ଭୁବନେଶ୍ୱର,୨୭/୧୨: ଶୀତ ଯେତିକି ବଢ଼ୁଛି, ପ୍ରଦୂଷଣ ବିଷ ସେତିକି ମାଡ଼ି ଚାଲିଛି । ଓଡ଼ିଶାର ୭ ସହରରେ ବାୟୁର ମାନ ବିଗିଡ଼ି ଯାଇଛି । ଦେଶର ପ୍ରଦୂଷିତ ସହର ତାଲିକାରେ ଲଗାତାର ନାଁ ଯୋଡ଼ି ଚାଲିଛି ଓଡ଼ିଶାର ୭ ସହର । ଅନୁଗୁଳ, କଟକ, ବାଲେଶ୍ୱରରେ ବାୟୁର ମାନ ଅତି ଖରାପ ହୋଇଯାଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଦୀର୍ଘକାଳୀନ ପ୍ରଭାବ ପକାଇବ ।
ସେମାନେ ଚେତାବନୀ ଦେଇ କହିଛନ୍ତି, ଯଦି ତତ୍କାଳ ପଦକ୍ଷେପ ନିଆ ନ ଯିବ ତେବେ ଏହି ସମସ୍ୟା ପ୍ରତିବର୍ଷ ବଢ଼ିବ । ଗତ ୧୦ ବର୍ଷ ହେଲା ହୃଦ୍ରୋଗ ସହ ମେଦ ବହୁଳତା ଯୋଡ଼ି ହୋଇଯାଇଛି । ଏଥିରେ ଯାନବାହନ ଓ ବିମାନରୁ ନିର୍ଗତ ବିଷାକ୍ତ ତତ୍ତ୍ୱର ବଡ଼ ଭୂମିକା ରହିଛି । ଇଂଲଣ୍ଡର ଲିଭରପୁରରେ କାର୍ଯ୍ୟରତ ଫୁସ୍ଫୁସ ରୋଗ ବିଶେଷଜ୍ଞ ତଥା ଭାରତ ସରକାରଙ୍କ କୋଭିଡ-୧୯ ଆଡଭାଇଜରି କମିଟିର ପୂର୍ବତନ ସଦସ୍ୟ ମନୀଷ ଗୌତମଙ୍କ କହିବାନୁଯାୟୀ ବାୟୁ ପ୍ରଦୂଷଣ ଉପରେ ଭାରତ ସରକାର ନୂଆ ଫୋକସ୍ ଅବଶ୍ୟ କରିଛନ୍ତି । କିନ୍ତୁ ଏହା ବହୁ ବିଳମ୍ବ ହୋଇଯାଇଛି ।
ଲଣ୍ଡନର ସେଣ୍ଟ ଜର୍ଜ ବିଶ୍ୱବିଦ୍ୟାଳୟର ହୃଦ୍ରୋଗ ବିଶେଷଜ୍ଞ ରାଜୟ ନାରାୟଣଙ୍କ କହିବାନୁଯାୟୀ ଭାରତରେ ବାୟୁ ପ୍ରଦୂଷଣ ଯୋଗୁ ସୃଷ୍ଟି ହେଉଥିବା ହୃତ୍ପିଣ୍ଡ, ଶ୍ୱାସ ପ୍ରଶ୍ୱାସ, ସ୍ନାୟୁ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ପର୍ଯ୍ୟାପ୍ତ ବୈଜ୍ଞାନିକ ପ୍ରମାଣ ରହିଛି । ପ୍ରଦୂଷଣକୁ ରୋକିବ ଲାଗି ପଦକ୍ଷେପ ନେବାରେ ବିଳମ୍ବ ଯୋଗୁ ଉଭୟ ସ୍ୱାସ୍ଥ୍ୟ ଓ ଆର୍ଥିକ ବୋଝ ବଢ଼ିବ । ମୁଣ୍ଡବିନ୍ଧା, ହାଲିଆ ଲାଗିବା, ହାଲ୍କା କାଶ, ଗଳା ଦରଜ, ପାଚନ ସମସ୍ୟା, ଆଖି ଶୁଷ୍କ ହୋଇଯିବା, ଚର୍ମରେ ଲାଲ ଚିହ୍ନ ଓ କ୍ରମାଗତ ସଂକ୍ରମଣ ଭଳି ସମସ୍ୟାକୁ ଛୋଟମୋଟ କହି ସବୁବେଳେ ଲୋକମାନେ ଅଣଦେଖା କରୁଛନ୍ତି । କିନ୍ତୁ ବାସ୍ତବରେ ଏହା କୌଣସି ଗମ୍ଭୀର ରୋଗର ସଙ୍କେତ ହୋଇଥାଏ ।
