ନୂଆଦିଲ୍ଲୀ ୦୯/୧୧: ବିବାହ ପାଇଁ ତୁର୍କୀରେ ଏକ କମ୍ପାନିର ବସ୍‌ ଛୁଟି ମଞ୍ଜୁର କଲେନାହିଁ । ଦମ୍ପତି ବାଧ୍ୟହୋଇ ଭିଡିଓ କଲ୍‌ରେ ବିବାହ କଲେ । ବର ତୁର୍କୀରେ ରହୁଥିବାବେଳେ କନ୍ୟା ହିମାଚଳପ୍ରଦେଶର । ଉଭୟ ଭିଡିଓ କଲ୍‌ ଜରିଆରେ ‘କୁବୁଲ ହୈ’ କହି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ବିଳାସପୁର ବାସିନ୍ଦା ଅଦନାନ ମହମ୍ମଦ ନିଜର ବିବାହ ଲାଗି ଭାରତ ଆସିବାକୁ ଯୋଜନା କରିଥିଲେ । କିନ୍ତୁ ତୁର୍କୀ ସ୍ଥିତ କମ୍ପାନିର ତାଙ୍କ ବସ୍‌ ଛୁଟି ଆବେଦନକୁ ଖାରଜ କରିଦେଲେ । ଫଳରେ ସ୍ଥିତି ଜଟିଳ ହେଲା । କନ୍ୟାର ଅସୁସ୍ଥ ଜେଜେବାପା ନାତୁଣିର ବିବାହ ଦେଖିବାକୁ ଚାହୁଁଥିଲେ । ସ୍ଥିତିର ଗମ୍ଭୀରତାକୁ ଦେଖି ତାଙ୍କ ଇଚ୍ଛା ପୂରଣ କରିବାକୁ ପରିବାର ବିକଳ୍ପ ଚିନ୍ତାକଲା । ଶେଷରେ ନବଦମ୍ପତି ଓ ଦୁଇ ପରିବାରର ସହମତିରେ ଭିଡିଓ କଲ୍‌ରେ ବିବାହ ସ୍ଥିର ହେଲା । 

ବର ପକ୍ଷ ବାରାତ୍‌ ନେଇ ଛତିଶଗଡ଼ର ବିଳାସପୁରରୁ ହିମାଚଳପ୍ରଦେଶର ମଣ୍ଡିରେ ପହଞ୍ଚିଲା । କାଜିଙ୍କ ମାର୍ଗଦର୍ଶନରେ ଭିଡିଓ କଲ୍‌ ଜରିଆରେ ବିବାହ ବିଧି ସମ୍ପାଦିତ ହେଲା । ତେବେ ଏହା ପ୍ରଥମ ଘଟଣା ନୁହେଁ । ୨୦୨୩ ମସିହା, ଜୁଲାଇରେ ହିମାଚଳ ପ୍ରଦେଶର ଅନ୍ୟ ଜଣେ ଦମ୍ପତି ଅନ୍‌ଲାଇନ୍‌ ବିବାହ କରିଥିଲେ । ପାର୍ବତ୍ୟାଞ୍ଚଳରେ ବନ୍ୟା, ବର୍ଷା ଓ ଭୂସ୍ଖଳନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାରୁ ଦମ୍ପତିଙ୍କର ଅନ୍‌ଲାଇନ୍‌ ବିବାହ ସମ୍ପନ୍ନ ହୋଇଥିଲା । କୋଭିଡ୍‌ ମହାମାରୀ ସମୟରେ ବିଶ୍ୱବାସୀ ବନ୍ଦୀ ଜୀବନ ବିତାଉଥିବାବେଳେ ଅନେକ ବିବାହ ଭିଡିଓ କଲ୍‌ ମାଧ୍ୟମରେ ହୋଇଥିଲା । କେରଳର ଜଣେ ଦମ୍ପତି ଜୁମ୍‌ ଜରିଆରେ ବିବାହ କରିଥିଲେ । ଜୁମ୍‌ ଆଇଡି ଓ ପାସ୍‌ୱାର୍ଡଯୁକ୍ତ ଏକ ଇ-ନିମନ୍ତ୍ରଣ କାର୍ଡ ସେମାନେ କରିଥିଲେ । ଏହା ଜରିଆରେ ଅତିଥି ଅନ୍‌ଲାଇନ୍‌ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ବର ପକ୍ଷ ସ୍ପିଡ୍‌ ପୋଷ୍ଟ୍‌ ଜରିଆରେ କନ୍ୟା ଘରକୁ ମଙ୍ଗଳସୂତ୍ର ଓ ବିବାହ ପୋଷାକ ପଠାଇଥିଲା ।