କଂଗ୍ରେସ ନେତା ଓ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କ ଆଖିର ସର୍ଜରୀ ଶେଷ ହୋଇଛି। ସେ ଡାକ୍ତରଙ୍କ ତତ୍ତ୍ବାବଧାନରରେ ଥିଲେ। ତେବେ ତାଙ୍କୁ ଏବେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ଏବଂ ସେ ତାଙ୍କ ବାସଭବନ ୧୦, ଜନପଥକୁ ଫେରିଯାଇଛନ୍ତି। ସୋନିଆଙ୍କ ଦେହ ଗତ କିଛି ସମୟ ହେବ ଠିକ୍ ନାହିଁ। ତାଙ୍କ ପେଟ, ଫୁସଫୁସ୍ ଓ ଶ୍ବାସଜନିତ ସମସ୍ୟା ରହିଛି। ତାଙ୍କର ଚିକିତ୍ସା ସମୟ ସମୟରେ ନୂଆଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲ, ଶିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ଓ ଗୁରଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଲିଛି।
ଏହା ପୂର୍ବରୁ ୨୪ ମାର୍ଚ୍ଚରେ ମଧ୍ୟ ସୋନିଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ କହିବା ଅନୁସାରେ, ସୋନିଆଙ୍କୁ ସିଷ୍ଟମିକ୍ ଇନଫେକସନ୍ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ୨୪ ମାର୍ଚ୍ଚ ରାତି ୮ଟା ୨୨ରେ ଜ୍ବର ପରେ ହସ୍ପିଟାଲ ଅଣାଯାଇଥିଲା। ଯାଞ୍ଚ ବେଳେ ତାଙ୍କ ପେଟ୍ ଓ ୟୁରିନାରୀ ଟ୍ରାକ୍ଟରେ ସଂକ୍ରମଣ ଜଣାପଡିଥିଲା।ସୋନିଆ ଭାରତୀୟ ଜାତୀୟ କଂଗ୍ରେସର ସବୁଠାରୁ ପ୍ରମୁଖ ନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ଦଶନ୍ଧି ଧରି ଦଳର ନେତୃତ୍ୱ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପତ୍ନୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମା’।
ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ, ସୋନିଆ କିଛି ବର୍ଷ ପର୍ଯ୍ୟନ୍ତ ରାଜନୀତିରୁ ଦୂରରେ ରହିଥିଲେ। କଂଗ୍ରେସ ନେତାଙ୍କ ଅନୁରୋଧ ପରେ, ସେ ୧୯୯୭ ରେ ସକ୍ରିୟ ରାଜନୀତି ଏବଂ ସାର୍ବଜନୀନ ଜୀବନରେ ପୁନର୍ବାର ପ୍ରବେଶ କରିଥିଲେ। ୧୯୯୮ରେ, ସୋନିଆ କଂଗ୍ରେସ ସଭାପତି ପଦ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ଲଗାତାର ୨୨ ବର୍ଷ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇଥିଲେ, କଂଗ୍ରେସ ଇତିହାସରେ ସବୁଠାରୁ ଦୀର୍ଘ ସମୟ ଧରି ମହିଳା ସଭାପତି ହୋଇଥିଲେ। ୨୦୧୯ ମସିହାରେ, ସୋନିଆ ପୁଣି ଥରେ କଂଗ୍ରେସ ସଭାପତି ହୋଇଥିଲେ। ସେ ପ୍ରାୟ ତିନି ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ ।
ଆହୁରି ପଢନ୍ତୁ : ସବୁକିଛି ଠିକ୍ ଅଛି, କିନ୍ତୁ ଟ୍ରମ୍ପଙ୍କ ହେଲଥ୍ ରିପୋର୍ଟରେ ବାହାରିଲା ଏଭଳି: ଡାକ୍ତର କହିଲେ ତୁରନ୍ତ ଓଜନ ହ୍ରାସ କରିବା ଉଚିତ