ନୂଆଦିଲ୍ଲୀ,୨୨।୧:  କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର 'ବିକଶିତ ଭାରତ-ଜୀ ରାମ ଜୀ ଆଇନ' ବା ଭିବି ଜି ରାମ ଜି ବିଲ୍‌-୨୦୨୫ ଉପରେ କେନ୍ଦ୍ର ସରକାରଙ୍କୁ କରିଛନ୍ତି ଯୋରଦାର ଟାର୍ଗେଟ । କଂଗ୍ରେସ କହିଛି ଯେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ମନରେଗା) ଉଚ୍ଛେଦ କରିବା ଗରିବ ଲୋକଙ୍କୁ 'ଗୋତି ଶ୍ରମିକ'(କମ୍ ଟଙ୍କରେ କାମ) କରିବାରେ ଏକ ଷଡ଼ଯନ୍ତ୍ର। କଂଗ୍ରେସର ଦୁଇ ନେତା କହିଛନ୍ତି ଯେ, ଜାନୁଆରୀ ୨୮ ରୁ ଆରମ୍ଭ ହେଉଥିବା ସଂସଦର ବଜେଟ ଅଧିବେଶନରେ ତାଙ୍କ ଦଳ ଏହି ପ୍ରସଙ୍ଗ ଉଠାଇବ। ଏହି ସମୟରେ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଶ୍ରମିକଙ୍କ ଭଳି ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ମୁଣ୍ଡରେ ଗାମୁଛା ବାନ୍ଧିଥିବା ବେଳେ ହାତରେ ଏକ କୋଦାଳ ମଧ୍ୟ ଧରିଥିଲେ।

ମନରେଗାକୁ ହଟାଇବା ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ

ରାହୁଲ କହିଛନ୍ତି , ମନରେଗା ହେଉଛି ଗ୍ରାମୀଣ ଭାରତର ଜୀବନରେଖା, ଏବଂ ଏହାକୁ ସୁରକ୍ଷା ଦେବା ଆମର ମିଳିତ ଦାୟିତ୍ୱ। ଏହା ଗ୍ରାମୀଣ ଭାରତର ଆତ୍ମା, ଏବଂ ଏହାକୁ ସଂରକ୍ଷଣ କରାଯିବା ଉଚିତ। ସେ କହିଛନ୍ତି ଯେ ପ୍ରତ୍ୟେକ କଂଗ୍ରେସ କର୍ମୀ ମନରେଗାକୁ ସୁରକ୍ଷା ଦେବା ପାଇଁ ଲଢ଼ିବାକୁ ପ୍ରସ୍ତୁତ। ଏହି ସମୟରେ, ଖଡଗେ କହିଛନ୍ତି, ମନରେଗା ଉପରେ ବିଜେପିର ଆକ୍ରମଣ ଗ୍ରାମ ସ୍ୱରାଜକୁ ନଷ୍ଟ କରିବାର ଏକ ଷଡ଼ଯନ୍ତ୍ର। ମନରେଗାକୁ ହଟାଇବା ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ। ଏହି ଦେଶ ଏହି ଦୁଃସାହସକୁ ବରଦାସ୍ତ କରିବ ନାହିଁ।

