ମାଲକାନଗିରି ୧୫/୧୨: ଶୀତରେ ଥରୁଛି ସମଗ୍ର ମାଲକାନଗିରି ଜିଲ୍ଲା । ଶୀତ ପ୍ରକୋପରୁ ରକ୍ଷା ପାଇଁ କାଠ ବାଉଁଶ ନିଆଁ ଜାଳି ବସୁଛନ୍ତି ଗାଁ ଗହଳି ଓ ସହରର ଲୋକେ। ପାରଦ ୧୪ଡିଗ୍ରୀକୁ ଖସିଛି । ଗତ ତିନିଦିନ ଦିନ ହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ଶୀତ ସହିତ କୁହୁଡି ଦେଖାଦେଇଥିବା ବେଳେ ଭୋରରୁ ମାଲକାନଗିରି ସହରରେ ପ୍ରାୟ ଶୂନଶାନ ଦେଖାଯାଉଛି । ବାହରକୁ ଭୀଷଣ ଥଣ୍ଡା ହାତ ଗୋଡ ହେମାଳ ହୋଇ କାଲୁଆ ମାରି ଦେଉଥିବାରୁ ଗ୍ରାମବାସୀ ଓ ଛୋଟ ଛୋଟ ପିଲାମାନେ କାଠ ଗଣ୍ଠିରେ ନିଆଁ ଲଗାଇ ତାର ଚାରି ପଟେ ଘେରି ନିଆଁ ପୋଉଁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସାଧାରଣତ ମାଲକାନଗିରି ଜିଲ୍ଲାରେ ଏହି ସମୟରେ ୩୦ରୁ ୩୨ ଡିଗ୍ରୀ ତାପମାତ୍ରା ରହିଥାଏ । ଜିଲ୍ଲାବାସୀ ଦିନବେଳା କେବେ ବି ସାଲ କିମ୍ବା ଜ୍ୟାକେଟ ପିନ୍ଧି ନଥାନ୍ତି । ଆଜି ଭୋରୁ ତାପମାତ୍ରା ୧୪ ଡିଗ୍ରୀକୁ ଖସି ଆସିଥିବାରୁ ପରିସ୍ଥିତ ସଙ୍ଗୀନ ହୋଇ ପଡିଥିଲା । ଜିଲ୍ଲାବାସୀ ଦିନତମାମ ଜ୍ୟାକେଟ ପିନ୍ଧି ସାଲ ଘୋଡେଇ ହୋଇ ନିଜ ନିଜ କାମ କରୁଥିବାର ଦେଖିବାକୁ ମିଳିଥିଲା । ଦୋକାନ୍ ବଜାର ଗୁଡିକ ଶୀତ ଯୋଗୁ ଦିନ ୮ଟା ପରେ ଖୋଲିଥିଲା । ଚଳିତ ବର୍ଷ ଜିଲ୍ଲାରେ ଶୀତ ଆରମ୍ଭ ହୋଇ ଯାଇଥିଲେ ବି ଗରିବ ଆଦିବାସୀ ଲୋକ ମାନଙ୍କର ଶୀତବସ୍ତ୍ର ନଥିବାରୁ ଶୀତ ଦାଉରୁ ରକ୍ଷାପାଇବା ପାଇଁ ସେମାନେ ଘର ଆଗରେ ବଡ ବଡ କାଠଗଣ୍ଡି ଜାଳି ନିଆଁ ଚାରି ପାଖରେ ବସି ନିଜଦେହକୁ ସେକି ହେଉଥିବାର ଦେଖାଯାଉଛି ।ଏମିତି କି ରାତ୍ରରେ ସେହି ନିଆଁ ଚତୁଃପାର୍ଶ୍ଵରେ ପରିବାର ସହ ଶୋଇ ଯାଇଥାନ୍ତି । ଗରିବ ଲୋକଙ୍କ କମ୍ବଳ ପାଲଟିଛି କାଠ ନିଆଁ, ଜିଲ୍ଲା ପ୍ରଶାସନ ପକ୍ଷରୁ ଗରିବ ଲୋକମାନଙ୍କୁ ଶୀତବସ୍ତ୍ର ପ୍ରଦାନ ପାଇଁ ଦାବି ହେଉଛି । ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଗରିବ ଆଦିବାସୀ ମହିଳା ଓ ପିଲା ମାନେ ଘର ଆଗରେ କାଠଗଣ୍ଡି ଜାଳି ତାର ଚାରିପାଖରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ବସି ନିଆଁ ରେ ସେକିହେଉଥିବାର ଦେଖିବାକୁ ମିଳୁଛି ।ଉତ୍ପପ୍ତ ସହର ଭାବେ ପରିଚିତ ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନହେଲା ଶୀତର ଲହରୀ ଦେଖା ଦେଇଥିବାରୁ ବିଭିନ୍ନ ସ୍ଥାନରେ ବ୍ୟବସାୟୀ ମାନେ ଶୀତବସ୍ତ୍ର ବିକ୍ରୀର ପସରା ମେଲି ଦେଇଛନ୍ତି ।ବିଶେଷ କରି ସୁଦୂର ଉତରପ୍ରଦେଶ, ରାଇପୁର ରୁ ଟ୍ରକ ବୋଝେଇ ଶୀତବସ୍ତ୍ର ଧରି ବ୍ୟବସାୟୀ ମାନେ ମାଲକାନଗିରିରେ ପହଁ ଜ୍ୟାକେଟ,ସାଲ,କମ୍ବଳ,ସୁଇଟର, ମଫଲର, ଟୋପି ଆଦି ଶୀତବସ୍ତ୍ର ବିକ୍ରୀଆରମ୍ଭ କରିଦେଇଛନ୍ତି I ଗ୍ରାହକ ମାନେ ନିଜ ନିଜ ମନ ପସନ୍ଦର ଶୀତବସ୍ତ୍ର କିଣିବା ପାଇଁ ଭିଡଜମାଇ ଦେଇଥିବାର ଦେଖିବାକୁ ମିଳିଛି।