ଭୁବନେଶ୍ବର,୨୮।୪ :  ଭିନ୍ନ ଭିନ୍ନ ୬ ଟି ମାମଲାରେ ସମ୍ପୃକ୍ତ ଥିବା ୮ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ  ଗିରଫ କରି କୋର୍ଟ ଚାଲାଣ କରିଛି । ପୁରୀର ନୀଳାଦ୍ରୀ ଭକ୍ତ ନିବାସ ନାମରେ ନକଲି ୱେବସାଇଟ୍ ପ୍ରସ୍ତୁତ କରି ଭକ୍ତମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା   ଠକେଇ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି। ସେହିପରି ପୁଞ୍ଜି ନିବେଶ ନାମରେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।   

ପୁରୀର ନୀଳାଦ୍ରୀ ଭକ୍ତ ନିବାସ ନାମରେ ନକଲି ୱେବସାଇଟ୍ ପ୍ରସ୍ତୁତ କରି ଭକ୍ତମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା  ଠକେଇ କରିଥିବା ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ଆଗ୍ରାର ଅଂଶୁମାନ ଶର୍ମା  ଏବଂ ତାଙ୍କ ସହଯୋଗୀ ପ୍ରୟାଗରାଜ ବାସିନ୍ଦା ଅରବିନ୍ଦ କୁମାର । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କ ଅଭିଯୋଗ ଆଧାରରେ ଏହି ଠକେଇ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ମୁତାବକ ଅଭିଯୁକ୍ତ ମାନେ www.neeladribhaktanivas.in ନାମକ ଏକ ନକଲି ୱେବସାଇଟ୍ ଖୋଲି ଭକ୍ତମାନଙ୍କୁ ଏକ ମୋବାଇଲ୍ ନମ୍ବର ଓ ୱାଟସଆପ୍ ଜରିଆରେ ଯୋଗାଯୋଗ କରୁଥିଲେ। ସେମାନେ ନୀଳାଦ୍ରୀ ଭକ୍ତ ନିବାସରେ ରହଣୀ ସୁନିଶ୍ଚିତ କରିବା ନାମରେ ଅନଲାଇନ୍ ମାଧ୍ୟମରେ ଟଙ୍କା ଜମା କରିବାକୁ କହୁଥିଲେ। ଅଭିଯୁକ୍ତଙ୍କ ନିକଟରୁ ଏକ ଲାପଟପ୍, ମୋବାଇଲ୍ ଫୋନ୍, ସିମ୍ କାର୍ଡ, ନୀଳାଦ୍ରୀ ଭକ୍ତ ନିବାସ ୱେବସାଇଟ୍ର ବିବରଣୀ, ଆଧାର କାର୍ଡ, ପାନ୍ କାର୍ଡ ଏବଂ ଗୋଡାଡି ହୋଷ୍ଟିଂ ବିବରଣୀ ଜବତ କରାଯାଇଛି। 

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଭକ୍ତମାନଙ୍କୁ କେବଳ ଅଧିକୃତ ୱେବସାଇଟ୍ www.shreejagannath.in ମାଧ୍ୟମରେ ବୁକିଂ କରିବାକୁ ପରାମର୍ଶ ଦେଇଛି। ପୁରୀ ବୁଲିବାକୁ ଆସୁଥିବା   ପର୍ଯ୍ୟଟକଗଣ  ହୋଟେଲ ବୁକିଂ ସମୟରେ ସତର୍କତା ଅବଲମ୍ବନ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି ।   

ସେହିପରି ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ସାଇବର ଠକେଇ ମାମଲାରେ ଅଭିଯୁକ୍ତ ଆକାଶ କେଶରୱାନୀଙ୍କୁ ପ୍ରୟାଗରାଜରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ସାଇବର ଠକମାନେ ପୂର୍ବତନ ମନ୍ତ୍ରୀଙ୍କୁ ପ୍ରାୟ ଏକ କୋଟି ଚାଳିଶ ଲକ୍ଷ ଟଙ୍କାର ଠକେଇ କରିଥିଲେ। ଠକେଇ ହୋଇ ଥିବା ୩ ଲକ୍ଷ ୭୦ ହଜାର ଟଙ୍କା ଆକାଶର ଆକାଉଣ୍ଟରେ ଡିପୋଜିଟ ହୋଇ ଥିଲା । ଏହି ଗିରଫଦାରୀ ସହ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୮କୁ ପହଞ୍ଚିଛି। ସେୟାର ମାର୍କେଟରେ ନିବେଶ କରିବା ନାଁରେ ଏହି ଠକେଇ କରାଯାଇଥିଲା। କ୍ରାଇମ ବ୍ରାଞ୍ଚ ଏହି ମାମଲାର ତଦନ୍ତ ଜାରି ରଖିଛି ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ବୋଲି କ୍ରାଇମ ବ୍ରାଞ୍ଚ ଡିଜି ଶ୍ରୀ ବିନୟ ତୋଷ ମିଶ୍ର କହିଛନ୍ତି ।

