ଜମ୍ମୁ କାଶ୍ମୀର, ୦୭/୦୮ : ଅପରେସନ ସାରି ଫେରିବା ବେଳେ ଅଘଟଣ । ୨୦୦ ଫୁଟ ଖାଇକୁ ଖସିଲା ସିଆରପିଏଫ୍ର ବଙ୍କର ଗାଡି। ୩ ସିଆରିଏଫ୍ ଯବାନ ଶହୀଦ, ୧୫ ଆହତ। ଜମ୍ମୁ କାଶ୍ମୀର ଉଧମପୁର ଜିଲ୍ଲା କଣ୍ଡୱା-ବସନ୍ତଗଡ଼ ମାର୍ଗରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସୂଚନାନୁଯାୟୀ, ଗୁରୁବାର ସକାଳ ପ୍ରାୟ ସାଢେ ୧୦ଟା ବେଳେ ସିଆରପିଏଫ୍ ୧୮୭ ବାଟାଲିଅନର ୨୩ଜଣ ଯବାନ ଏକ ବଙ୍କର ଗାଡି ଯୋଗେ ଅପରେସନରୁ ଫେରୁଥିଲେ। କଣ୍ଡୱା-ବସନ୍ତଗଡ଼ ମାର୍ଗରେ ସେନା ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। କିଛି ଯବାନଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଛି।
ଏହି ଘଟଣାକୁ ନେଇ ଅତିରିକ୍ତ ଏସପି ସନ୍ଦୀପ ଭଟ୍ଟ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଦୁର୍ଘଟଣା ନେଇ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରି ଶୋକ ବ୍ୟକ୍ତ କରିଛନ୍ତି। ତ୍ଵରିତ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ରାସ୍ତା ଖରାପ ଥିବାରୁ ଗାଡି ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିବା କୁହାଯାଉଛି। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଛନ୍ତି।