ନୂଆଦିଲ୍ଲୀ;୨/୧ : ବିଷାକ୍ତ ପାଣି ପାଇଁ ଗୋଟିଏ ପରେ ଗୋଟିଏ ଜୀବନ ଚାଲି ଯାଉଛି । ଇନ୍ଦୋରର ଭାଗୀରଥାପୁରା ଅଞ୍ଚଳରେ ଏବେ ଆତଙ୍କ ଖେଳିଯାଇଛି । ୧୫ରୁ ଅଧିକ ଜୀବନ ଯାଇଥିବା ବେଳେ ୧୪ଶହରୁ ଅଧିକ ଲୋକ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଯାହା ଏବେ ଗଣମାଧ୍ୟମରେ ଖବର ସିରୋନାମା ପାଲଟିଛି । କିଏ ପ୍ରଶାସନକୁ ଦୋଷ ଦେଉଛି ତ ଆଉ କିଏ ଭାଗ୍ୟକୁ । ଦିନକୁ ଦିନ ଏଭଳି ସଙ୍କଟ ବଢ଼ିବାକୁ ଲାଗିଥିବାବେଳେ ଚିନ୍ତାର କାରଣ ମଧ୍ୟ ପାଲଟିଛି ।
ସାଧାରଣତଃ ଗ୍ରୀଷ୍ମ ଋତୁରେ ଦେଶର ବିଭିନ୍ନ ସ୍ଥାନରେ ପାଣିର ଘୋର ଅଭାବ ଦେଖା ଯାଇଥାଏ । ଗଚ୍ଛିତ ପାଣିର ଘୋର ଅଭାବ କାରଣରୁ ଲୋକେ ପାରି ଟୋପେ ପାଇଁ ଡହଳ ବିକଳ ହେଉଥିବା ମଧ୍ୟ ଦେଖାବାକୁ ମିଳେ । ଜଳର ଅଭାବ ସାଙ୍ଗକୁ ଗୁଣବତ୍ତା ଅଥବା ଶୁଦ୍ଧତା ରହିବା ନିହାତି ଜରୁରୀ । ଜଳର ଶୁଦ୍ଧତା ନରହିଲେ ଅନେକ ରୋଗର ଶିକାର ମଧ୍ୟ ହେବାକୁ ପଡ଼ିଥାଏ । ଅନେକ ସ୍ଥାନରେ ପାଣି ଉପଲବ୍ଧ ହୋଇଥାଏ ମାତ୍ର ଏହା ପିଇବା ଉପଯୋଗୀ ହୋଇନଥାଏ । ଭାରତର ବିଭିନ୍ନ ରାଜ୍ୟରେ ପାଣିରେ ଆର୍ସେନିକ୍, ଫ୍ଲୋରାଇଡ୍, ନାଇଟ୍ରେଟ୍ ଏବଂ ଭାରୀ ଧାତୁ ମିଳିଥାଏ। ଏହା ବ୍ୟତୀତ, ବ୍ୟାକ୍ଟେରିଆ ଏବଂ ଅନ୍ୟାନ୍ୟ ଅଣୁଜୀବଙ୍କ ଉପସ୍ଥିତି ଏହାକୁ ଆହୁରି ବିପଦପୂର୍ଣ୍ଣ କରିଥାଏ। ଏପରି ଦୂଷିତ ପାଣି ସେବନ ଡାଇରିଆ, ଟାଇଫଏଡ୍ ଏବଂ କଲେରା ଭଳି ରୋଗ ସୃଷ୍ଟି କରିପାରେ। ପାଣି ମାଧ୍ୟମରେ କିଛି ରାସାୟନିକ ଉପାଦାନର ଦୀର୍ଘକାଳୀନ ସଂସ୍ପର୍ଶରେ ଆସିବା ମଧ୍ୟ କର୍କଟ, ହାଡ଼ ରୋଗ ଏବଂ ଅନ୍ୟାନ୍ୟ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।
