ଭୁବନେଶ୍ୱର,୧୮/୦୫:  ଗୋଟିଏ କି ଦୁଇଟି ନୁହେଁ, ୧୦୮ ପ୍ରକାରର ଦେଶୀ ବାସ୍ନା ଧାନ ବିହନ । ସବୁ ଓଡ଼ିଶାର ପାରମ୍ପରିକ ଧାନ । ପ୍ରତି ଜିଲ୍ଲାରୁ ସଂଗ୍ରହ କରାଯାଇ ସାଇତା ହୋଇ ରହିଛି । ମଝିରେ ମଝିରେ ପରୀକ୍ଷା ବି ହେଉଛି । ଛାତ୍ରଛାତ୍ରୀ, ଗବେଷକମାନେ ପାରମ୍ପରିକ ଦେଶୀ ବାସ୍ନା ଧାନ ବିଷୟରେ ଜାଣୁଛନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ ଧାନ ଗବେଷକ ତଥା ‘ଧାନ ମଣିଷ’ ପ୍ରଫେସର ଡ. ସତ୍ୟରଞ୍ଜନ ଦାସ ଏହି ସବୁ ଧାନ ସଂଗ୍ରହ କରିଛନ୍ତି । ଆଉ ଏବେ ଏହି ସବୁ ଧାନ ଓୟୁଏଟିସ୍ଥିତ ରାଇସ୍ ରିସର୍ଚ୍ଚ ଷ୍ଟେସନର ଆକର୍ଷଣ ପାଲଟିଛି ।

ପ୍ରଫେସର ଡ. ଦାସଙ୍କ ଧାନ ସଂଗ୍ରହ ନିଶା ରହିଛି । ୧୯୭୬ରେ ସେ ଚାକିରିରେ ଯୋଗଦାନ ସହ ଏହି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଥିଲେ । ଜିଲ୍ଲାରୁ ଜିଲ୍ଲା ବୁଲି ଚାଷୀଙ୍କୁ ଭେଟି ସେ ଦେଶୀ ବାସ୍ନା ଧାନ ସଂଗ୍ରହ କରିଥିଲେ । ତାଙ୍କ ସଂଗୃହୀତ ଦେଶୀ ବାସ୍ନା ଧାନ ମଧ୍ୟରେ ରହିଛି ‘କଳାଜିରା’, ବଲାଙ୍ଗିର, ସମ୍ବଲପୁରରେ ଚାଷ ହେଉଥିବା ‘ଯୁବରାଜ’, ଖୋର୍ଦ୍ଧା, ପୁରୀ, କଟକର ‘ସରଗଧୁଳି’, ‘ଗଗନଧୁଳି’, ଫୁଲବାଣୀର ‘ମକରକନ୍ଦା’, ଖୋର୍ଦ୍ଧାର ‘ନବାବି’, କଟକ, ପୁରୀର ‘ଚିନିକାମିନୀ’, କେନ୍ଦୁଝରର ‘ପିମ୍ପୁଡ଼ିବାସ’, ଦେବଗଡ଼, ବଲାଙ୍ଗିର, ରାୟଗଡ଼ାର ‘ଦୁର୍ଗାଭୋଗ’, ‘କୃଷ୍ଣଭୋଗ’, ‘ଗୋବିନ୍ଦ ଭୋଗ’, ‘ଠାକୁର ଭୋଗ’, ‘ବାଦଶାହା ଭୋଗ’, ‘ଲକ୍ଷ୍ମୀ ବିଳାସ’, ‘କର୍ପୁରକ୍ରାନ୍ତି’, ଗଞ୍ଜାମ, ଗଜପତିର ‘ଗଙ୍ଗାବାଲି’, ‘ତୁଳସିଫୁଲ’, ନୂଆପଡ଼ା, ସମ୍ବଲପୁରର ‘ଜାଇଫୁଲ’, ‘ବାସପତ୍ରି’, କଳାହାଣ୍ଡିର ‘ଆଚାରମତି’ , ବାଲେଶ୍ୱର, ଭଦ୍ରକର ‘ଲୀଳାବତୀ’ ଆଦି ।

ଏହି ସବୁ ବାସ୍ନା ଧାନ ମଧ୍ୟମ କିସମର (୧୨୦ରୁ ୧୨୫ଦିନରେ ଚାଷ) ଅଟେ । ଏହି ବାସ୍ନା ଧାନ ବହୁ ପୂର୍ବରୁ ଓଡ଼ିଶାରେ ଚାଷ ହେଉଥିଲା । ସେଥିମଧ୍ୟରୁ କିଛିଟା ଲୋପ ପାଇଥିବା ବେଳେ ଆଉ କିଛି ଏବେବି ଚାଷ ହେଉଛି । ଏହି ସବୁ ବାସ୍ନା ଧାନକୁ ଦୀର୍ଘଦିନ ଧରି ସଂରକ୍ଷଣ କରି ରଖିଲେ, ତାର ବାସ୍ନା ସେମିତି ରହିଥିବ । ହେଲେ ଚାଷ ପରେ ଯଦି ତାକୁ ସଅଳ ରନ୍ଧାଯାଏ ତେବେ ତାହା ଜାଉ ହୋଇଯିବ । ଏଣୁ ପ୍ରଥମେ ଏଥିରେ କ୍ଷୀରି ପ୍ରସ୍ତୁତ ହୋଇଥାଏ । ଅଧିକ ଦିନ ସାଇତି ରଖିଲେ ହିଁ ଭଲ ଭାତ ହେବ ବୋଲି ପରୀକ୍ଷାରୁ ଜଣାପଡ଼ିଛି ।

