ଲଖନପୁର, ୦୮/୦୯: ଝାରସୁଗୁଡ଼ା ଜିଲ୍ଲା ଏମସିଏଲ ଲଖନପୁର ଖଣିରେ ପୁଣି ଦୁର୍ଘଟଣା । କୋଇଲା ପରିବହନ ଗାଡ଼ି ଧକ୍କାରେ ଜଣେ ଠିକା ସୁରକ୍ଷା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ସୁରକ୍ଷା କର୍ମୀ ଜଣକ ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ପଦପାଲି  ଗାଁର ସଞ୍ଜୀବ ପ୍ରଧାନ (୪୦ ବର୍ଷ) । ଏମସିଏଲ କୋଇଲା ଖଣିର ସେଫ୍ଟି ସିକ୍ୟୁରିଟିରେ କାର୍ଯ୍ୟ କରୁଥିବା ଏସଆଇଏସ ଠିକା ସଂସ୍ଥାର ସେ ଜଣେ କର୍ମଚାରୀ ଭାବେ କାମ କରୁଥିଲେ ।

ସୂଚନା ମୁତାବକ, ସଞ୍ଜୀବ ରବିବାର ରାତି ୧୦ଟାରେ ଡ୍ୟୁଟିକୁ ଯାଇଥିଲେ । ତାଙ୍କୁ ଲଖନପୁର କ୍ଷେତ୍ରର ୭ ନମ୍ବର ସାଇଡ଼ିଙ୍ଗରେ ଡ୍ୟୁଟି ଦିଆଯାଇଥିଲା । ଘଟଣାସ୍ଥଳରେ ସଞ୍ଜୀବ ଓ ଭୀଷ୍ମ ରୋହିଦାସ ନାମକ ଜଣେ ସହକର୍ମୀ ସହ ଡ୍ୟୁଟି କରିଥିଲେ। ରାତିସାରା ଡ୍ୟୁଟି କରିଥିବା ବେଳେ ସକାଳ ୫ଟା ୩୦ରୁ ୫ଟା ୪୫ ମିନିଟ ମଧ୍ୟରେ ଡ୍ୟୁଟି ସ୍ଥଳ ନିକଟରେ ପାଣି ବାହାରୁଥିବା ସ୍ଥାନରେ ମୁହଁ ହାତ ଧୋଉଥିବା ସମୟରେ କୋଇଲା ପରିବହନ ନିମନ୍ତେ ନିଯୁକ୍ତ ଏକ ଭାରୀ ଯାନ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସେ ଗୁରୁତର ହୋଇ ପଡ଼ି ଯାଇଥିଲେ। ଏହା ଦେଖି ସହକର୍ମୀମାନେ ଦୌଡ଼ି ଆସି ଦେଖିଲା ବେଳକୁ ଦୁର୍ଘଟଣା ଘଟାଇଥିବା ଗାଡ଼ି ଫେରାର ହୋଇ ଯାଉଥିଲା । ସହକର୍ମୀ ଗାଡ଼ିକୁ ଗୁରୁତ୍ୱ ନଦେଇ ଗୁରୁତର ସଞ୍ଜୀବଙ୍କୁ ଏମସିଏଲ ଲଖନପୁରର ଡିସପେନ୍‌ସାରୀକୁ ଚିକିତ୍ସା ନିମନ୍ତେ ୫ଟା ୫୫ ମିନିଟରେ ପହଞ୍ଚାଇଥିଲେ । ମାତ୍ର ଦୀର୍ଘ ୪୦ ମିନିଟ୍ ପାଖାପାଖି ପରେ ଡାକ୍ତର ଆସି ଦେଖିବା ପରେ ମୃତ୍ୟୁ ଘୋଷଣା କରିଥିଲେ।

ଏହି ଘଟଣା ପ୍ରଚାରିତ ହେବା ପରେ ଏମସିଏଲରେ କାର୍ଯ୍ୟରତ ଶ୍ରମିକ ସଂଗଠନର ନେତୃମଣ୍ଡଳୀ ପକ୍ଷରୁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ଘଟଣା ସ୍ଥଳକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର, ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନ, ବନହରପାଲି ଥାନା ଅଧିକାରୀ ରଞ୍ଜିତ ନାଏକ ଓ ଏମସିଏଲ ଲଖନପୁର ଜିଏମ୍ ଅୱୋଧ କିଶୋର ପାଣ୍ଡେ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ  ମୃତକଙ୍କ ପରିବାର ଲୋକ ଓ ଶତାଧିକ ଅଞ୍ଚଳବାସୀ ଡ଼ିସପେନ୍‌ସାରୀରେ କ୍ଷତିପୂରଣ ଦାବି କରିଛନ୍ତି ।