ବ୍ରହ୍ମପୁର : ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ଟେଣ୍ଡର୍‌ ଆହ୍ୱାନ କରି ବିବାଦୀୟ ହୋଇ ପଡ଼ିଥିବା ବିଏମ୍‌ସିର ଆଉ ଏକ କାରନାମା ପଦାରେ ପଡ଼ିଛି। ଏବେ ପ୍ରାଇଭେଟ୍‌ ପ୍ଲଟ୍‌ରେ ଡ୍ରେନ୍‌ ଓ ରାସ୍ତା ନିର୍ମାଣ କରାଯାଇଛି। ଅନୁଧ୍ୟାନ ଓ ଯାଞ୍ଚ ନକରି ଘରୋଇ ଜମିରେ ରାସ୍ତା ଓ ଡ୍ରେନ୍‌ ନିର୍ମାଣ କରିଥିବାରୁ ଏବେ ଜମି ମାଲିକ ସେଠାରେ ପାଚେରୀ ନିର୍ମାଣ କରି ଦେଲେଣି । ଲୋକଙ୍କ ଅର୍ଥ ଅଯଥାରେ ବରବାଦ ହେଉଛି । କର୍ପୋରେଟର୍‌ଙ୍କ ପ୍ରସ୍ତାବକୁ କନିଷ୍ଠ ଯନ୍ତ୍ରୀ ଏବଂ ବିଏମ୍‌ସି ଅମିନ ଅଣଦେଖା କରିଥିବା ଅଭିଯୋଗ ହୋଇଛି। 

ନୂଆ ନୂଆ ଆବାସିକ ଅଞ୍ଚଳ ସୃଷ୍ଟି ହେଉଥିବାରୁ ରାସ୍ତା, ଡ୍ରେନ୍‌ ଓ ଆଲୋକୀକରଣ ସୁବିଧା ପାଇଁ ବିଏମ୍‌ସି ହାତ ବଢ଼ାଉଛି । ହେଲେ ଏହାର ଫାଇଦା ନେଉଛନ୍ତି ଯନ୍ତ୍ରୀମାନେ । କେତେବେଳେ ଜାତୀୟ ରାଜପଥ ତ ଆଉ କେତେବେଳେ ପୂର୍ତ୍ତ ରାସ୍ତାକୁ ନିର୍ମାଣ ପାଇଁ ଟେଣ୍ଡର କରୁଛନ୍ତି । ଏପରିକି ବିଏମ୍‌ସି ବହିଃର୍ଭୁତ  ଅଞ୍ଚଳରେ ନିର୍ମାଣ କାମ କରି ସହରାଞ୍ଚଳ ପାଣ୍ଠିର ଦୂରୁପଯୋଗ କରୁଛନ୍ତି । ସେଭଳି ଏକ ଅଭିଯୋଗ ଆସିଛି ବିଏମ୍‌ସି ୨୮ନଂ ୱାର୍ଡରୁ। ରେଲୱେ ଷ୍ଟେସନ୍‌ ୪ନଂ ପ୍ଲାଟଫର୍ମକୁ ଜାତୀୟ ରାଜପଥ ସହ ସଂଯୋଗ କରୁଛି ଖଜୁରିଆ ରାସ୍ତା । ଏହି ରାସ୍ତାପାର୍ଶ୍ୱରେ  ଥିବା ଏକ ଘରୋଇ ଜମିରେ ବିଏମ୍‌ସି ରାସ୍ତା ଓ ଡ୍ରେନ୍‌ ନିର୍ମାଣ କରିଛି। ଏଥିପାଇଁ ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଉକ୍ତ ରାସ୍ତା ଓ ଡ୍ରେନ୍‌କୁ ଏବେ ଜମି ମାଲିକ ପାଚେରି ଆବଦ୍ଧ କରି ଦେବାରୁ ବିଏମ୍‌ସି କର୍ମଚାରୀଙ୍କ କାରନାମା ପଦାରେ ପଡ଼ିଛି । 

ରାସ୍ତା ଓ ଡ୍ରେନ୍‌ ନିର୍ମାଣ ପାଇଁ କର୍ପୋରେଟର୍‌ଙ୍କ ପ୍ରସ୍ତାବକୁ ଯାଞ୍ଚ କରିବା ଦାୟିତ୍ୱ ବିଏମ୍‌ସି ଅମିନ ଉପରେ ନ୍ୟସ୍ତ । ଉକ୍ତ ଜମି ବିଏମ୍‌ସିକୁ ହସ୍ତାନ୍ତର ହୋଇଛି କି ନାହିଁ, ରିପୋର୍ଟ ଦେବା ପରେ ଯନ୍ତ୍ରୀ ବ୍ୟୟ ଅଟକଳ ପ୍ରସ୍ତୁତ କରନ୍ତି। ହେଲେ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅଣଦେଖା କରାଯାଇଛି । ଜମି ହସ୍ତାନ୍ତର ହୋଇନଥିଲେ ବି ସେଠାରେ ରାସ୍ତା ଓ ଡ୍ରେନ୍‌ ନିର୍ମାଣ କରି ରାଜସ୍ୱ ବରବାଦ କରାଯାଇଛି । ରାସ୍ତା ଓ ଡ୍ରେନ୍‌ ନିର୍ମାଣ ହୋଇଥିବା ଅଞ୍ଚଳରେ ଜନବସତି ନଥିବା ଆଉ ଏକ ବିଡ଼ମ୍ବନାର ବିଷୟ । ରାସ୍ତାର ଗୋଟିଏ ପାର୍ଶ୍ୱରେ  ଖଜୁରିଆ ରୋଡ୍‌ ଥିବା ବେଳେ ଅନ୍ୟ ପାର୍ଶ୍ୱରେ ଚାଞ୍ଚରାପଡ଼ିଆ ସାହି ରହିଛି । ହେଲେ ମଝିରେ ରାସ୍ତା ସଂଯୋଗ ପାଇଁ ସ୍ଥାନ ନାହିଁ । ଏପରି ସ୍ଥଳେ କର୍ପୋରେଟର୍‌ଙ୍କ ପ୍ରସ୍ତାବ, ଅମିନଙ୍କ ଯାଞ୍ଚ୍‌ ଏବଂ ଯନ୍ତ୍ରୀଙ୍କ ବ୍ୟୟ ଅଟକଳ ଦାଖଲକୁ ନେଇ ପ୍ରଶ୍ନ ଉଠିଛି । ଏ ସମ୍ପର୍କରେ କର୍ପୋରେଟର୍‌ ପାର୍ବତୀ ପ୍ରଧାନ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇ ପାରିନାହିଁ । ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ଏହାର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ।