ଭୁବନେଶ୍ୱର, ୧୯/୦୩ : ଓଡ଼ିଶାର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅଧିକ ସମୃଦ୍ଧ ଓ ପ୍ରତିଯୋଗୀ କରିବା ଲକ୍ଷ୍ୟରେ ମେ ଫେୟାର୍ କନଭେନସନ୍ ଠାରେ ଏକ “କମ୍ପୋଜିଟ୍ କମ୍ପିଟେଟିଭନେସ୍ ସଚେତନତା କର୍ମଶାଳା” ଆୟୋଜିତ ହୋଇଛି। ଏହି କର୍ମଶାଳାରେ ନୀତି ନିର୍ମାତା, ଶିଳ୍ପ ଉଦ୍ୟୋଗୀ, ପରାମର୍ଶଦାତା, ଏମ୍ଏସ୍ଏମ୍ଇ ଅନୁଷ୍ଠାନରୁ ୨୦୦ରୁ ଅଧିକ ବ୍ୟକ୍ତିବିଶେଷ ଯୋଗ ଦେଇ ପ୍ରତିସ୍ପର୍ଦ୍ଧା ବୃଦ୍ଧି, ସହଜ ଋଣ ସୁବିଧା, ସଶକ୍ତ ବଜାର ସଂଯୋଗ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି।
କେନ୍ଦ୍ରୀୟ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ଅତିରିକ୍ତ ଶାସନ ସଚିବ ଅତୀଶ କୁମାର ସିଂହ, ଅଧିକ ପୁଞ୍ଜି ନିବେଶ ଓ ରପ୍ତାନି ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଥିଲେ । ଏମ୍ଏସ୍ଏମ୍ଇ ମନ୍ତ୍ରାଳୟର ନିର୍ଦ୍ଦେଶକ ଅଙ୍କିତା ପାଣ୍ଡେ ରାମ୍ପ କାର୍ଯ୍ୟକ୍ରମର ଭୂମିକା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଦକ୍ଷତା ବୃଦ୍ଧି, ଜ଼େଡ୍ ସାର୍ଟିଫିକେସନ୍ ଓ ଅନଲାଇନ୍ ବିବାଦ ସମାଧାନ ଉପରେ ପ୍ରାଧାନ୍ୟ ଦେଇଥିଲେ । ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ରଶ୍ମିତା ପଣ୍ଡା ଇ-କମର୍ସ ଓ ବିପଣନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମତ ବ୍ୟକ୍ତ କରିଥିଲେ । ଯୁଗ୍ମ ନିର୍ଦ୍ଦେଶକ ପି. କେ. ଗୁପ୍ତା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଉପରେ ଜୋର ଦେଇଥିବା ବେଳେ ନ୍ୟାସନାଲ୍ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ମୁଖ୍ୟ ଡ଼. ମିଲନ୍ ଶର୍ମା ରାମ୍ପ ୱାର୍ଲ୍ଡ ବ୍ୟାଙ୍କ ସହଯୋଗିତାରେ ଚାଲିଥିବା ରାମ୍ପ ଯୋଜନାର ବହୁମୁଖୀ ଉଦ୍ଦେଶ୍ୟ ଉପରେ ଅବଗତ କରାଇଥିଲେ।
ଉଦ୍ୟୋଗୀମାନେ ତାଙ୍କର ସଫଳତା କାହାଣୀ ଉପସ୍ଥାପନ କରିଥିଲେ । ସରକାରୀ ସହାୟତା ଓ ଡିଜିଟାଲ୍ ବ୍ୟବସ୍ଥା ବ୍ୟବସାୟ ବୃଦ୍ଧିରେ ସହାୟକ ହୋଇଛି ବୋଲି ମତ ପ୍ରକାଶ କରିଥିଲେ । ଯୁଗ୍ମ ସଚିବ ପ୍ରଫୁଲ୍ଲ କୁଜୁର ଏବଂ ଉପ-ନିର୍ଦ୍ଦେଶକ ନିତିଶା ମାନ୍ନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କର୍ମଶାଳା କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରାଳୟ, ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ଏବଂ ଏମ୍ଏସ୍ଏମ୍ଇ-ଡିଏଫଓ, କଟକଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା ।
ଏହି ଖବରଟିକୁ ପଢନ୍ତୁ- ଏପ୍ରିଲ ୧୬ରୁ ରାଜ୍ୟରେ ଘର ଗଣନା; ତାଲିମ ନେଲେ ୬୭ଜଣ ମାଷ୍ଟରଟ୍ରେନର,ଜନଗଣନା ପୂର୍ବରୁ ଆରମ୍ଭ ପ୍ରାକ୍ ପ୍ରସ୍ତୁତି