ମାଲକାନଗିରି, ୨୬।୮ (ଆପ୍ର ): ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଶିକ୍ଷକ ବସନ୍ତ କୁମାର ରଣାଙ୍କୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ୱର୍ଦ୍ଧିତ କରିଛନ୍ତି। ଏହା ଆମ ଜିଲ୍ଲା ମାଲକାନଗିରି ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି ଅବସରରେ ଶ୍ରୀ ରଣାଙ୍କ ସହ ଜିଲ୍ଲାପାଳ କିଛି ସମୟ ଆଲୋଚନା କରିଥିଲେ।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିଜର ଶିକ୍ଷକତା ଜୀଵନ ଆରମ୍ଭ କରିଥିବା ଶ୍ରୀ ରଣା କୁନି କୁନି ପିଲାଙ୍କ ନିମନ୍ତେ ଅଭିନବ ଶିକ୍ଷା ପଦ୍ଧତି ଆପଣେଇ ଥିଲେ। ମାଲକାନଗିରି ଜିଲ୍ଲାର କନ୍ଦେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଶ୍ରୀ ରଣା ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟିତ ।
ସୂଚନା ଥାଉ କି ସମଗ୍ର ରାଜ୍ୟରେ କେବଳ ଦୁଇ ଜଣ ଶିକ୍ଷକ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତନ୍ମଧ୍ୟରୁ ଶ୍ରୀ ରଣା ଅନ୍ୟତମ। ୩୦ଟି ଜିଲ୍ଳାର ୯୦ ଜଣ ଶିକ୍ଷକଙ୍କ ମଧ୍ୟରୁ ୬ ଜଣ ଜାତୀୟସ୍ତର ନିମନ୍ତେ ଚୟନ ହୋଇଥିଲେ। ଶ୍ରୀ ରଣା ବିଦ୍ୟାଳୟ ଭିତ୍ତିଭୂମିର ସୋନ୍ଦର୍ଯ୍ୟକରଣ ଯାହା ଶିଶୁଙ୍କ ଶୈକ୍ଷିକ ବାତାବରଣକୁ ଆହୁରି ଆକର୍ଷଣୀୟ ଓ ମନୋଲଭା କରିଥାଏ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ। ତତ୍ ସହିତ ଆନନ୍ଦ ଉଲ୍ଲାସରେ ଶିଶୁଟିଏ କିଭଳି ପାଠ ପ୍ରତି ଆକୃଷ୍ଟ ହୋଇ ପଢ଼ିବ ସେଥିପ୍ରତି ଯତ୍ନବାନ ହୋଇଥିଲେ। ତାଙ୍କର ଏହି ଅଭିନବ ଶିକ୍ଷା ପଦ୍ଧତି ପାଇଁ ସେ ୨୦୨୫ ଜାତୀୟ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇ ସାରା ରାଜ୍ୟ ଓ ମାଲକାନାଗିରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣିଗ୍ରାହୀ, ଶିକ୍ଷା ବିଭାଗ ଯନ୍ତ୍ରୀ ସରୋଜ ସାମନ୍ତରାୟଙ୍କ ସମେତ ଶିକ୍ଷା ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।
ଶ୍ରୀ ରଣା ସେପ୍ଟେମ୍ୱର ୩ରେ ବିଶାଖପାଟଣାରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ସେପ୍ଟେମ୍ବର ୫ ରେ ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ରଣା ପୁରସ୍କାର ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି।