୍କ୍‌ଡଇନ୍‌ରେ ଏକ ଫଟୋ ଶେୟାର କରିଛନ୍ତି । ଫଟୋରେ ସେ ଦର୍ଶାଇଛନ୍ତି, କମ୍ପାନିର ତାଙ୍କ ସାଥୀ ସହ-ପ୍ରତିଷ୍ଠାତା କେସି ମ୍ୟାକ୍ରେଲ ନିଜ ବିବାହରେ ଲାପ୍‌ଟପ୍‌ରେ କମ୍ପାନି କାମ କରୁଛନ୍ତି । କ୍ୟାପ୍‌ସନରେ ଲିଓନାର୍ଡ ପରିସ୍ଥିତିକୁ ବର୍ଣ୍ଣନା କରିଛନ୍ତି । ସେ ଲେଖିଛନ୍ତି, ନିକଟରେ ତାଙ୍କ କମ୍ପାନିକୁ ଜଣେ ନୂଆ ଗ୍ରାହକ ମିଳିଥିଲେ । ନିଜର ଏକ ପ୍ରୋଜେକ୍ଟ ଲଞ୍ଚ୍‌ ପାଇଁ ସେ କମ୍ପାନିକୁ ଦୁଇ ସପ୍ତାହର ସମୟ ଦେଇଥିଲେ । ଏହି ଅବଧିରେ ମ୍ୟାକ୍ରେଲଙ୍କ ବିବାହ ସ୍ଥିର ହେଲା । ତେଣୁ ନିଜ ବିବାହରେ ସେ ପ୍ରୋଜେକ୍ଟ କାମ ଶେଷ କରୁଛନ୍ତି ।’ ତାଙ୍କୁ ବିବାହର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଲିଓନାର୍ଡ ଲେଖିଛନ୍ତି ‘ଏବେ ଦୟାକରି କିଛି ସମୟ କାମ ବନ୍ଦ କର ।’ ଏହି ପୋଷ୍ଟ୍‌ ପରଠୁ ସୋସିଆଲ ମିଡିଆ ୟୁଜର୍‌ଙ୍କ ପ୍ରତିକ୍ରିୟାର ତାଲିକା ଲମ୍ବିଚାଲିଛି । କମେଣ୍ଟ୍‌ ବିଭାଗରେ ମ୍ୟାକ୍ରେଲ ସ୍ପଷ୍ଟ କରିଛନ୍ତି ଯେ ମାତ୍ର ୨ ସେକେଣ୍ଡ୍‌ ପରେ ସେ ବିବାହ ଉତ୍ସବକୁ ଫେରିଥିଲେ । ତଥାପି ତାଙ୍କ ଫଟୋ କାମ ଓ ଜୀବନ ମଧ୍ୟରେ ସନ୍ତୁଳନକୁ ନେଇ ସୋସିଆଲ ମିଡିଆରେ ବିତର୍କକୁ ଜୋରଦାର କରିଛି ।