କଟକ,୧୪/୧୧: ବର୍ଷକୁ ବର୍ଷ ବଢୁଛି କଟକ ବାଲିଯାତ୍ରାର ଆଦର । ଗତବର୍ଷ ୬୦ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ବୁଲିଥିବା ବେଳେ ଏଥର ଆୟୋଜକ ଜିଲ୍ଲା ପ୍ରଶାସନ ୭୫  ଲକ୍ଷ ଜନସମାଗମ ଆକଳନ ନେଇ ମଇଦାନକୁ  ଓହ୍ଲାଇଛି । ଭିଡ଼ ପରିଚାଳନାକୁ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ଅନେକ ଗୁଡ଼ିଏ ନୂଆ ଯୋଜନା  କାର୍ଯ୍ୟକାରୀ କରାଯାଇଛି । ଉଠା ଦୋକାନୀଙ୍କୁ ତଳପଡ଼ିଆରେ ନିର୍ଦ୍ଦିଷ୍ଟ ଜମି ଦେବା, ଗ୍ରୀନ୍‌ କରିଡର ସୃଷ୍ଟି କରିବା, ଅଧିକ ପାର୍କିଂଷ୍ଟାଣ୍ଡ୍‌  ଆଦି ଯୋଜନାରେ ଏଥର ବାଲିଯାତ୍ରାକୁ  ସଫଳତାର ସହ ଆୟୋଜନ କରିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ । ଅନ୍ୟପକ୍ଷରେ ଏଥର ବାଲିଯାତ୍ରାରେ ଅନ୍ତର୍ଜାତୀୟ ବିଭାଗ ଗୁଡ଼ିକୁ  ଯୋଡ଼ି ଦିଆଯାଇଛି । ଦେଶବିଦେଶରୁ ଅତିଥି  ମାନେ ସାମିଲ୍‌ ହେବେ । ତେଣୁ ଚଳିତବର୍ଷ ବାଲିଯାତ୍ରାକୁ ନେଇ କିଛି ସ୍ୱତନ୍ତ୍ର ଘୋଷଣା  କରାଯିବାର ସମ୍ଭାବନା ଥିବା କୁହାଯାଉଛି ।  

କଟକ ବାଲିଯାତ୍ରା ୨୦୧୯ ମସିହାରେ ରାଜସ୍ତରୀୟ ଉତ୍ସବର ମାନ୍ୟତା ପାଇଥିଲା । ତା’ପରଠୁ ଏହାକୁ ଜାତୀୟ ସ୍ତରୀୟ ମହୋତ୍ସବ ମାନ୍ୟତା ଦେବାକୁ ଦାବି ଜୋର୍‌ ଧରିଛି । ଏମିତିକି ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା ପାଇବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କୁ ଚିଠି କରିଥିଲେ। ଜାତୀୟ ମାନ୍ୟତା  ପ୍ରସଙ୍ଗରେ ରାଜନୀତି ବି ଜୋର୍‌ ଧରିଥିଲା। ବାରମ୍ବାର ଦାବି ପରେ ଗତବର୍ଷ କେନ୍ଦ୍ର ସଂସ୍କୃତି  ମନ୍ତ୍ରଣାଳୟ ଏ ବାବଦରେ ଏକ ଚିଠି କରିଥିଲେ  ଓଡ଼ିଶା ସରକାରଙ୍କୁ । ଯେଉଁଥିରେ ଉଲ୍ଲେଖ ଥିଲା, ସଂସ୍କୃତି ମନ୍ତ୍ରଣାଳୟ ବିଭିନ୍ନ କଳା, ସଂସ୍କୃତି ଓ ପରମ୍ପରାର ବିକାଶ ଲାଗି କାମ  କରେ । କିନ୍ତୁ କୌଣସି ମାନ୍ୟତା ପ୍ରଦାନ  କରେନାହିଁ । ଏହାକୁ ନେଇ ତତ୍‌କାଳୀନ  