ସର୍ଭେ ରିପୋର୍ଟକୁ ଯଦି ବିଶ୍ବାସ କରିବା ତା'ହେଲେ ଗ୍ରାମାଞ୍ଚଳରେ ୪୩ ପ୍ରତିଶତ ପରିବାର ପାଖରେ ପାଇପ୍ ଯୋଗେ ପାରି ପହଞ୍ଚି ପାରୁନାହିଁ । ଆଜି ମଧ୍ୟ ଅନେକ ଲୋକ କୂଅ, ଜଳାଶୟ, ନଳକୂପ ପାଣି ଉପରେ ନିର୍ଭର କରନ୍ତି । ଗ୍ରାମାଞ୍ଚଳ କଥା ଛାଡ଼ନ୍ତୁ ସହରାଞ୍ଚଳରେ କିଛି ବସ୍ତିକୁ ଆଜି ମଧ୍ୟ ପାନୀୟ ଜଳର ସୁବିଧା ନାହିଁ । ୨୦୧୯ ମସିହାରୁ ଆରମ୍ଭ ହୋଇଛି ଜଳ ଜୀବନ ମିଶନ । ସମସ୍ତଙ୍କ ଘରକୁ ପାଇପ୍ ଯୋଗେ ଜଳ ଯୋଗାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ମାତ୍ର ଏଯାବତ ଏହା କେବଳ କାଗଜ କଲମରେ ରହି ଯାଇଛି । ସମସ୍ତଙ୍କ ଘରକୁ ପାଇପ୍ ଯୋଗେ ପାଣି ପହଞ୍ଚି ପାରିନାହିଁ ।
ନିରାପଦ ପାନୀୟ ଜଳ ପାଇଁ ଘରୋଇ ସମାଧାନ
ସରକାର ଜଳ ଜୀବନ ମିଶନ ଭଳି ଯୋଜନା ମାଧ୍ୟମରେ ପାଇପଲାଇନ, ଟ୍ରିଟମେଣ୍ଟ୍ ପ୍ଲାଣ୍ଟ ଏବଂ ନୀତି ତିଆରି କରନ୍ତି, କିନ୍ତୁ ବାସ୍ତବତା ହେଉଛି ଯେ ଘରେ ପହଞ୍ଚିଥିବା ପାଣି ସର୍ବଦା ସମ୍ପୂର୍ଣ୍ଣ ନିରାପଦ ନୁହେଁ । ପାଇପ୍ ଲାଇନ ଲିକ୍, ଅନୁପଯୁକ୍ତ ସଂରକ୍ଷଣ କିମ୍ବା ସ୍ଥାନୀୟ ପ୍ରଦୂଷଣ ଯୋଗୁଁ ପାଣି ପ୍ରାୟତଃ ଦୂଷିତ ହୋଇଥାଏ। ତେଣୁ, ପାନୀୟ ଜଳ ପ୍ରକୃତରେ ନିରାପଦ ହେବା ପାଇଁ ପ୍ରତ୍ୟେକ ପରିବାର କିଛି ଘରୋଇ ଉପଚାର ଏବଂ କୌଶଳ ଗ୍ରହଣ କରିବା ଉଚିତ ।
- ପାଣି ଫୁଟାଇବା ସବୁଠାରୁ ପୁରୁଣା, ସରଳ ଏବଂ ସବୁଠାରୁ ସହଜ ପଦ୍ଧତି
- ପାଣି ଫୁଟାଇବା ଦ୍ୱାରା ଜୀବାଣୁ, ଭୂତାଣୁ ଏବଂ ଅନ୍ୟାନ୍ୟ ଜୀବାଣୁ ମରି ଯାଆନ୍ତି
- ଡାଇରିଆ, କଲେରା, କିମ୍ବା ଟାଇଫଏଡ୍ ଭଳି ରୋଗରେ ପଡ଼ିଲେ ଏହି ପଦ୍ଧତି ଉପଯୋଗୀ