ସେହିଭଳି ବର୍ମିଂହାମର ମିଡ୍ଲାଣ୍ଡ ମେଟ୍ରୋପଲିଟାନ ୟୁନିଭର୍ସିଟିର ହୃଦ୍ରୋଗ ବିଶେଷଜ୍ଞ ପ୍ରଫେସର ଡେରେକ୍ କନୋଲି କହିଛନ୍ତି ପ୍ରଦୂଷିତ ସହରରେ ବାୟୁ ଆଖିକୁ ପରିଷ୍କାର ଦେଖାଯାଉଥିଲେ ମଧ୍ୟ ସେଥିରେ ଅନେକ ଛୋଟ ଛୋଟ କଣିକା (ପିଏମ୍ ୨.୫ ପ୍ରଦୂଷଣ)ରହିଛି । ଯାହା ହୃଦ୍ରୋଗ ପ୍ରତି ବିପଦ ସୃଷ୍ଟି କରିପାରେ । ହୃଦ୍ରୋଗ ଏକ ମନ୍ଥର ପ୍ରକ୍ରିୟା, କିନ୍ତୁ ଏଥିରେ ହଠାତ୍ ସ୍ଥିତି ବିଗିଡ଼ି ଯାଏ । ପିଏମ୍ ୨.୫ ପ୍ରଦୂଷଣ ଆଖିକୁ ଦେଖାଯାଏ ନାହିଁ । ରକ୍ତଚାପ କିମ୍ବା କୋଲେଷ୍ଟ୍ରୋଲ ଭଳି ଏହାକୁ ସହଜରେ ମପାଯାଇ ପାରିବ ନାହିଁ । ଫଳରେ ଲୋକମାନେ ଏହାର ଗମ୍ଭୀର ବିପଦକୁ ଜାଣିପାରନ୍ତି ନାହିଁ ।
ଡାକ୍ତରଙ୍କ କହିବାନୁଯାୟୀ ଚଳିତ ମାସରେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ସହ ଜଡ଼ିତ ରୋଗୀଙ୍କ ସଂଖ୍ୟା ୨୦-୩୦ ପ୍ରତିଶତ ବଢ଼ିଥିବା ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରେ ଅନେକ ଯୁବକ ଏବଂ ପୂର୍ବରୁ ଚିକିତ୍ସିତ ହୋଇଥିବା ରୋଗୀ ଅଛନ୍ତି । ଏବେ ବି ଆହୁରି ଅନେକ ଲୋକ ଶ୍ୱାସପ୍ରଶ୍ୱାସ ଜନିତ ରୋଗରେ ପୀଡ଼ିତ । କିନ୍ତୁ ସେମାନେ ଏହାକୁ ଅଣଦେଖା କରି ହସ୍ପିଟାଲକୁ ଆସୁନାହାନ୍ତି କିମ୍ବା ଚିକିତ୍ସିତ ହେବାକୁ ଚାହୁଁନାହାନ୍ତି । ଯାହାକି ଆଗାମୀ ଦିନରେ ଗମ୍ଭୀର ପରିଣାମ ସୃଷ୍ଟି କରିପାରେ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀଶ ଗଡକରୀ ଗତ ମଙ୍ଗଳବାର ସ୍ୱୀକାର କରିଥିଲେ ଯେ ଦିଲ୍ଲୀରେ ଯେତିକି ବାୟୁ ପ୍ରଦୂଷଣ ହେଉଛି ସେଥିରୁ ୪୦ ପ୍ରତିଶତ କେବଳ ପରିବହନ କ୍ଷେତ୍ରରୁ ହିଁ ଆସୁଛି । ଯାହା ଜୀବାଶ୍ମ ଇନ୍ଧନ ଉପରେ ନିର୍ଭର କରିବାର ଫଳ ବୋଲି ସେ କହିଥିଲେ ।
ସଦ୍ୟ ସମାପ୍ତ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାର କହିଥିଲେ ଯେ ପ୍ରଦୂଷଣ ଓ ତାର ସିଧାସଳଖ ପ୍ରଭାବ ଦୃଦ୍ପିଣ୍ଡ ଉପରେ ପଡ଼ିବା ସମ୍ପର୍କରେ କୌଣସି ଠୋସ୍ ତଥ୍ୟ ତାଙ୍କ ପାଖରେ ନାହିଁ । କିନ୍ତୁ ସରକାର ମାନିଥିଲେ ଯେ ବାୟୁ ପ୍ରଦୂଷଣ ଶ୍ୱାସପ୍ରଶ୍ୱାସ ଜନିତ ରୋଗ ବୃଦ୍ଧିର ଏକ କାରଣ ପାଲଟିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ଆଗତ କରାଯାଇଥିବା ରିପୋର୍ଟ ଅନୁସାରେ ଗତ ୩ ବର୍ଷରେ ଦିଲ୍ଲୀରେ ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟାରେ ପୀଡ଼ିତ ହୋଇ ୨ ଲକ୍ଷରୁ ଅଧିକ ଲୋକ ହସ୍ପିଟାଲ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୩୦ ହଜାରରୁ ଅଧିକ ରୋଗୀଙ୍କୁ ହସ୍ପିଟାଲରେ ଚିକିତ୍ସିତ ହେବାକୁ ପଡ଼ିଛି ।
ଲାନ୍ସେଟ୍ ଫାଉଣ୍ଡେସନ ଅଫ୍ ହେଲ୍ଥ ଆଣ୍ଡ କ୍ଲାଇମେଟ ଚେଞ୍ଜ ୨୦୨୫ ରିପୋର୍ଟ ଅନୁସାରେ ୨୦୨୨ରେ ଭାରତରେ ପିଏମ୍ ୨.୫ ପ୍ରଦୂଷଣ ଯୋଗୁ ୧୭ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ସେଥିରୁ ୨.୬୯ ଲକ୍ଷ ମୃତ୍ୟୁ ସଡକ ପରିବହନ ସହ ଜଡ଼ିତ ପେଟ୍ରୋଲ ଓ ଡିଜେଲରୁ ସୃଷ୍ଟି ପ୍ରଦୂଷଣ ଯୋଗୁ ହୋଇଥିଲା । ଗତ ମେ’ରେ ଇଣ୍ଟରନ୍ୟାସନାଲ କାଉନ୍ସିଲ ଅନ୍ କ୍ଲିନ ଟ୍ରାନ୍ସପୋର୍ଟେସନ ପକ୍ଷରୁ କରାଯାଇଥିବା ଏକ ବୈଶ୍ୱିକ ଅଧ୍ୟୟନରେ କୁହାଯାଇଥିଲା ଗାଡ଼ିରୁ ବାହାରୁଥିବା ବିଷାକ୍ତ ଗ୍ୟାସକୁ ନିୟନ୍ତ୍ରଣ କରିବା ଲାଗି ନୀତି ଅଣାଗଲେ ୨୦୪୦ ବେଳକୁ ୧୯ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିପାରିବ । ଏଥିସହ ୧୪ ଲକ୍ଷ ପିଲାଙ୍କୁ ଶ୍ୱାସ ରୋଗରୁ ରକ୍ଷା କରାଯାଇପାରିବ ।