ନୂଆଦିଲ୍ଲୀ ୦୫/୦୭: ନିକଟରେ ମ୍ୟାଡ୍‌ଡକ ଫିଲ୍ମସ କାର୍ଯ୍ୟାଳୟରେ ନଜର ଆସିଥିଲେ କ୍ରିତି ସାନନ । ଏହା ପରଠୁ ତାଙ୍କର ଅପ୍‌କମିଙ୍ଗ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିକଟରେ ସେ ‘ତେରେ ଇଶ୍କ ମେଁ’ର ସୁଟିଂ ଶେଷ କରିଛନ୍ତି । ଏବେ ‘କକ୍‌ଟେଲ୨’ର ସୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି । ଆସନ୍ତା ଅଗଷ୍ଟରେ ଫିଲ୍ମଟି ସୁଟିଂ ଫ୍ଲୋର୍‌କୁ ଓହ୍ଲାଇବ । ଇତିମଧ୍ୟରେ କ୍ରିତି ଏବେ ଛୋଟ ବ୍ରେକ୍‌ ନେଇଛନ୍ତି । ଫିଲ୍ମ ସହ ସଂଶ୍ଳିଷ୍ଟ ଏକ ସୂତ୍ର ଅନୁସାରେ, କ୍ରିତି ଆସନ୍ତା ଅଗଷ୍ଟରେ ‘କକ୍‌ଟେଲ-୨’ର ସୁଟିଂ ଆରମ୍ଭ ପୂର୍ବରୁ ଛୋଟ ବ୍ରେକ୍‌ ନେଇଛନ୍ତି । ହିନ୍ଦୀ ସିନେ ଇଣ୍ଡଷ୍ଟ୍ରିର ସବୁଠୁ ଡିମାଣ୍ଡିଂ ଆକ୍ଟ୍ରେସ୍‌ ହୋଇଥିବାରୁ ଗୋଟିଏ ଫିଲ୍ମର ସୁଟିଂ ସରୁ ସରୁ ତାଙ୍କୁ ଆଉ ଗୋଟିଏରେ କାମ ଆରମ୍ଭ କରିବାକୁ ପଡୁଛି ।

ନିକଟରେ ଧନୁଷଙ୍କ ସହ ଫିଲ୍ମ ‘ତେରେ ଇଶ୍କ ମେଁ’ର ସୁଟିଂ ଶେଷ କରିବା ଖବର କ୍ରିତି ନିଜ ଇନ୍‌ଷ୍ଟା ପୋଷ୍ଟ୍‌ରେ ଶେୟାର କରିଥିଲେ । ଆନନ୍ଦ ଏଲ ରାୟଙ୍କ ନିର୍ଦ୍ଦେଶିତ ଓ ହିମାଂଶୁ ଶର୍ମାଙ୍କ ଲିଖିତ ଏହି ଫିଲ୍ମ ଏକ ପ୍ରେମ କାହାଣୀ ଉପରେ ପର୍ଯ୍ୟବେସିତ । କ୍ରିତି ଏଥିରେ ମୁକ୍ତି ଭୂମିକାରେ ଅଭିନୟ କରିଛନ୍ତି । ଧନୁଷ-କ୍ରିତିଙ୍କୁ ଏକାଠି ପରଦାରେ ଦେଖିବାକୁ ଫ୍ୟାନ୍‌ ଖୁବ୍‌ ଉତ୍ସାହିତ ଅଛନ୍ତି । ‘କକ୍‌ଟେଲ-୨’ ୨୦୧୩ ମସିହା ହିଟ୍‌ ଫିଲ୍ମ ‘କକ୍‌ଟେଲ’ର ସିକ୍ୱେଲ, ଯେଉଁଥିରେ ସୈଫ୍‌ ଅଲି ଖାନ୍‌, ଦୀପିକା ପାଦୁକୋନ ଓ ଡାଏନା ପେଣ୍ଟି ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ସିକ୍ୱେଲରେ କ୍ରିତିଙ୍କ ସହିତ ଶାହିଦ କପୁର ଓ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ଅଭିନୟ କରିବେ ।