ସବୁ ପିଲା ପାଖରେ କିଛି ଭଲ ସହିତ ମନ୍ଦ ମଧ୍ୟ ରହିବ ହିଁ ରହିବ । ସବୁ ପିଲା ସବୁ କାମ କରିପାରିବ ନାହିଁ । କିନ୍ତୁ ସବୁ ପିଲା କିଛି ନା କିଛି ଭଲ କରିପାରିବ । ଦେଖାଯାଉଛି, କିଛି ପିତାମାତା ସେମାନଙ୍କ ନିଜ ଇଚ୍ଛା ପୂରଣ କରିବା ପାଇଁ ନିଜ ସନ୍ତାନମାନଙ୍କୁ ଏକ ଯନ୍ତ୍ର ବୋଲି ଭାବୁଛନ୍ତି ।

ପିତାମାତା ଭାବେ ଏକ ଛୋଟ ପିଲାକୁ ମଣିଷ ପରି ମଣିଷଟିଏ କରି ଗଢ଼ିତୋଳିବା ଦୁନିଆରେ ସବୁବେଳେ ବଡ଼ କଷ୍ଟ କାମ । ଆଜିକାଲିର ଦୁନିଆରେ ତ ତାହା ଆହୁରି ଅଧିକ କଷ୍ଟକର ହୋଇଯାଇଛି । ବିଶେଷକରି ମା'ମାନଙ୍କ ପାଇଁ ଏହା ଏକ ବହୁତ ବଡ଼ ଆହ୍ୱାନ ହେଲାଣି । କାରଣ ପିଲାଟି ସହିତ ମା' ହିଁ ଚବିଶ ଘଣ୍ଟା ପାଖରେ ରହି ପିଲାର ଖାଦ୍ୟ, ପାନୀୟ, ସ୍ୱାସ୍ଥ୍ୟ, ଶିକ୍ଷା, ଆଚାର ବ୍ୟବହାର, ସଂସ୍କାର, ଜିଦି, ଅଝଟପଣିଆ ସବୁକୁ ନରାଗି, ନମାରି ସମ୍ଭାଳିବାକୁ ପଡ଼ିଥାଏ । ସେହି କାର୍ଯ୍ୟରେ ଯଦି ମା'ର ନିଜ ବ୍ୟକ୍ତିଗତ ଅଥବା ଜୀବିକାଗତ ଜୀବନକୁ ଅଣଦେଖା କରିବାକୁ ପଡ଼େ ତେବେ ତାହା ମଧ୍ୟ କରିବାକୁ ପଡ଼ିବ । ପିଲାଟିର ଜୀବନକୁ ସଜାଇବା ଲାଗି ବାପାର ମଧ୍ୟ ସାଧନା କିଛି କମ୍ ନୁହେଁ । ତେଣୁ ତ କୁହନ୍ତି ମା' ଚୁଲି ନିଆଁରେ ଓ ବାପା ଖରାରେ ଜଳିଲେ ଯାଇ ପିଲାଟିଏ ମଣିଷ ହୋଇଥାଏ ।
ବିଗତ ଦିନର କେତୋଟି ଘଟଣା ଦେଖିଲେ ବ୍ୟସ୍ତ ବିବ୍ରତ ଲାଗେ, ଏ ଦୁନିଆରେ ପିତାମାତାଙ୍କ ସନ୍ତାନର ଲାଳନପାଳନ କ୍ଷେତ୍ରରେ ଗତି କୁଆଡ଼େ ହେଲାଣି । ଆମେରିକାର ନିଉ ଜର୍ସି ରାଜ୍ୟରେ ଗୋଟେ ପିତା ତାର ଛଅ ବର୍ଷର ପୁଅର ମୋଟାପଣରେ ବିବ୍ରତ ହୋଇ ଛୁଆଟିକୁ ଏକ ଜିମ୍ନାସିୟମ୍ରେ ଟ୍ରେଡ୍ମିଲରେ ଦୌଡ଼ାଇଲା ପତଳା କରିବା ପାଇଁ। ପିଲାଟି ବାରମ୍ବାର ବାପାକୁ ମନା କଲା ଓ ତିନି ଚାରିଥର ମଧ୍ୟ ଦୌଡ଼ିବା ଅବସ୍ଥାରେ ପଡ଼ିଗଲା । ତା’ ସତ୍ତେ୍ୱ ପିଲାକୁ ଦୌଡ଼ାଇ ଚାଲିଲା ବାପା, ଫଳରେ ପିଲାଟି ମରିଗଲା । ଆଉ ଗୋଟେ ଘଟଣା ଘଟିଛି କର୍ଣ୍ଣାଟକ ରାଜ୍ୟର ଉତ୍ତର କନ୍ନଡ଼ ଜିଲ୍ଲାରେ । ସେଠାରେ ଗୋଟେ ମା' ତା’ ଛଅବର୍ଷର ଶାରୀରିକ ଭାବେ ଅକ୍ଷମ ଛୁଆର ଜିଦ୍ ଓ ଅଝଟରେ ଏତେ ବ୍ୟସ୍ତ ହୋଇଗଲା ଯେ ଛୁଆଟିକୁ ନେଇ ବହୁତ କୁମ୍ଭୀର ଥିବା ଏକ ନଦୀରେ ଫିଙ୍ଗିଦେଲା । ପିତାମାତା ହୋଇ ଏପରି କାର୍ଯ୍ୟ କଲେ କିପରି ଓ ଏହାର କାରଣ ଖୋଜିବା ଦରକାର । ଦୂର ଅତୀତ ସମାଜରେ କେବଳ ଯଦି ଅବିବାହିତ ଅବସ୍ଥାରେ ଝିଅଟିଏ ମା' ହୋଇଯାଉଥିଲା ତେବେ ଲୋକଲଜ୍ଜା ଭୟରେ ବେଳେବେଳେ ଛୁଆକୁ ନେଇ କେଉଁଠି ଗୋଟେ ଛାଡ଼ି ଦେଇଆସୁଥିଲା ମା' । ପିତାମାତାଙ୍କ ଏହି ମାନସିକ ବିକୃତି ବେଶୀ ଦେଖାଯାଉଛି ସେହି ସମାଜରେ, ଯେଉଁଠି ସୁବିଧା ସୁଯୋଗ ଓ ପ୍ରାଚୁର୍ଯ୍ୟ ବେଶୀ ।
ଏ ପ୍ରକାରର ବିକୃତିର ଏକ ସମ୍ଭାବ୍ୟ କାରଣ ହେଲା ଆଜିକାଲିର ପିତାମାତାମାନେ ମୂଳରୁ ହିଁ ଏକ ନୂଆ ପ୍ରକାରର ପ୍ରତିଯୋଗିତା ଆରମ୍ଭ କରିଦେଉଛନ୍ତି । ତା' ଛୁଆ ମୋ ଛୁଆଠୁ ଅଧିକ ଭଲ ପାଠ ପଢ଼ୁଛି, ଅଧିକ ସୁନ୍ଦର, ଅଧିକ ସ୍ମାର୍ଟ ଓ ମୁଁ ମୋ ଛୁଆକୁ ସେମାନଙ୍କଠାରୁ ସବୁଥିରେ ଅଧିକ ଶ୍ରେଷ୍ଠ କରିବି । ଏହି ମାନସିକତା ଯୋଗୁଁ ପିଲାକୁ ପିଲାଟିଏ ଭାବେ ନଦେଖି ଗୋଟେ ରେସ୍ ଘୋଡ଼ା ଭାବେ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଆଜିକାଲିର ଅଧିକାଂଶ ପିତାମାତାଙ୍କୁ ଗୋଟେ ଡିଜାଇନର ଦ୍ୱାରା ପ୍ରସ୍ତୁତ ଓ ନିର୍ମିତ ଏକ ସନ୍ତାନ ଦରକାର³ ଯାହାର ଉଚ୍ଚତା ଏତିକି ହୋଇଥିବ, ଏତିକି ସୁନ୍ଦର ହୋଇଥିବ, ଏତିକି ସ୍ମାର୍ଟ ହୋଇଥିବ, ପଢ଼ିବାରେ ସବୁବେଳେ ପ୍ରଥମ ହେଉଥିବ, ବୁଦ୍ଧିରେ ସମସ୍ତଙ୍କଠାରୁ ଅଧିକ ହୋଇଥିବ, ଖେଳକୁଦରେ ସବୁବେଳେ ପ୍ରଥମ ହେଉଥିବ ଓ ପିତାମାତାଙ୍କ ଏତିକି ଆଜ୍ଞାକାରୀ ହୋଇଥିବ ଯେ ସବୁବେଳେ ପିତାମାତାଙ୍କ ପାଦ ଛୁଉଁଥିବ। ପିତାମାତା ଭୁଲିଯାଉଛନ୍ତି ଯେ ସେମାନଙ୍କ ଛୁଆ କେବେବି ସେମିତି ହେବେନାହିଁ ଯେପରି ସେମାନେ ମନେମନେ ଚାହୁଁଛନ୍ତି । ଏପରି ପିଲା କେଉଁଠି କେବେବି ନଥିଲେ ଓ କେବେ ହେବେନାହିଁ ମଧ୍ୟ । ଗୋଟେ ଛୁଆ ପଢ଼ିବାରେ ଠିକ୍ ଥାଇପାରେ, କିନ୍ତୁ ବେଶି ସୁନ୍ଦର ନହୋଇପାରେ । ବେଶି ସୁନ୍ଦର ହୋଇପାରେ, କିନ୍ତୁ ପାଠ ଭଲ ନପଢ଼ିପାରେ । ପିତାମାତା ନିଜ ଅତୀତକୁ ଦେଖି କୁହନ୍ତୁ ସେମାନେ ସେପରି ଥିଲେ କି? ସବୁ ପିଲା ପାଖରେ କିଛି ଭଲ ସହିତ ମନ୍ଦ ମଧ୍ୟ ରହିବ ହିଁ ରହିବ । ସବୁ ପିଲା ସବୁକାମ କରିପାରିବ ନାହିଁ । କିନ୍ତୁ ସବୁ ପିଲା କିଛି ନା କିଛି ଭଲ କରିପାରିବ । ଦେଖାଯାଉଛି, କିଛି ପିତାମାତା ସେମାନଙ୍କ ନିଜ ଇଚ୍ଛା ପୂରଣ କରିବା ପାଇଁ ନିଜ ସନ୍ତାନମାନଙ୍କୁ ଏକ ଯନ୍ତ୍ର ବୋଲି ଭାବୁଛନ୍ତି । ପିଲା ଯେଯାଏଁ ଘରେ ଅଛି ଠିକ୍ ଅଛି । ଯେତେବେଳେ ବାହାରକୁ ଯିବ ସେତେବେଳେ ଆହୁରି ମୁସ୍କିଲ । ଆମ ସମୟରେ ଯେଉଁ କଥା ଥିଲା ତାହା ଆଜିକାର ସମୟରେ ଆଉ ନାହିଁ । ଆମ ନୂଆ ପିଢ଼ି ପ୍ରକୃତରେ ଏପରି ଏକ ସମୟ ଦେଇ ଗତି କରୁଛନ୍ତି ଯାହା ମାନବ ଇତିହାସରେ ଆଜିଯାଏଁ ଆସିନଥିଲା। ଏହି ସତ୍ୟ ପିତାମାତା ଯେତେ ଶୀଘ୍ର ବୁଝିଯିବେ ସେତିକି ଭଲ । ଆମ ପିଲାଦିନେ ଆମେ ସ୍କୁଲ ଯାଉଥିଲେ ଓ ସ୍କୁଲରେ କିଛି ଗଡ଼ବଡ଼ ହେଲେ ମଧ୍ୟ ସ୍କୁଲରେ କଥା ସରିଯାଉଥିଲା । ଅତିବେଶି ହେଲେ ପିତାମାତାଙ୍କ ପାଖକୁ ସ୍କୁଲରୁ ଗୋଟେ ଚିଠି ଆସୁଥିଲା ଓ ଘରେ ବେଳେବେଳେ ମାଡ଼ ଖାଇବାକୁ ପଡୁଥିଲା ଓ କଥା