ପୁରୀ, ୦୬/୦୬: ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଏବଂ ଶ୍ରୀଗୁଣ୍ଡିଚା ପାଇଁ ଛତିଶା ନିଯୋଗ ଓ ପୁଲିସର ସମନ୍ବୟ ବୈଠକ ଅନୁଷ୍ଠିତ । ରଥଯାତ୍ରା-୨୦୨୫ ଉପଲକ୍ଷେ, ଏକ ବୃହତ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ଏହାକୁ ଅଧ୍ୟକ୍ଷତା କରିଥିଲେ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ । ଏହାଛଡ଼ା ଏହି ମିଟିଂରେ ଛତିଶା ନିଯୋଗର ସମସ୍ତ ସଦସ୍ୟ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଶୀଲ ମିଶ୍ର, ସଚିନ ପଟେଲ, ସୌମ୍ୟରଂଜନ ମଲ୍ଲିକ, ସିଟି ଡିସପି ଶ୍ରୀ ପ୍ରଶାନ୍ତ ସାହୁ, ଟ୍ରାଫିକ ଡିସପି ଶ୍ରୀ ରାଜକୁମାର ପରିଡା ଉପସ୍ଥିତ ଥିଲେ । ଏହାସହିତ ସହରର ସମସ୍ତ ଥାନା ଅଧିକାରୀଙ୍କ ସହିତ SSMSV ବାଟାଲିୟନର ଦୃଗପତି ଶ୍ରୀ ତାପସ ଦାସ, ଉପଦୃଗପତି କୌଶିକ ନାୟକ, ସହ ଦୃଗପତି ଘନଶ୍ୟାମ ହେମ୍ବ୍ରମ, ବିଜୟ ନନ୍ଦ, ସୌମ୍ୟରଞ୍ଜନ ଦାଶ, ନାରାୟଣ ରାଉତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ ।
ଏହି ବୈଠକରେ ପୁରୀ ଏସପି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଦେବସ୍ନାନ ପୂର୍ଣିମା ଓ ରଥଯାତ୍ରାର ଧାର୍ମିକ ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ। ମହାପ୍ରଭୁଙ୍କ ରଥଯାତ୍ରା କିଭଳି ଶୃଙ୍ଖଳିତ ହେବ ଏବଂ ନିୟମ ରକ୍ଷା କରିବା ସହିତ ସମ୍ପୂର୍ଣ୍ଣ ଆଗ୍ରହ ଓ ଦାୟିତ୍ୱପୂର୍ଣ୍ଣ କିପରି ପଦକ୍ଷେପ ଗ୍ରହଣ କରାଯିବ ତା’ ଉପରେ ଆଲୋଚନା ହୋଇଥିଲା । ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାରେ ସମୟାନୁସାରେ ସମସ୍ତ ନୀତିକାନ୍ତି ସମାପନ କରିବାକୁ ପୁରୀ ଏସ୍ପି ବିନୀତ ଅଗ୍ରଓ୍ବାଲ ଛତିଶା ନିଯୋଗକୁ ପ୍ରସ୍ତାବ ଦେଇଥିଲେ ।
ନିଯୋଗ ପକ୍ଷରୁ ଶୃଙ୍ଖଳିତ ଯାତାୟାତ ପାଇଁ ସହଯୋଗ ଦାବି କରାଯାଇଥିଲା । ଅନ୍ୟପଟେ ଦେବସ୍ନାନ ପୂର୍ଣ୍ଣିମାରେ ଯାନବାହନ ଯାତାୟାତ ଓ ପାର୍କିଂ ବ୍ୟବସ୍ଥା ହେବ । ନୂଆ ପାର୍କିଂ ସ୍ଥଳ ପାଇଁ ପଶ୍ଚିମ ଗେଟ୍ ନିର୍ଦ୍ଦିଷ୍ଟ ହୋଇଛି । ରଥଯାତ୍ରା ସମୟରେ ମୁକ୍ତାକାଶ ରଙ୍ଗମଞ୍ଚ ପାଖରେ ଗାଡ଼ି ରଖିବା ପାଇଁ ପାର୍କିଂ ବ୍ୟବସ୍ଥା କରାଯିବ । ଛତିଶା ନିଯୋଗ ପାଇଁ ନୋଡାଲ୍ ଅଫିସର୍ ନିୟୋଜିତ ହେବେ । ଏହି ଦାୟିତ୍ବରେ ଅତିରିକ୍ତ ଏସ୍ପି ଶ୍ରୀ ସଚିନ ପଟେଲ, ସିଟି ଡିଏସପି ଶ୍ରୀ ପ୍ରଶାନ୍ତ କୁମାର ସାହୁ, ଟାଉନ୍ ଆଇଆଇସି ଗୋକୁଳ ରଞ୍ଜନ ଦାସ, କୁମ୍ଭାରପଡା ଆଇଆଇସି ସୁଶାନ୍ତ ସାହୁ, ସିଂହଦ୍ୱାର ଆଇଆଇସି ଶ୍ୱେତପଦ୍ମା ଦାଶ, ଯାତାୟାତ ସମ୍ପର୍କିତ ନୋଡାଲ୍ ଅଫିସର୍ ଦାୟିତ୍ବରେ ଟ୍ରାଫିକ୍ ଡିଏସପି ରାଜକୁମାର ପରିଡା, ଟ୍ରାଫିକ୍ ଆଇଆଇସି ଜୟଦୀପ ମହାନ୍ତି ରହିବେ । ଯୋଗାଯୋଗ ଓ ସମନ୍ୱୟ ପାଇଁ ଛତିଶା ନିଯୋଗ ଓ ପୋଲିସ ମଧ୍ୟରେ ବର୍ତ୍ତମାନ ହ୍ୱାଟସଅପ୍ ଗ୍ରୁପ୍ ଚାଲୁ ରହିବ । ଉତ୍ସବ ସମୟରେ ଯେକୌଣସି ସମସ୍ୟା ହେଲେ ଅତି ଶୀଘ୍ର ଗ୍ରୁପରେ ଅପଡେଟ୍ କରାଯିବ ।
ଏହାଛଡ଼ା ଛତିଶା ନିଯୋଗ ସଦସ୍ୟମାନେ ନିଜର ମତାମତ ରଖିଥିଲେ। ଛତିଶା ନିଯୋଗ ନାୟକ ଜନାର୍ଦନ ପାଟଯୋଶୀ ମହାପାତ୍ର କହିଥିଲେ, ମହାପ୍ରଭୁଙ୍କ ଘୋଷଯାତ୍ରାରେ ଛୋଟ ଛୋଟ ସମସ୍ୟା ଶୀଘ୍ର ସମାଧାନ ହେବ । ଯାହାକୁ ଯେଉଁ ଦାଇତ୍ୱ ଦିଆଯାଇବ ସେମାନ ସେମାନେ କୌଣସି ମନରେ ଅଙ୍କୁଶ ନରଖି ମହାପ୍ରଭୁଙ୍କ କାର୍ଯ୍ୟ କରିବେ । ଅନ୍ୟପଟେ ଆରକ୍ଷୀ ଅଧିକ୍ଷକ ସମସ୍ତ ନିଯୋଗ ସେବାୟତ ଓ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ। ସମସ୍ତଙ୍କ ଏକତା ଓ ସହଯୋଗ ଦ୍ୱାରା ଦେବସ୍ନାନ ପୂର୍ଣିମା ଓ ରଥଯାତ୍ରା ଯଥାର୍ଥ ଭାବେ ସଫଳ ହେବ ବୋଲି କହିଥିଲେ ।