ଭୁବନେଶ୍ୱର, ୧୮/୦୫: ଭୋଟର୍ ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ବେଳେ ବିଭିନ୍ନ ରାଜ୍ୟରେ ବହୁ ଯୋଗ୍ୟ ଭୋଟରଙ୍କ ନାମ କାଟି ଦିଆଯାଇଛି । ଓଡ଼ିଶାରେ ବି ଏଭଳି ହେବାର ସମ୍ଭାବନା ରହିଛି । ହେଲେ ଏଭଳି କରିବାକୁ ଦିଆଯିବ ନାହିଁ । ଯାହାକୁ ବୁଥ୍ ସ୍ତରରୁ ଜଗିବ କଂଗ୍ରେସ । ପ୍ରତି ବୁଥରେ ରହିବେ କଂଗ୍ରେସର ଏଜେଣ୍ଟ୍ । ସେମାନେ କେବଳ ନାମ କାଟିବାକୁ ଜଗିବେ ତାହା ନୁହଁ, ନୂଆ ଭୋଟରଙ୍କ ନାମକୁ ତାଲିକାରେ ଯୋଡ଼ିବେ । ଯେମିତି ଜଣେ ବି ଯୋଗ୍ୟ ନାଗରିକ ଭୋଟର୍ ତାଲିକାରୁ ବାଦ୍ ନ ପଡ଼େ ସେ ପ୍ରତି ଧ୍ୟାନ ଦିଆଯିବ ବୋଲି ରାଜ୍ୟ କଂଗ୍ରେସ ଏସଆଇଆର ଷ୍ଟିଅରିଂ କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।
ଶ୍ରୀ ସାଲୁଜା କହିଛନ୍ତି ଯେ ଆମେ ପ୍ରଥମ ପର୍ଯ୍ୟାୟରେ ବୁଥ୍ ଲେଭେଲ୍ ଏଜେଣ୍ଟ-୧ ଭାବେ ୧୪୭ଜଣଙ୍କୁ ନିଯୁକ୍ତି ଦେଇଛୁ । ସେମାନଙ୍କୁ ବିଏଲଏ-୧ କୁହାଯାଉଛି । ପରବର୍ତ୍ତୀ ପର୍ଯ୍ୟାୟରେ ବିଏଲଏ-୨ ନିଯୁକ୍ତ କରାଯିବ । ଏଜେଣ୍ଟମାନଙ୍କୁ ତାଲିମ ଦିଆଯାଉଛି । କେମିତି ଫର୍ମ ପୂରଣ କରାଯିବ, ବିଶେଷ କରି ନୂଆ ଭୋଟର୍ ଓ ବିବାହ କରି ଆସିଥିବା ଭଉଣୀମାନଙ୍କ ନାମ କେମିତି ଭୋଟର ଲିଷ୍ଟରେ ଚଢ଼ିବ, ତାହା ଦେଖିବାକୁ ପରାମର୍ଶ ଦିଆଯାଉଛି । ତେବେ ଏସବୁର ତଦାରଖ କରିବାକୁ ଜିଲ୍ଲାସ୍ତରୀରେ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଶ୍ରୀ ସାଲୁଜା କହିଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ଓୟୁଏଟି ରାଇସ୍ ରିସର୍ଚ୍ଚ ଷ୍ଟେସନର ଆକର୍ଷଣ, ୧୦୮ ପ୍ରକାର ପାରମ୍ପରିକ ଦେଶୀ ବାସ୍ନା ଧାନ