କେବଳ ଏହି ବାସ୍ନା ଧାନ ନୁହେଁ, ଡ. ଦାସଙ୍କ ଦ୍ୱାରା ‘ଝିଲି’, ‘ମହିପାଳ’, ‘ମାଛକଣ୍ଟା’, ‘ମାଗୁରା’, ‘ଜଙ୍ଗଲିଜଟା’, ‘ରାମଚନ୍ଦ୍ର ବୋଇତ’, ‘ଚମ୍ପା’, ‘ବାଇଗଣମଞ୍ଜି’, ‘ମୁଗୁଧି’, ‘ମୁଗେଇ’, ‘ଗଡ଼କାଟି’, ‘ଚିନାମାଳି’, ‘ବାଙ୍କୋଇ’, ‘କାକୁଡ଼ିମଞ୍ଜି’, ‘କଟକଚଣ୍ଡୀ’ ଭଳି ସାଧାରଣ ଧାନ ମଧ୍ୟ ସଂଗ୍ରହ କରାଯାଇ ସେସବୁକୁ ସଂରକ୍ଷିତ କରାଯାଇଛି । ଏସବୁ ବିଳମ୍ବରେ ଅମଳ ହେଉଥିବା ଧାନ ଅଟେ । ଏଥି ମଧ୍ୟରୁ ମୁଗୁଧି, ମୁଗେଇ, ଗଡ଼କାଟି, ଚିନାମାଳି, ବାଙ୍କୋଇ, କାକୁଡ଼ିମଞ୍ଜି, କଟକଚଣ୍ଡୀ ଭଳି ଚାଉଳ ମୋଟା ହୋଇଥିବାରୁ ଏଥିରୁ ଭଲ ପଖାଳ ଭାତ ହୁଏ । ଡ. ଦାସଙ୍କ କହିବା କଥା, ଏହି ସବୁ ଧାନ ସେ ଭବିଷ୍ୟତ ପିଢିଙ୍କ ପାଇଁ ସଂଗ୍ରହ କରିଥିଲେ । ଏହାର ଚାଷ ହେବା ନିହାତି ଆବଶ୍ୟକ । ଏବେ ‘ଗୋବିନ୍ଦଭୋଗ’ ନାମକ ଏକ ବାସ୍ନା ଚାଉଳ ଛତିଶଗଡ଼ରୁ ଆସୁଛି । ଯାହା କେଜି ପିଛା ୨୦୦ଟଙ୍କାରେ ବିକ୍ରି ହେଉଛି । ଲୋକେ ଏହାକୁ କିଣି ଖାଉଛନ୍ତି । ହେଲେ ଦୁଃଖର କଥା, ଓଡ଼ିଶାରେ ଗୋବିନ୍ଦ ଭୋଗ ବହୁଳ ଭାବରେ ଚାଷ ହୋଇପାରୁନି ।

ଅଧିକ ପଢ଼ନ୍ତୁ :- Oil crisis: ବଦଳିଗଲା ପେଟ୍ରୋଲ ପମ୍ପର ଚିତ୍ର, ତେଲ ପାଇଁ ଜମୁଥିଲା ଭିଡ଼, ଏବେ ଫାଙ୍କା ପଡିଛି ଟାଙ୍କି...

୧୦ବର୍ଷ ତଳେ ଓୟୁଏଟି ‘ନୂଆ ଆଚାରମତି’, ଓୟୁଏଟି ଓ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର (ସିଆର୍ଆର୍ଆଇ)ର ମିଳିତ ଭାବେ ‘ନୂଆ କଳାଜିରା’, ସିଆର୍‌ଆର୍‌ସଇ ‘ନୂଆ ଚିନିକାମିନୀ’, ‘ନୂଆ ଧୁଷୁରା’ ଧାନ ରିଲିଜ୍ କରିଥିଲେ । ଯାହାକୁ ରାଜ୍ୟସ୍ତରୀୟ ବିହନ କମିଟି ଅନୁମୋଦନ କରିଥିଲା । ଏବେ ଯଦିଓ ଏହି ଧାନ ଅଛି, ହେଲେ ଚାଷ ହୋଇପାରୁନି । କୃଷି ବିଭାଗ ଏଦିଗରେ ଦୃଷ୍ଟି ଦେବା କଥା । ବ୍ଲକସ୍ତରରେ ଏହାକୁ ଚାଷ ସହ ପ୍ରଦର୍ଶନ କରାଯାଇ ଚାଷୀଙ୍କୁ ଅବଗତ କରାଯାଉ ବୋଲି ସେ ଦାବି କରିଛନ୍ତି । ପାରମ୍ପରିକ ବାସ୍ନା ଧାନର ଗବେଷଣା ଓ ସଂରକ୍ଷଣ ପାଇଁ ତାଙ୍କୁ ଓୟୁଏଟିର ୪୧ତମ ସମାବର୍ତ୍ତନ ଉତ୍ସବରେ ସମ୍ମାନିତ କରାଯାଇଛି ।