କୋଣାର୍କ,୨୯।୧୧: କୋଣାର୍କ ଓ ଚନ୍ଦ୍ରଭାଗାରେ କୋଣାର୍କ ଉତ୍ସବ ପ୍ରସ୍ତୁତି କାର୍ଯ୍ୟ ଶନିବାର ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ଏସପି ପ୍ରତୀକ ସିଂ ଅନୁଧ୍ୟାନ କରିଛନ୍ତି। ଚନ୍ଦ୍ରଭାଗା ମେଳାପଡିଆରେ ସୁଭଦ୍ରା ଶକ୍ତି ମେଳା, ଅନ୍ତର୍ଜାତୀୟ ବାଲୁକା କଳା,ମୁକ୍ତାକାଶ ରଙ୍ଗମଞ୍ଚ,ମୀନା ବଜାରରେ ସୁରକ୍ଷା ବ୍ୟବସ୍ଥା ଆଦି ତଦାରଖ କରିଥିଲେ।

ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ସଂଗୀତ, ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଆୟୋଜିତ ହେବ। ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତି ସନ୍ଧ୍ୟା ୬ଟାରୁ ଓଡିଶୀ,କଥକଳି, କୁଚିପୁଡ଼ି, ମଣିପୁରୀ, ଭାରତନାଟ୍ୟମ,କଥକ ନୃତ୍ୟ ପ୍ରଦର୍ଶନ ଓ ଚନ୍ଦ୍ରଭାଗା ବେଳାଭୂମିରେ ଦେଶ ବିଦେଶର ବାଲୁକା ଶିଳ୍ପୀଙ୍କ ବାଲୁକା କଳା ପ୍ରଦର୍ଶନ ହେବ। ଏଥର ଭିଡ଼କୁ ଦୃଷ୍ଟିରେ ରଖି ୧୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। କୋଣାର୍କରେ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ ଅଧିକ ଗୁରୁତ୍ୱ ଦିଆଯାଇଛି। ମୀନା ବଜାରରେ ୩୨ସିସି କ୍ୟାମେରା ଲଗାଯାଇଛି। ଉତ୍ସବ ସମୟରେ ସୁରକ୍ଷା, ପାର୍କିଂ,ଆଲୋକ ବ୍ୟବସ୍ଥା ସହିତ କୋଣାର୍କ ଏନଏସି ଆଦି ବିଭାଗକୁ ସୁଚାରୁରୂପେ କାର୍ଯ୍ୟ ତୁଲାଇବା ପାଇଁ ନିର୍ଦେଶ ଦିଆଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜକିଶୋର ଜେନା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରୀୟରଞ୍ଜନ ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ(ପ୍ରୋଟୋକଲ)ପର୍ଯ୍ୟଟନ ସହ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ, ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ, ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ, କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା, ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।