କଟକ,୧୯/୧୦: ବାଲିଯାତ୍ରାର ତଳ ପଡ଼ିଆରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ମହିଳା, ଛୋଟ ପିଲାଙ୍କୁ ବୁଲାଇବା ପାଇଁ ଇ-ରିକ୍ସା ଚାଲିବ । ଯେତିକି ଇ-ରିକ୍ସାର ଆବଶ୍ୟକତା ରହିଛି ସେଥିରୁ ୩୦ଟି ଇ-ରିକ୍ସା ପୁରୀରୁ ଅଣାଯିବ । ତେବେ ଏହା ଦେୟମୁକ୍ତ ନୁହେଁ । ଏଥିପାଇଁ ଅର୍ଥ ପ୍ରଦାନ କରିବାକୁ ପଡ଼ିବ । କିନ୍ତୁ ଭିଆଇପି, ଭିଭିଆଇପି, ବାଲିଯାତ୍ରାକୁ ଆସିଥିବା ଅତିଥିଙ୍କ ପାଇଁ ଏହି ସେବା ମାଗଣାରେ ମିଳିବ । ଶୁକ୍ରବାର ବାଲିଯାତ୍ରାରେ ପରିବହନ ସେବାକୁ ନେଇ ଅନୁଷ୍ଠିତ ପ୍ରଥମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, ଆର୍ଟିଓ ବିରଞ୍ଚି ନାରାୟଣ ଅଧିକାରୀ ଏବଂ ଅନ୍ୟାନ୍ୟ କେତେକ ଅଧିକାରୀ ଏହି ପ୍ରସ୍ତୁତି ବୈଠକରେ ଯୋଗ ଦେଇଥିଲେ । ବିଶେଷ କରି ଗତବର୍ଷ ବାଲିଯାତ୍ରାରେ ଯେଉଁଭଳି ପ୍ରସ୍ତୁତି ହୋଇଥିଲା ଚଳିତବର୍ଷ ମଧ୍ୟ ସେହିଭଳି କଟକ ଆର୍ଟିଓଙ୍କ ପକ୍ଷରୁ ବାଲିଯାତ୍ରା ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଭୁଆଶୁଣୀ ଗଡ଼ାରୁ କ୍ୟାଣ୍ଟନ୍ମେଣ୍ଟ ପଡ଼ିଆ ପର୍ଯ୍ୟନ୍ତ ମାଗଣାରେ ବାଲିଯାତ୍ରାକୁ ଆସୁଥିବା ଦର୍ଶକଙ୍କୁ ମାଗଣାରେ ବସ୍ସେବା ଯୋଗାଇ ଦିଆଯିବ । ଇ-ରିକ୍ସା ଡ୍ରାଇଭରମାନଙ୍କୁ ସିଡିଏ ସ୍ଥିତ ଡ୍ରାଇଭିଂ ଟେଷ୍ଟ ଟ୍ରାକ୍ରେ ରଖାଯିବାର ବ୍ୟବସ୍ଥା କରାଯିବ । ଆଜି ପ୍ରଥମ ଥର ପାଇଁ ଏହି ପ୍ରସ୍ତୁତି ବୈଠକ ବସିଥିଲା । ପୂର୍ବବର୍ଷର କିଛି ନିