ସବୁ ପିଲା ପାଖରେ କିଛି ଭଲ ସହିତ ମନ୍ଦ ମଧ୍ୟ ରହିବ  ହିଁ ରହିବ । ସବୁ ପିଲା ସବୁ କାମ କରିପାରିବ ନାହିଁ । କିନ୍ତୁ  ସବୁ ପିଲା କିଛି ନା କିଛି ଭଲ କରିପାରିବ । ଦେଖାଯାଉଛିକିଛି ପିତାମାତା ସେମାନଙ୍କ ନିଜ ଇଚ୍ଛା ପୂରଣ କରିବା  ପାଇଁ ନିଜ ସନ୍ତାନମାନଙ୍କୁ ଏକ ଯନ୍ତ୍ର ବୋଲି ଭାବୁଛନ୍ତି ।

godhaneswar hota

ପିତାମାତା ଭାବେ ଏକ ଛୋଟ ପିଲାକୁ  ମଣିଷ ପରି ମଣିଷଟିଏ କରି  ଗଢ଼ିତୋଳିବା ଦୁନିଆରେ ସବୁବେଳେ ବଡ଼  କଷ୍ଟ କାମ । ଆଜିକାଲିର ଦୁନିଆରେ ତ ତାହା  ଆହୁରି ଅଧିକ କଷ୍ଟକର ହୋଇଯାଇଛି ।  ବିଶେଷକରି ମା'ମାନଙ୍କ ପାଇଁ ଏହା ଏକ  ବହୁତ ବଡ଼ ଆହ୍ୱାନ ହେଲାଣି । କାରଣ  ପିଲାଟି ସହିତ ମା' ହିଁ ଚବିଶ ଘଣ୍ଟା ପାଖରେ  ରହି ପିଲାର ଖାଦ୍ୟ, ପାନୀୟ, ସ୍ୱାସ୍ଥ୍ୟଶିକ୍ଷା, ଆଚାର ବ୍ୟବହାର, ସଂସ୍କାର, ଜିଦିଅଝଟପଣିଆ ସବୁକୁ ନରାଗି, ନମାରି  ସମ୍ଭାଳିବାକୁ ପଡ଼ିଥାଏ । ସେହି କାର୍ଯ୍ୟରେ  ଯଦି ମା'ର ନିଜ ବ୍ୟକ୍ତିଗତ ଅଥବା  ଜୀବିକାଗତ ଜୀବନକୁ ଅଣଦେଖା କରିବାକୁ  ପଡ଼େ ତେବେ ତାହା ମଧ୍ୟ କରିବାକୁ ପଡ଼ିବ ।  ପିଲାଟିର ଜୀବନକୁ ସଜାଇବା ଲାଗି ବାପାର  ମଧ୍ୟ ସାଧନା କିଛି କମ୍‌ ନୁହେଁ । ତେଣୁ ତ  କୁହନ୍ତି ମା' ଚୁଲି ନିଆଁରେ ଓ ବାପା ଖରାରେ  ଜଳିଲେ ଯାଇ ପିଲାଟିଏ ମଣିଷ ହୋଇଥାଏ ।

ବିଗତ ଦିନର କେତୋଟି ଘଟଣା  ଦେଖିଲେ ବ୍ୟସ୍ତ ବିବ୍ରତ ଲାଗେ, ଏ  ଦୁନିଆରେ ପିତାମାତାଙ୍କ ସନ୍ତାନର  ଲାଳନପାଳନ କ୍ଷେତ୍ରରେ ଗତି କୁଆଡ଼େ  ହେଲାଣି । ଆମେରିକାର ନିଉ ଜର୍ସି ରାଜ୍ୟରେ  ଗୋଟେ ପିତା ତାର ଛଅ ବର୍ଷର ପୁଅର  ମୋଟାପଣରେ ବିବ୍ରତ ହୋଇ ଛୁଆଟିକୁ ଏକ  ଜିମ୍ନାସିୟମ୍‌ରେ ଟ୍ରେଡ୍‌ମିଲରେ ଦୌଡ଼ାଇଲା  ପତଳା କରିବା ପାଇଁ। ପିଲାଟି ବାରମ୍ବାର  ବାପାକୁ ମନା କଲା ଓ ତିନି ଚାରିଥର ମଧ୍ୟ  ଦୌଡ଼ିବା ଅବସ୍ଥାରେ ପଡ଼ିଗଲା । ତାସତ୍ତେ୍ୱ  ପିଲାକୁ ଦୌଡ଼ାଇ ଚାଲିଲା ବାପା, ଫଳରେ  ପିଲାଟି ମରିଗଲା । ଆଉ ଗୋଟେ ଘଟଣା  ଘଟିଛି କର୍ଣ୍ଣାଟକ ରାଜ୍ୟର ଉତ୍ତର କନ୍ନଡ଼  ଜିଲ୍ଲାରେ । ସେଠାରେ ଗୋଟେ ମା' ତା’  ଛଅବର୍ଷର ଶାରୀରିକ ଭାବେ ଅକ୍ଷମ ଛୁଆର  ଜିଦ୍‌ ଓ ଅଝଟରେ ଏତେ ବ୍ୟସ୍ତ ହୋଇଗଲା  ଯେ ଛୁଆଟିକୁ ନେଇ ବହୁତ କୁମ୍ଭୀର ଥିବା  ଏକ ନଦୀରେ ଫିଙ୍ଗିଦେଲା । ପିତାମାତା  ହୋଇ ଏପରି କାର୍ଯ୍ୟ କଲେ କିପରି ଓ  ଏହାର କାରଣ ଖୋଜିବା ଦରକାର । ଦୂର  ଅତୀତ ସମାଜରେ କେବଳ ଯଦି ଅବିବାହିତ  ଅବସ୍ଥାରେ ଝିଅଟିଏ ମା' ହୋଇଯାଉଥିଲା  ତେବେ ଲୋକଲଜ୍ଜା ଭୟରେ ବେଳେବେଳେ  ଛୁଆକୁ ନେଇ କେଉଁଠି ଗୋଟେ ଛାଡ଼ି  ଦେଇଆସୁଥିଲା ମା' । ପିତାମାତାଙ୍କ ଏହି  ମାନସିକ ବିକୃତି ବେଶୀ ଦେଖାଯାଉଛି ସେହି  ସମାଜରେ, ଯେଉଁଠି ସୁବିଧା ସୁଯୋଗ ଓ  ପ୍ରାଚୁର୍ଯ୍ୟ ବେଶୀ । 

ଏ ପ୍ରକାରର ବିକୃତିର ଏକ ସମ୍ଭାବ୍ୟ  କାରଣ ହେଲା ଆଜିକାଲିର ପିତାମାତାମାନେ  ମୂଳରୁ ହିଁ ଏକ ନୂଆ ପ୍ରକାରର ପ୍ରତିଯୋଗିତା  ଆରମ୍ଭ କରିଦେଉଛନ୍ତି । ତା' ଛୁଆ ମୋ  ଛୁଆଠୁ ଅଧିକ ଭଲ ପାଠ ପଢ଼ୁଛି, ଅଧିକ  ସୁନ୍ଦର, ଅଧିକ ସ୍ମାର୍ଟ ଓ ମୁଁ ମୋ ଛୁଆକୁ  ସେମାନଙ୍କଠାରୁ ସବୁଥିରେ ଅଧିକ ଶ୍ରେଷ୍ଠ  କରିବି । ଏହି ମାନସିକତା ଯୋଗୁଁ ପିଲାକୁ  ପିଲାଟିଏ ଭାବେ ନଦେଖି ଗୋଟେ ରେସ୍‌  ଘୋଡ଼ା ଭାବେ ପ୍ରସ୍ତୁତ କରିବାରେ ଲାଗିଛନ୍ତି ।  ଆଜିକାଲିର ଅଧିକାଂଶ ପିତାମାତାଙ୍କୁ  ଗୋଟେ ଡିଜାଇନର ଦ୍ୱାରା ପ୍ରସ୍ତୁତ ଓ  ନିର୍ମିତ ଏକ ସନ୍ତାନ ଦରକାର³ ଯାହାର  ଉଚ୍ଚତା ଏତିକି ହୋଇଥିବ, ଏତିକି ସୁନ୍ଦର  ହୋଇଥିବ, ଏତିକି ସ୍ମାର୍ଟ ହୋଇଥିବପଢ଼ିବାରେ ସବୁବେଳେ ପ୍ରଥମ ହେଉଥିବବୁଦ୍ଧିରେ ସମସ୍ତଙ୍କଠାରୁ ଅଧିକ ହୋଇଥିବଖେଳକୁଦରେ ସବୁବେଳେ ପ୍ରଥମ  ହେଉଥିବ ଓ ପିତାମାତାଙ୍କ ଏତିକି ଆଜ୍ଞାକାରୀ  ହୋଇଥିବ ଯେ ସବୁବେଳେ ପିତାମାତାଙ୍କ  ପାଦ ଛୁଉଁଥିବ। ପିତାମାତା ଭୁଲିଯାଉଛନ୍ତି  ଯେ ସେମାନଙ୍କ ଛୁଆ କେବେବି ସେମିତି  ହେବେନାହିଁ ଯେପରି ସେମାନେ ମନେମନେ  ଚାହୁଁଛନ୍ତି । ଏପରି ପିଲା କେଉଁଠି କେବେବି  ନଥିଲେ ଓ କେବେ ହେବେନାହିଁ ମଧ୍ୟ । ଗୋଟେ ଛୁଆ ପଢ଼ିବାରେ ଠିକ୍‌ ଥାଇପାରେକିନ୍ତୁ ବେଶି ସୁନ୍ଦର ନହୋଇପାରେ । ବେଶି  ସୁନ୍ଦର ହୋଇପାରେ, କିନ୍ତୁ ପାଠ ଭଲ  ନପଢ଼ିପାରେ । ପିତାମାତା ନିଜ ଅତୀତକୁ  ଦେଖି କୁହନ୍ତୁ ସେମାନେ ସେପରି ଥିଲେ କିସବୁ ପିଲା ପାଖରେ କିଛି ଭଲ ସହିତ ମନ୍ଦ  ମଧ୍ୟ ରହିବ ହିଁ ରହିବ । ସବୁ ପିଲା ସବୁକାମ  କରିପାରିବ ନାହିଁ । କିନ୍ତୁ ସବୁ ପିଲା କିଛି ନା  କିଛି ଭଲ କରିପାରିବ । ଦେଖାଯାଉଛି, କିଛି  ପିତାମାତା ସେମାନଙ୍କ ନିଜ ଇଚ୍ଛା ପୂରଣ  କରିବା ପାଇଁ ନିଜ ସନ୍ତାନମାନଙ୍କୁ ଏକ ଯନ୍ତ୍ର  ବୋଲି ଭାବୁଛନ୍ତି । ପିଲା ଯେଯାଏଁ ଘରେ ଅଛି ଠିକ୍‌  ଅଛି । ଯେତେବେଳେ ବାହାରକୁ ଯିବ  ସେତେବେଳେ ଆହୁରି ମୁସ୍କିଲ । ଆମ  ସମୟରେ ଯେଉଁ କଥା ଥିଲା ତାହା  ଆଜିକାର ସମୟରେ ଆଉ ନାହିଁ । ଆମ  ନୂଆ ପିଢ଼ି ପ୍ରକୃତରେ ଏପରି ଏକ  ସମୟ ଦେଇ ଗତି କରୁଛନ୍ତି ଯାହା ମାନବ  ଇତିହାସରେ ଆଜିଯାଏଁ ଆସିନଥିଲା। ଏହି  ସତ୍ୟ ପିତାମାତା ଯେତେ ଶୀଘ୍ର ବୁଝିଯିବେ  ସେତିକି ଭଲ । ଆମ ପିଲାଦିନେ ଆମେ  ସ୍କୁଲ ଯାଉଥିଲେ ଓ ସ୍କୁଲରେ କିଛି ଗଡ଼ବଡ଼  ହେଲେ ମଧ୍ୟ ସ୍କୁଲରେ କଥା ସରିଯାଉଥିଲା ।  ଅତିବେଶି ହେଲେ ପିତାମାତାଙ୍କ ପାଖକୁ  ସ୍କୁଲରୁ ଗୋଟେ ଚିଠି ଆସୁଥିଲା ଓ ଘରେ  ବେଳେବେଳେ ମାଡ଼ ଖାଇବାକୁ ପଡୁଥିଲା  ଓ କଥା ସରିଲା । ଆମ ଉପରେ ଶିକ୍ଷକପିତାମାତା, ସ୍କୁଲର ସାଙ୍ଗସାଥୀ ଓ ସାହିର  ସାଙ୍ଗସାଥୀଙ୍କ ପ୍ରଭାବ ପଡୁଥିଲା । ଆମ  ଦୁନିଆଟା ଏତିକିରେ ସୀମିତ ଥିଲା ।  ସ୍କୁଲରେ ଆମେ ପାଠ ସରିବା ପରେ ଖୁବ୍‌  ଖେଳୁଥିଲେ । ଆଉ କିଛି ନଥିଲା । ତା'ପରେ  ଧୀରେ ଧୀରେ ଆସିଲା ମାରିଓ ନାମକ ଏକ  ଭିଡିଓ ଗେମ୍‌ । ଏହି ଖେଳ ଖେଳିବାକୁ ଅଳ୍ପ  କେତୋଟି ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାକୁ ପଡୁଥିଲା ।  ଘରୁ ପଇସା ମାଗି ଅଥବା ବେଳେବେଳେ  ବାପାଙ୍କ ପକେଟ୍‌ରୁ ଅଥବା ମା'ଙ୍କ କାନିରୁ  ପଇସା ଚୋରାଇ ଭିଡିଓ ଗେମ୍‌ ଖେଳିବାକୁ  ଯାଉଥିଲେ । 

କିନ୍ତୁ ଆଜିକାର ସମାଜରେ ଆମ  ସନ୍ତାନମାନଙ୍କ ସବୁଠାରୁ ବଡ଼ ଉପଲବ୍ଧି ହିଁ  ସବୁଠାରୁ ବଡ଼ ଚିନ୍ତାର କାରଣ ହେଲାଣି ।  ସେମାନେ ଇଣ୍ଟରନେଟ୍‌ ଯୁଗର ପିଲା ।  ଆମ ପିଢ଼ି ସବୁ ପରିବର୍ତ୍ତନ ଦେଖିଲା ।  ଦୁନିଆର ସବୁଠାରୁ ରୋଚକ ପିଢ଼ିର ଲୋକ  ଆମେ । ଆମରି ସମୟରେ ବ୍ଲାକ୍‌ ଏଣ୍ଡ  ହ୍ୱାଇଟ୍‌ ଟେଲିଭିଜନ ଆସିଲା, ରଙ୍ଗୀନ ଟିଭିଭିସିଆର, ଭି.ସି., ମୋବାଇଲ, ସ୍ମାର୍ଟଫୋନ୍‌ଫେସ୍‌ବୁକ, ରୋବୋଟେକ୍ସ, ଏ.ଆଇ. । ଆଜି  ଆମେ ଏହି ବିନ୍ଦୁରେ ଆସି ପହଞ୍ଚିଲେଣି ଯେ  ଯନ୍ତ୍ରପାତିଗୁଡ଼ିକ ପ୍ରତିଟି କ୍ଷେତ୍ରରେ ମଣିଷକୁ  ପରାସ୍ତ କରିବାକୁ ଯାଉଛି । ଏପରି ଏକ  ସମୟରେ ଯେଉଁ ପିଲା ଜନ୍ମ ହେଉଛନ୍ତି  ତାକୁ ଜନ୍ମ ହେଉ ହେଉ  ମା'ବାପା ଲଗାଇଦେଉଛନ୍ତି  ଟି.ଭି., ମୋବାଇଲରେ ।  ପିଲା ଭାବୁଛି ଗୋଟେ ମୋ  ମା', ଗୋଟେ ମୋ ବାପା  ଓ ଏହି ଦୁଇଜଣଙ୍କଠାରୁ  ଅଧିକ ଆକର୍ଷଣୀୟ ହେଲା  ମୋବାଇଲ ଓ ଟେଲିଭିଜନଯେଉଁଠୁ ସବୁବେଳେ ଭଲ  ଭଲ ଜିନିଷ ଆସୁଛି । ବାପା  ମା' ବି ଖୁସି ଯେ ତାଙ୍କ ଚିନ୍ତା କମିଗଲା । କିନ୍ତୁ  ଏହା ସହିତ ଆସିଥାଏ ଏହି ପିଲାମାନେ  ଖେଳିବାକୁ ଆଉ ଭଲପାଇବେ ନାହିଁ ।  