ନୂଆଦିଲ୍ଲୀ,୨୮/୬ : ମାତା ବୈଷ୍ଣୋ ଦେବୀ ଯାତ୍ରା ମାର୍ଗରେ ରବିବାର ଅପରାହ୍ନରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଓଲଟିଲା CSSFର ମେଟାଡୋର । ଏଥିରେ ୧୪ଜଣ ଯବାନ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡ଼ର ସୁରକ୍ଷାରେ ନିୟୋଜିତ ଥିବା ସିଏସଏସଏଫର ଯବାନଙ୍କୁ ନେଇ ଆସୁଥିଲା ଏକ ମେଟାଡୋର ଗାଡ଼ି । ତାରାକୋଟରୁ କଟରା ଆଡ଼କୁ ଆସିବା ସମୟରେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତା ଉପରେ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ପ୍ରାୟ ୧୩ରୁ ୧୪ ଯବାନ ଆହତ ହୋଇଛନ୍ତି । ୩ ଯବାନଙ୍କ ଅବସ୍ଥା ଗମ୍ଭୀର ବୋଲି କୁହାଯାଉଛି । ଏହି ଦୁର୍ଘଟଣା ଏତେ ଅଚାନକ ହୋଇଥିଲା କି ଗାଡ଼ିରେ ଥିବା ଯବାନଙ୍କୁ ସମ୍ଭାଳିବାର ସୁଯୋଗ ମିଳିଲା ନାହିଁ । କେତେକ ଯବାନ ଗମ୍ଭୀର ରୂପରେ ଆହତ ହୋଇଛନ୍ତି । ଏହି ଘଟଣାର ସୂଚନା ମିଳିବା ପରେ ସ୍ଥାନୀୟ ପ୍ରଶାସନ, ପୋଲିସ, ମନ୍ଦିର ବୋର୍ଡ଼ର ଅଧିକାରୀ ତଥା ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ସ୍ଥାନୀୟ ଲୋକେ ବି ଉଦ୍ଧାର କାର୍ଯ୍ୟରେ ସହଯୋଗ କରି ଆହତ ଯବାନଙ୍କୁ ଗାଡ଼ିରୁ ବାହାର କରିବାରେ ସାହାଯ୍ୟ କରିଥିଲେ । ଏହାପରେ ସମସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସା ଲାଗି ଉପ ଜିଲ୍ଲା ହସ୍ପିଟାଲ କଟରାକୁ ନିଆଯାଇଥିଲା । ହସ୍ପିଟାଲର ସୂଚନା ଅନୁସାରେ, ଦୁର୍ଘଟଣାରେ ଆହତ ୧୩ରୁ ୧୪ଯବାନଙ୍କ ପ୍ରାଥମିକ ଚିକିତ୍ସା କରାଯାଇଛି । ଏଥିରେ ୩ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ କାରଣରୁ ଉତ୍ତମ ଚିକିତ୍ସା ଲାଗି ଜିଏମସି ଜମ୍ମୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଯବାନଙ୍କ ଚକିତ୍ସା କଟରା ହସ୍ପିଟାଲରେ ଜାରି ରହିଛି । ପ୍ରାଥମିକ ସୂଚନା ଅନୁସାରେ ଦୁର୍ଘଟଣାର କାରଣ ଗାଡ଼ି ଭାରସାମ୍ୟ ହରାଇବା କାରଣରୁ କୁହାଯାଉଛି ।