ନୂଆଦିଲ୍ଲୀ,୨୦।୫: ପ୍ରାୟ ଛଅ ଦଶନ୍ଧି ପରେ ତାମିଲନାଡୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ପ୍ରଥମ ଥର ପାଇଁ ତାମିଲନାଡୁ ସରକାରଙ୍କ ଅଂଶ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କ ନେତୃତ୍ୱାଧୀନ ଟିଭିକେ ସରକାରରେ ଗୁରୁବାର ଦୁଇ ଜଣ କଂଗ୍ରେସ ବିଧାୟକ ମନ୍ତ୍ରୀ ଭାବରେ ଶପଥ ନେବେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ରାଜ୍ୟ କ୍ୟାବିନେଟରେ କଂଗ୍ରେସ ବିଧାୟକ ଏସ. ରାଜେଶ କୁମାର ଏବଂ ପି. ବିଶ୍ୱନାଥନଙ୍କୁ ସାମିଲ କରିବା ନେଇ ମଞ୍ଜୁରୀ ଦେଇଛନ୍ତି।
ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ଘଟଣା ସମ୍ପର୍କରେ ଏଆଇସିସିର ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ ସୂଚନା ଦେଇଛନ୍ତି। ସେ କହିଛନ୍ତି ଖଡଗେ କଂଗ୍ରେସ ବିଧାୟକ ଆଡଭୋକେଟ୍ ରାଜେଶ କୁମାର ଏବଂ ଥିରୁ ପି. ବିଶ୍ୱନାଥନଙ୍କୁ ତାମିଲନାଡୁ କ୍ୟାବିନେଟରେ ସାମିଲ କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେମାନେ ଆସନ୍ତାକାଲି ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ପ୍ରାୟ ୫୯ ବର୍ଷ ପରେ ତାମିଲନାଡୁ କ୍ୟାବିନେଟକୁ କଂଗ୍ରେସ ପୁଣିଥରେ ଫେରୁଛି। ରାଜ୍ୟର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତି ଏବଂ ଟିଭିକେ ସରକାରଙ୍କୁ ସମର୍ଥନ କରୁଥିବା ମେଣ୍ଟ ମଜବୁତ ହେବାର ପ୍ରତିଫଳନ ଭାବରେ ଦେଖାଯାଉଛି।
ଏହା ଦଳ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି ଭେନୁଗୋପାଳ। ସେ ଲେଖିଛନ୍ତି, ଏହା ଆମ ପାଇଁ ଏକ ଐତିହାସିକ ଅବସର, କାରଣ କଂଗ୍ରେସ ୫୯ ବର୍ଷର ଦୀର୍ଘ ବ୍ୟବଧାନ ପରେ ତାମିଲନାଡୁ କ୍ୟାବିନେଟରେ ଯୋଗ ଦେଉଛି।’ ସେ ଉଭୟ ନେତାଙ୍କୁ ଶୁଭକାମନା ଜଣାଇବା ସହିତ ଏକ କଲ୍ୟାଣମୂଳକ ଶାସନ ମଡେଲକୁ ଆଗକୁ ବଢ଼ାଇ ତାମିଲନାଡୁ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବା ଦିଗରେ କାମ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।