ବାହାର ଦୁନିଆର ନିୟନ୍ତ୍ରଣ ଆଉ ରହିଲା  ନାହିଁ । ଫଳରେ ବିଗିଡ଼ିବା ସମ୍ଭାବନା ବହୁତ  ବଢ଼ିଯାଏ । ଆଜିକାଲିର ଇଣ୍ଟରନେଟ୍‌ ଯୁଗରେ  ବିଗିଡ଼ିବା ପାଇଁ ଗୋଟେ ସାତବର୍ଷର ପିଲାର  ଦୁନିଆ ବିଷୟରେ ଯେତିକି ଜ୍ଞାନ ଅଛି ଆମ  ସମୟରେ ପନ୍ଦରରୁ କୋଡ଼ିଏ ବର୍ଷର ପିଲାର  ନଥିଲା । ଏହି ଛୋଟ ପିଲାମାନଙ୍କ ଜୀବନକୁ  ତଳିତଳାନ୍ତ କରିବାକୁ ଇଣ୍ଟରନେଟ୍‌ରେ ଥିବା  ରାକ୍ଷସମାନଙ୍କୁ ଅତି ସହଜ ହୋଇଥାଏ ।  ସେହି ରାକ୍ଷସମାନେ ଛୋଟ ଛୋଟ ପିଲାଙ୍କୁ  ନାନା ପ୍ରଲୋଭନ ଦେଖାଇ ଏକରକମର ନଷ୍ଟ  କରିଦେବେ । ପିତାମାତା ଜାଣିପାରୁନାହାନ୍ତି  ଯେ, ସେମାନେ କେଉଁ ଭୟାନକ ସ୍ଥିତିରେ  ଅଛନ୍ତି ଓ କେଉଁ ବିପଦ ଦେଇ ଗତି  କରୁଛନ୍ତି । ପିଲାଙ୍କୁ ବୁଝାଇବା ଦରକାର, ଆମ  ପିଢ଼ିରେ ଏ ବିପଦ ନଥିଲା । 

ପିତାମାତା ପ୍ରଥମେ ନିଜକୁ ପ୍ରଶ୍ନ କରିବା  ଦରକାର ଯେ ସେମାନେ ପିଲାଠାରୁ କ'ଣ  ଚାହୁଁଛନ୍ତି । ଯଦି ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଯିବ  ତେବେ ସବୁ ଉପାୟ ଆପେ ମିଳିଯିବ ।  ପ୍ରତ୍ୟେକ ପିତାମାତା ଚାହାନ୍ତି ତାଙ୍କ  ସନ୍ତାନମାନେ ଜୀବନରେ ସଫଳ ହୁଅନ୍ତୁ ।  ସେମାନଙ୍କ ପାଇଁ କ'ଣ ସଫଳତାର ଅର୍ଥ-  ପିଲାଟି ଖୁବ୍‌ ଅର୍ଥ ଉପାର୍ଜନ କରୁ, କ୍ଷମତା  ଓ ପ୍ରତିପତ୍ତିଶାଳୀ ହେଉ, ପ୍ରସିଦ୍ଧି ଲାଭ କରୁହେଉପଛେ ଅଳ୍ପ ରୋଜଗାରୀ, କ୍ଷମତାଶାଳୀ  ଓ ପ୍ରତିପତ୍ତିଶାଳୀ । କିନ୍ତୁ ଏକ ଭଲ ମଣିଷ  ହେଉ, ଦରଦୀ ମଣିଷ ହେଉ, ସମସ୍ତଙ୍କ  ସହିତ ମିଳିମିଶି ରହୁ, ଖୁସ୍‌ ମିଜାଜ ହେଉ  ଓ ସୁଖ ଶାନ୍ତିରେ ରହୁ । ପ୍ରତ୍ୟେକ ପିତାମାତା  ଚାହାଁନ୍ତି ତାଙ୍କ ସନ୍ତାନମାନେ ଜୀବନରେ ସୁଖୀ  ଓ ଖୁସି ରୁହନ୍ତୁ । ଏହାଠାରୁ ଅଧିକ ଭଲ  କଥା ଆଉ କ'ଣ ହୋଇପାରେ । 

