ଭୁବନେଶ୍ୱର,୦୫/୦୪: ପାଣିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡ଼ି । ୪ ବର୍ଷର ପୁଅ ଆଗରେ ଚାଲିଗଲା ମାଆର ଜୀବନ । ଦୁର୍ଘଟଣାରେ ଗୁରୁତର ହୋଇଥିବା ବାପାଙ୍କର ଚିକିତ୍ସାଧୀନ ଅବସ୍ଥାରେ ହେଲା ମୃତ୍ୟୁ । ମୃତ ଦମ୍ପତିଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ପୁରୁଣା ଟୋଲଗେଟ୍‌ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବତ, ଗୋଟିଏ ପରିବାରର ବାପା, ମାଆ ଓ ତାଙ୍କର ଏକ ୪ ବର୍ଷର ଶିଶୁପୁତ୍ର ଏକ ବାଇକ୍‌ ଯୋଗେ କୁଆଖିଆ ଆଡୁ ପାଣିକୋଇଲି ଅଭିମୁଖେ ଯାଉଥିଲେ । ଏହି ସମୟରେ ପୁରୁଣା ଟୋଲଗେଟ୍‌ ନିକଟରେ ହଠାତ୍ ଏକ ଅଜଣା ଗାଡି ବାଇକ୍‌ଟିକୁ ଧକ୍କା ଦେଇ ଫେରାର୍‌ ହୋଇଥିଲା । ଘଟଣାସ୍ଥଳରେ ମାଙ୍କର ମୃତ୍ୟ ହୋଇଥିବା ବେଳେ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ପୋଲିସ ସହାୟତାରେ ଗୁରୁତର ବାପାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ୪ ବର୍ଷର ଶିଶୁପୁତ୍ରକୁ ପାଣିକୋଇଲି ପୋଲିସ ହେପାଯତକୁ ନେଇ ଥାନାରେ ରଖାଯାଇଛି । ଏହା ଶହ ମୃତଦେହ ଦ୍ୱୟ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ପୋଲିସ ।