ସରିଲା । ଆମ ଉପରେ ଶିକ୍ଷକ, ପିତାମାତା, ସ୍କୁଲର ସାଙ୍ଗସାଥୀ ଓ ସାହିର ସାଙ୍ଗସାଥୀଙ୍କ ପ୍ରଭାବ ପଡୁଥିଲା । ଆମ ଦୁନିଆଟା ଏତିକିରେ ସୀମିତ ଥିଲା । ସ୍କୁଲରେ ଆମେ ପାଠ ସରିବା ପରେ ଖୁବ୍ ଖେଳୁଥିଲେ । ଆଉ କିଛି ନଥିଲା । ତା'ପରେ ଧୀରେ ଧୀରେ ଆସିଲା ମାରିଓ ନାମକ ଏକ ଭିଡିଓ ଗେମ୍ । ଏହି ଖେଳ ଖେଳିବାକୁ ଅଳ୍ପ କେତୋଟି ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାକୁ ପଡୁଥିଲା । ଘରୁ ପଇସା ମାଗି ଅଥବା ବେଳେବେଳେ ବାପାଙ୍କ ପକେଟ୍ରୁ ଅଥବା ମା'ଙ୍କ କାନିରୁ ପଇସା ଚୋରାଇ ଭିଡିଓ ଗେମ୍ ଖେଳିବାକୁ ଯାଉଥିଲେ ।
କିନ୍ତୁ ଆଜିକାର ସମାଜରେ ଆମ ସନ୍ତାନମାନଙ୍କ ସବୁଠାରୁ ବଡ଼ ଉପଲବ୍ଧି ହିଁ ସବୁଠାରୁ ବଡ଼ ଚିନ୍ତାର କାରଣ ହେଲାଣି । ସେମାନେ ଇଣ୍ଟରନେଟ୍ ଯୁଗର ପିଲା । ଆମ ପିଢ଼ି ସବୁ ପରିବର୍ତ୍ତନ ଦେଖିଲା । ଦୁନିଆର ସବୁଠାରୁ ରୋଚକ ପିଢ଼ିର ଲୋକ ଆମେ । ଆମରି ସମୟରେ ବ୍ଲାକ୍ ଏଣ୍ଡ ହ୍ୱାଇଟ୍ ଟେଲିଭିଜନ ଆସିଲା, ରଙ୍ଗୀନ ଟିଭି, ଭିସିଆର, ଭି.ସି., ମୋବାଇଲ, ସ୍ମାର୍ଟଫୋନ୍, ଫେସ୍ବୁକ, ରୋବୋଟେକ୍ସ, ଏ.ଆଇ. । ଆଜି ଆମେ ଏହି ବିନ୍ଦୁରେ ଆସି ପହଞ୍ଚିଲେଣି ଯେ ଯନ୍ତ୍ରପାତିଗୁଡ଼ିକ ପ୍ରତିଟି କ୍ଷେତ୍ରରେ ମଣିଷକୁ ପରାସ୍ତ କରିବାକୁ ଯାଉଛି । ଏପରି ଏକ ସମୟରେ ଯେଉଁ ପିଲା ଜନ୍ମ ହେଉଛନ୍ତି ତାକୁ ଜନ୍ମ ହେଉ ହେଉ ମା'ବାପା ଲଗାଇଦେଉଛନ୍ତି ଟି.ଭି., ମୋବାଇଲରେ । ପିଲା ଭାବୁଛି ଗୋଟେ ମୋ ମା', ଗୋଟେ ମୋ ବାପା ଓ ଏହି ଦୁଇଜଣଙ୍କଠାରୁ ଅଧିକ ଆକର୍ଷଣୀୟ ହେଲା ମୋବାଇଲ ଓ ଟେଲିଭିଜନ, ଯେଉଁଠୁ ସବୁବେଳେ ଭଲ ଭଲ ଜିନିଷ ଆସୁଛି । ବାପା ମା' ବି ଖୁସି ଯେ ତାଙ୍କ ଚିନ୍ତା କମିଗଲା । କିନ୍ତୁ ଏହା ସହିତ ଆସିଥାଏ ଏହି ପିଲାମାନେ ଖେଳିବାକୁ ଆଉ ଭଲପାଇବେ ନାହିଁ । ବାହାର ଦୁନିଆର ନିୟନ୍ତ୍ରଣ ଆଉ ରହିଲା ନାହିଁ । ଫଳରେ ବିଗିଡ଼ିବା ସମ୍ଭାବନା ବହୁତ ବଢ଼ିଯାଏ । ଆଜିକାଲିର ଇଣ୍ଟରନେଟ୍ ଯୁଗରେ ବିଗିଡ଼ିବା ପାଇଁ ଗୋଟେ ସାତବର୍ଷର ପିଲାର ଦୁନିଆ ବିଷୟରେ ଯେତିକି ଜ୍ଞାନ ଅଛି ଆମ ସମୟରେ ପନ୍ଦରରୁ କୋଡ଼ିଏ ବର୍ଷର ପିଲାର ନଥିଲା । ଏହି ଛୋଟ ପିଲାମାନଙ୍କ ଜୀବନକୁ ତଳିତଳାନ୍ତ କରିବାକୁ ଇଣ୍ଟରନେଟ୍ରେ ଥିବା ରାକ୍ଷସମାନଙ୍କୁ ଅତି ସହଜ ହୋଇଥାଏ । ସେହି ରାକ୍ଷସମାନେ ଛୋଟ ଛୋଟ ପିଲାଙ୍କୁ ନାନା ପ୍ରଲୋଭନ ଦେଖାଇ ଏକରକମର ନଷ୍ଟ କରିଦେବେ । ପିତାମାତା ଜାଣିପାରୁନାହାନ୍ତି ଯେ, ସେମାନେ କେଉଁ ଭୟାନକ ସ୍ଥିତିରେ ଅଛନ୍ତି ଓ କେଉଁ ବିପଦ ଦେଇ ଗତି କରୁଛନ୍ତି । ପିଲାଙ୍କୁ ବୁଝାଇବା ଦରକାର, ଆମ ପିଢ଼ିରେ ଏ ବିପଦ ନଥିଲା ।
ପିତାମାତା ପ୍ରଥମେ ନିଜକୁ ପ୍ରଶ୍ନ କରିବା ଦରକାର ଯେ ସେମାନେ ପିଲାଠାରୁ କ'ଣ ଚାହୁଁଛନ୍ତି । ଯଦି ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଯିବ ତେବେ ସବୁ ଉପାୟ ଆପେ ମିଳିଯିବ । ପ୍ରତ୍ୟେକ ପିତାମାତା ଚାହାନ୍ତି ତାଙ୍କ ସନ୍ତାନମାନେ ଜୀବନରେ ସଫଳ ହୁଅନ୍ତୁ । ସେମାନଙ୍କ ପାଇଁ କ'ଣ ସଫଳତାର ଅର୍ଥ- ପିଲାଟି ଖୁବ୍ ଅର୍ଥ ଉପାର୍ଜନ କରୁ, କ୍ଷମତା ଓ ପ୍ରତିପତ୍ତିଶାଳୀ ହେଉ, ପ୍ରସିଦ୍ଧି ଲାଭ କରୁ, ହେଉପଛେ ଅଳ୍ପ ରୋଜଗାରୀ, କ୍ଷମତାଶାଳୀ ଓ ପ୍ରତିପତ୍ତିଶାଳୀ । କିନ୍ତୁ ଏକ ଭଲ ମଣିଷ ହେଉ, ଦରଦୀ ମଣିଷ ହେଉ, ସମସ୍ତଙ୍କ ସହିତ ମିଳିମିଶି ରହୁ, ଖୁସ୍ ମିଜାଜ ହେଉ ଓ ସୁଖ ଶାନ୍ତିରେ ରହୁ । ପ୍ରତ୍ୟେକ ପିତାମାତା ଚାହାଁନ୍ତି ତାଙ୍କ ସନ୍ତାନମାନେ ଜୀବନରେ ସୁଖୀ ଓ ଖୁସି ରୁହନ୍ତୁ । ଏହାଠାରୁ ଅଧିକ ଭଲ କଥା ଆଉ କ'ଣ ହୋଇପାରେ ।