ପରିଶେଷରେ ଏହା କୁହାଯାଇପାରେପ୍ରାରମ୍ଭରେ ପ୍ରତ୍ୟେକ ପିଲା ସାଧାରଣ  ଶିଶୁ । ପଢ଼ିବାରେ, ଖେଳିବାରେ ଓ ପ୍ରତିଟି  କ୍ଷେତ୍ରରେ ସାମାନ୍ୟ ଥାଆନ୍ତି । ସେମାନେ  ଅଧିକ ଚାପ ନେଇପାରିବେ ନାହିଁ ।  ସେମାନଙ୍କୁ ସେମାନଙ୍କ ସାଧାରଣତାକୁ  ଉପଭୋଗ କରିବାକୁ ଦିଆଯିବା ସମୀଚୀନ ।  ସବୁ ପିଲା ମହାନ ହୋଇପାରିବେ ନାହିଁ ।  ଆଉ ଏକ କଥା ମନେରଖିବା ଉଚିତ୍‌ଯେପର୍ଯ୍ୟନ୍ତ ଜ୍ଞାନ ଓ ବୁଦ୍ଧିମତ୍ତାର ଏକ  ଉଚ୍ଛ୍ୱସିତ ସ୍ଫୁରଣ(ସ୍ପାର୍କ) ନହୋଇଛି ପିଲା  କିଛି ବଡ଼ କରିପାରିବେ ନାହିଁ । ପ୍ରତି ପିଲାର  ଜୀବନରେ ଏହି ସ୍ପାର୍କ ଭିନ୍ନ ଭିନ୍ନ ସମୟରେ  ଆସିଥାଏ । ବିବେକାନନ୍ଦ ଯେଯାଏଁ ରାମକୃଷ୍ଣ  ପରମହଂସଙ୍କ ସାନ୍ନିଧ୍ୟ ଲାଭ କରିନଥିଲେ  ସେଯାଏଁ ସେହି ସ୍ପାର୍କ ଆସିନଥିଲା । ମହାବୀର  ତିରିଶ ବର୍ଷରେ ଘର ଛାଡ଼ିଲେ ଓ ବାର ବର୍ଷ  ତପସ୍ୟା କଲାପରେ ସେହି ସ୍ପାର୍କ ଆସିଥିଲା ।  ଭଗବାନ ଗୌତମ ବୁଦ୍ଧଙ୍କ ଅଠେଇଶ ବର୍ଷ  ପରେ ଏହି ସ୍ପାର୍କ ଆସିଥିଲା । ଦୁନିଆରେ  ଯେତେ ମହାନ୍‌ ଲୋକ ହୋଇଛନ୍ତି  ସେମାନେ ପାଖାପାଖି ଅଠେଇଶରୁ ତିରିଶ  ବର୍ଷ ମଧ୍ୟରେ ମହାନତାର ପ୍ରଥମ ବିନ୍ଦୁରେ  ପହଞ୍ଚିଛନ୍ତି । ପିତାମାତା ଯଦି ଆଶା କରୁଛନ୍ତି  ଯେ, ସେମାନଙ୍କ ସନ୍ତାନମାନେ ବାର/ତେର  ବର୍ଷରେ ମହାନ୍‌ ହୋଇଯିବେ, ତେବେ ଦିବା  ସ୍ୱପ୍ନ । ସେହି ସ୍ପାର୍କକୁ ପ୍ରତ୍ୟେକ ପିତାମାତା  ଅପେକ୍ଷା କରନ୍ତୁ । ସେହି ସ୍ପାର୍କ ପ୍ରତ୍ୟେକ  ପିଲାର ଜୀବନରେ ଆସିବ ହିଁ ଆସିବ ଓ  ଯେତେବେଳେ ଆସିବ ସେତେବେଳେ  ଆଶାତୀତ ସଫଳତା ମିଳିବ ହିଁ ମିଳିବ ।  ପିତାମାତାମାନେ ସେହି ସ୍ପାର୍କର ବାତାବରଣ  ସୃଷ୍ଟିକଲେ ସେମାନଙ୍କ ସନ୍ତାନମାନଙ୍କର  ହିତସାଧନ ହେବ ।