ମନରେଗାକୁ ବଞ୍ଚାଇବା ପାଇଁ ଲଢ଼େଇ

ଖଡଗେ କହିଛନ୍ତି, ଦେଶର ଦଳିତ ଲୋକଙ୍କୁ ଗୋତି ଶ୍ରମିକରେ ପରିଣତ କରିବା ପାଇଁ ମୋଦି ସରକାର ମନରେଗାକୁ ଶେଷ କରିବାକୁ କାମ କରୁଛନ୍ତି। ମୋଦି ଧନୀମାନଙ୍କ ହାତରେ ଶ୍ରମିକଙ୍କୁ ଟେକି ଦେବାକୁ ଯାଉଛନ୍ତି, ଯାହା ଦ୍ୱାରା ଲୋକମାନେ ଧନୀଙ୍କ ଇଙ୍ଗିତରେ ଏବଂ ସେମାନଙ୍କ ଇଚ୍ଛା ଅନୁଯାୟୀ ଟଙ୍କା ପାଇଁ କାମ କରିବେ। ମନରେଗା ଲୋକଙ୍କୁ ୧୦୦ ଦିନର କାମର ଆଇନଗତ ଗ୍ୟାରେଣ୍ଟି ପ୍ରଦାନ କରିଥିଲା, ଯାହା ଏବେ ନଷ୍ଟ ହେଉଛି। ମନରେଗା ଏବଂ କାମ କରିବାର ଅଧିକାରକୁ ବଞ୍ଚାଇବା ପାଇଁ ଆମକୁ ଲଢ଼ିବାକୁ ପଡିବ।

 

‘କେବଳ ଭୋଟ ପାଇଁ ମୋଦି ନିଜକୁ କୁହନ୍ତି ଚା’ ବାଲା’

ଏତିକିରେ ଅଟକି ନାହାଁନ୍ତି ଖଡଗେ। ସେ ଦଳୀୟ କାର୍ଯ୍ୟକ୍ରମରେ କହିଛନ୍ତି, ମୋଦିଜୀ ଭୋଟ ପାଇବାକୁ କେବଳ କୁହନ୍ତି ସେ ଚା’ ବାଲା। କ’ଣ ସେ କେବେ ସତରେ ଚା ବନାଇଛନ୍ତି ? କେବେ କେଟିଲି ନେଇ ଲୋକଙ୍କୁ ଚା’ ପିଆଇବାକୁ ଟ୍ରେନ୍ ବଗିକୁ ଯାଇଛନ୍ତି ? ଏହା କେବଳ ଏକ ନାଟକ। ତାଙ୍କର ଉଦ୍ଦେଶ୍ୟ କେବଳ ଗରିବଙ୍କୁ କଷ୍ଟ ଦେବା। କଂଗ୍ରେସ ପକ୍ଷରୁ ଖଡଗେଙ୍କ ଭାଷଣର ଏକ ଅଂଶକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାରକରାଯାଇଛି। ଯେଉଁଥିରେ ଖଡଗେ କହିଛନ୍ତି, ଦେଶକୁ ଦୁଇଜଣ ଲୋକ ଚଲାନ୍ତି। ସେ ହେଲେ ନରେନ୍ଦ୍ର ମୋଦି ଓ ଅମିତ ଶାହ। ସେ ଦେଶ ପାଇଁ କାମ କରନ୍ତି ନାହିଁ, କେବଳ ନିର୍ବାଚନ ପ୍ରଚାର କରନ୍ତି। ମୋଦିଜୀ କହୁଛନ୍ତି ବୁଲେଟ୍ ଟ୍ରେନ୍ ଆଣିବେ, କିନ୍ତୁ ଟ୍ରେନ୍ ତ ଦୂରର କଥା,ନୂଆ ଟ୍ରାକ୍ ବି ବିଛାଇ ପାରୁନାହାଁନ୍ତି। ସେ କେବେ ଶ୍ରମିକ ହୋଇଥଲେ ଜାଣିଥାନ୍ତେ ତାଙ୍କର କଷ୍ଟ। ମୋଦିଜୀ କେବଳ ଭୋଟ୍ ନେବା ପାଇଁ ନିଜକୁ ଚା’ ବାଲା କୁହନ୍ତି। ଏସବୁ କେବଳ ନାଟକ।

ଆହୁରି ପଢନ୍ତୁ:ଅଷ୍ଟ୍ରେଲିଆର ପଥ ଅନୁସରଣ କରିବ ଭାରତର ଏହି ରାଜ୍ୟ, ୧୬ ବର୍ଷରୁ କମ୍ ବୟସର ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