ବିଜେଡି ସରକାରର କିଛି ନେତା ବିଜେପିକୁ  ଟାର୍ଗେଟ୍‌ କରିଥିଲେ । ବାସ୍ତବରେ ସେଭଳି  କୌଣସି ମାନ୍ୟତା ପ୍ରଦାନ କରାଯିବାର ବ୍ୟବସ୍ଥା  ନ ଥିବା ଜଣାପଡ଼ିଛି । ତେବେ ବର୍ଷେ ଭିତରେ  ଏ ବିବାଦ ପ୍ରାୟ ଥମିଯାଇଛି । ବାଲିଯାତ୍ରା ଲାଗି  ଜାତୀୟ ମାନ୍ୟତା ନୁହେଁ ବରଂ ଅନ୍ତର୍ଜାତୀୟ  ମାନ୍ୟତା ବା ୟୁନେସ୍କେ ସାର୍ଟିଫିକେସନ୍‌  ହାସଲ କରିବା ଏବେ ପ୍ରାଥମିକତା ପାଲଟିଛି ।  ଯଦିଓ ଏନେଇ ଚଳିତବର୍ଷ ସେଭଳି  କୌଣସି କାର୍ଯ୍ୟକ୍ରମ ହାତକୁ ନିଆଯାଇନାହିଁ । ଏଭିତରେ ଜିଲ୍ଲା ପ୍ରଶାସନ ଚଳିତବର୍ଷ  ବିଭିନ୍ନ ଦେଶର ରାଷ୍ଟ୍ରଦୂତ ମାନଙ୍କୁ ନିମନ୍ତ୍ରଣ  କରିଛି । ପ୍ରାୟ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତମାନେ  ଯୋଗଦେବେ ବୋଲି ସୂଚନା ମିଳିଛି ।  ଏହାସହ ବାଲିଯାତ୍ରାକୁ ବ୍ୟବସ୍ଥିତ କରିବା  ସହିତ ପ୍ରାୟ ୭୫ ଲକ୍ଷ ‘ଟାର୍ଗେଟ୍‌ କ୍ରାଉଡ୍‌’କୁ  ନେଇ ଆୟୋଜନକୁ ଜୋର୍‌ଦାର୍‌ କରାଯାଇଛି ।  

ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ସହିତ ଦକ୍ଷିଣ-ପୂର୍ବ ରାଷ୍ଟ୍ରସମୂହ ସହ  ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ନେଇ  ଏକ ସ୍ୱତନ୍ତ୍ର ପାଭିଲିୟନ୍‌ର ଆକର୍ଷଣ  ଯୋଡ଼ାଯାଉଛି । ତେବେ ଏ ସବୁ ବ୍ୟବସ୍ଥା  ଭିତରେ କିଛି ନୂଆ ଘୋଷଣା କରାଯିବାର  ସମ୍ଭାବନାକୁ ଅଣଦେଖା କରାଯାଇ ନପାରେ । ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ  ରହିଥିବା କୁହାଯାଉଥିବାବେଳେ ଏବେ  ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ଆସିନାହିଁ ।  ତଥାପି ବାଲିଯାତ୍ରାରେ ପ୍ରଧାନମନ୍ତ୍ରୀଙ୍କ  ଭିଡିଓ ବାର୍ତ୍ତା କିମ୍ବା ଲାଇଭ୍‌ ଯୋଡ଼ିହେବାର ସମ୍ଭାବନା ଥିବା କୁହାଯାଉଛି । ତେଣୁ ଏହି ଅବସରରେ ବାଲିଯାତ୍ରା ଲାଗି କିଛି ସ୍ୱତନ୍ତ୍ର  କିମ୍ବା ପ୍ୟାକେଜ୍‌ ଘୋଷଣା କରାଯିବାର  ସମ୍ଭାବନା ରହିଥିବା ଶୁଣିବାକୁ ମିଳିଛି ।