ବ୍ରହ୍ମପୁର,୨୫/୦୭: ଘର ଆଗରେ ବୁଲୁଥିଲା ।  ଏହାକୁ ସହ୍ୟ କରି ପାରିଲେ ନାହିଁ । ଶେଷରେ ଗୃହପାଳିତ ଗାଈକୁ ଏସିଡ୍‌ ମାଡ଼ କରିଛନ୍ତି ଜଣେ ବ୍ୟକ୍ତି । ଏ ନେଇ  ଗୁରୁବାର ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି ।  

ଅଭିଯୋଗ ଅନୁଯାୟୀ, ଗାନ୍ଧୀ ନଗର ଅଞ୍ଚଳର ଏମ୍‌.  ରାମକ୍ରିଷ୍ଣା ରାଓ ୭ରୁ ୮ଟି ଗାଈକୁ ପାଳନ କରୁଛନ୍ତି ।  କ୍ଷୀର ବିକ୍ରି କରି ସେ ପରିବାର ପୋଷଣ କରୁଛନ୍ତି ।  ଗତ ରବିବାର ଠାରୁ ତାଙ୍କର ଗୋଟିଏ ଗାଈ ଅସୁସ୍ଥ ହୋଇଥିଲା । ଗାଈର ଦେହ ଉପରେ କ୍ଷତ ଚିହ୍ନ ଦେଖିବାକୁ ପାଇଥିଲେ । ମଙ୍ଗଳବାର ପୁଣି ଆଉ ଏକ ଗାଈ ଉପରେ ଏକାଭଳି କ୍ଷତ ଥିବା ଦେଖିବାକୁ ପାଇଥିଲେ । ଆହତ  ଗାଈଙ୍କୁ ଗୁହାଳରେ ରଖି ଚିକିତ୍ସା କରିବା ସହ ଦୁଇଟି ଗାଈକୁ ବୁଲିବାକୁ ଛାଡ଼ିଥିଲେ । ଦୂରରୁ ରହି ଗାଈ ଉପରେ  ନଜର ରଖିଥିଲେ । ଏହି ସମୟରେ ମାରୁତି ବିହାରର ଜଣେ ବ୍ୟକ୍ତି ତାଙ୍କ ଗାଈ ଉପରକୁ ଏସିଡ୍‌ ଫିଙ୍ଗୁଥିବାର ଦେଖିବାକୁ ପାଇଥିଲେ । ଏନେଇ ପଚାରିବାରୁ ‘ତୁମ ଗାଈ ମୋ ଘର ସାମ୍ନାରେ ବୁଲି ଆବର୍ଜନା କରୁଛି’ ବୋଲି ବ୍ୟକ୍ତି  ଜଣଙ୍କ ଉତ୍ତର ଦେଇଥିଲେ । ଏହା ବିରୋଧରେ ରାମକ୍ରିଷ୍ଣା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।