ସେହିପରି କ୍ରାଇମବ୍ରାଞ୍ଚ ଅନ୍ୟ ଏକ ମାମଲା (ନଂ:-୫୦/୨୦୨୪) ରେ ପୋଲିସ ଗୁଜୁରାଟ ରାଜ୍ୟର ସୁରଟ ଅଞ୍ଚଳରେ ରହୁଥିବା   ହିତେଶଭାଇ ପାତ୍ର (୩୯ ବର୍ଷ) ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହିତେଶ ବାଲେଶ୍ୱର ଜିଲ୍ଲାର ମୂଳ ବାସିନ୍ଦା ଏବଂ ସେ ଏବେ ଗୁଜରାଟର ସୁରଟରେ ୱେବସାଇଟ୍ ଡେଭଲପର୍/ଡିଜାଇନର୍ ଭାବେ କାର୍ଯ କରୁଥିଲେ ।  ପୁଞ୍ଜି ନିବେଶ କରିବା ନାମରେ ହିତେଶ ଓ ଅନ୍ୟ ଅଭିଯୁକ୍ତ ମାନେ ପ୍ରାୟ ୧.୨୮ କୋଟି ଟଙ୍କା ଠକେଇ କରିଥିଲେ ।   ସେଥିମଧ୍ୟରୁ ୨୭ ଲକ୍ଷ ଟଙ୍କା ହିତେଶଙ୍କ  ଆକାଉଣ୍ଟରେ ଜମା ହୋଇଥିଲା । 

ସେହିପରି ଅନ୍ୟ ଏକ ମାମଲା (ନଂ:-୬୦/୨୦୨୪) ରେ ଅହମ୍ମଦାବାଦ ସର୍ଦ୍ଦାର ପଟେଲ ରିଙ୍ଗରୋଡ ଅଞ୍ଚଳରେ ରହୁଥିବା ପାର୍ଥ ପରମାର (୨୫)କୁ କ୍ରାଇମ ବ୍ରାଞ୍ଚ ଗିରଫ କରିଛି ।  ଏହି ମାମଲାରେ ଅଭିଯୁକ୍ତମାନେ ପୁଞ୍ଜି ନିବେଶ ନାମରେ ୭.୫ କୋଟି ଟଙ୍କାର ଠକେଇ କରିଥିବା ସଂକ୍ରାନ୍ତରେ ଅଭିଯୋଗ ହୋଇଥିଲା ।  ଅଭିଯୁକ୍ତ ପାର୍ଥଙ୍କ ଆକାଉଣ୍ଟରେ ୨୫ ଲକ୍ଷ ଟଙ୍କା ଜମା ହୋଇଥିବା ସଂକ୍ରାନ୍ତରେ ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା । ପୋଲିସ ଅଭିଯୁକ୍ତ ପାର୍ଥଙ୍କ ନିକଟରୁ ମୋବାଇଲ, ଆଧାର କାର୍ଡ, ପାନ୍ କାର୍ଡ ସାମଗ୍ରୀ ଜବତ କରିଛି।

 ସେହିପରି ଅନ୍ୟ ଏକ ମାମଲା (ନଂ: ୫୭/୨୦୨୪) ରେ ଗୁଜରାଟ, ବେମ୍ବାର୍ଡି, ବୋଲୋଧାମ ଅଞ୍ଚଳରେ ରହୁଥିବା ଠକ୍କର କରସାନଜୀ ସୋଭାଜୀ (୪୮) ଏବଂ ଗୁଜରାଟ, ଖେଡା ଜିଲ୍ଲା, କପାଦଭଞ୍ଜ ଅଞ୍ଚଳର ବାସିନ୍ଦା କୁରେଶି ମହମ୍ମଦ ଅସଲମ୍ (୩୧ ବର୍ଷ)ଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ।   ଉଭୟେ ୮୭.୮ ଲକ୍ଷ ଟଙ୍କା ପୁଞ୍ଜି ନିବେଶ କରିବା ନାମରେ ଲୋକଙ୍କ ନିକଟରୁ ଠକି ନେଇଥିବା ନେଇ ଅଭିଯୋଗ ହୋଇଥିଲା ।    ଅଭିଯୁକ୍ତ ଠକ୍କର କରସାନଜୀ ସୋଭାଜୀଙ୍କ ଆକାଉଣ୍ଟରେ ୯.୩ ଲକ୍ଷ ଟଙ୍କା ଜମା ହୋଇଥିବା ବେଳେ କୁରେଶି ମହମ୍ମଦ ଅସଲମ୍ ଆକାଉଣ୍ଟରେ ୬ ଲକ୍ଷ ଟଙ୍କା ଜମା ହୋଇଥିବା ସଂକ୍ରାନ୍ତରେ ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା । ଉଭୟଙ୍କ ନିକଟରୁ ମୋବାଇଲ୍, ଆଧାର କାର୍ଡ, ପାନ କାର୍ଡ ଜବତ କରାଯାଇଛି ।   

ସେହିପରି ଅନ୍ୟ ଏକ ପୃଥକ ମାମଲା (ନଂ: ୦୩/୨୦୨୫) ରେ ଉତ୍ତରପ୍ରଦେଶ ପ୍ରୟାଗରାଜର  ଆକାଶ କେଶରୱାନି, (୩୩ )ଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଅଭିଯୁକ୍ତ ଆକାଶ ୧.୪ କୋଟି ଟଙ୍କାର ଏକ ପୁଞ୍ଜି ନିବେଶ ଠକେଇ ମାମଲାରେ ସମ୍ପୃକ୍ତ ଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି ।  ତାଙ୍କ ଆକାଉଣ୍ଟକୁ ୩.୭ ଲକ୍ଷ ଟଙ୍କା ସ୍ଥାନାନ୍ତର ହୋଇଥିବା ସଂକ୍ରାନ୍ତରେ ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା।   ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି କ୍ରାଇମବ୍ରାଞ୍ଚ ଡିଜି  ବିନୟ ତୋଷ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଇଜି, କ୍ରାଇମ ବ୍ରାଞ୍ଚ ସାର୍ଥକ ଷଡଙ୍ଗୀ  ଏବଂ ଡିଆଇଜି ବି. ଗଙ୍ଗାଧର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।