ପରିଶେଷରେ ଏହା କୁହାଯାଇପାରେ, ପ୍ରାରମ୍ଭରେ ପ୍ରତ୍ୟେକ ପିଲା ସାଧାରଣ ଶିଶୁ । ପଢ଼ିବାରେ, ଖେଳିବାରେ ଓ ପ୍ରତିଟି କ୍ଷେତ୍ରରେ ସାମାନ୍ୟ ଥାଆନ୍ତି । ସେମାନେ ଅଧିକ ଚାପ ନେଇପାରିବେ ନାହିଁ । ସେମାନଙ୍କୁ ସେମାନଙ୍କ ସାଧାରଣତାକୁ ଉପଭୋଗ କରିବାକୁ ଦିଆଯିବା ସମୀଚୀନ । ସବୁ ପିଲା ମହାନ ହୋଇପାରିବେ ନାହିଁ । ଆଉ ଏକ କଥା ମନେରଖିବା ଉଚିତ୍, ଯେପର୍ଯ୍ୟନ୍ତ ଜ୍ଞାନ ଓ ବୁଦ୍ଧିମତ୍ତାର ଏକ ଉଚ୍ଛ୍ୱସିତ ସ୍ଫୁରଣ(ସ୍ପାର୍କ) ନହୋଇଛି ପିଲା କିଛି ବଡ଼ କରିପାରିବେ ନାହିଁ । ପ୍ରତି ପିଲାର ଜୀବନରେ ଏହି ସ୍ପାର୍କ ଭିନ୍ନ ଭିନ୍ନ ସମୟରେ ଆସିଥାଏ । ବିବେକାନନ୍ଦ ଯେଯାଏଁ ରାମକୃଷ୍ଣ ପରମହଂସଙ୍କ ସାନ୍ନିଧ୍ୟ ଲାଭ କରିନଥିଲେ ସେଯାଏଁ ସେହି ସ୍ପାର୍କ ଆସିନଥିଲା । ମହାବୀର ତିରିଶ ବର୍ଷରେ ଘର ଛାଡ଼ିଲେ ଓ ବାର ବର୍ଷ ତପସ୍ୟା କଲାପରେ ସେହି ସ୍ପାର୍କ ଆସିଥିଲା । ଭଗବାନ ଗୌତମ ବୁଦ୍ଧଙ୍କ ଅଠେଇଶ ବର୍ଷ ପରେ ଏହି ସ୍ପାର୍କ ଆସିଥିଲା । ଦୁନିଆରେ ଯେତେ ମହାନ୍ ଲୋକ ହୋଇଛନ୍ତି ସେମାନେ ପାଖାପାଖି ଅଠେଇଶରୁ ତିରିଶ ବର୍ଷ ମଧ୍ୟରେ ମହାନତାର ପ୍ରଥମ ବିନ୍ଦୁରେ ପହଞ୍ଚିଛନ୍ତି । ପିତାମାତା ଯଦି ଆଶା କରୁଛନ୍ତି ଯେ, ସେମାନଙ୍କ ସନ୍ତାନମାନେ ବାର/ତେର ବର୍ଷରେ ମହାନ୍ ହୋଇଯିବେ, ତେବେ ଦିବା ସ୍ୱପ୍ନ । ସେହି ସ୍ପାର୍କକୁ ପ୍ରତ୍ୟେକ ପିତାମାତା ଅପେକ୍ଷା କରନ୍ତୁ । ସେହି ସ୍ପାର୍କ ପ୍ରତ୍ୟେକ ପିଲାର ଜୀବନରେ ଆସିବ ହିଁ ଆସିବ ଓ ଯେତେବେଳେ ଆସିବ ସେତେବେଳେ ଆଶାତୀତ ସଫଳତା ମିଳିବ ହିଁ ମିଳିବ । ପିତାମାତାମାନେ ସେହି ସ୍ପାର୍କର ବାତାବରଣ ସୃଷ୍ଟିକଲେ ସେମାନଙ୍କ ସନ୍ତାନମାନଙ୍କର ହିତସାଧନ ହେବ ।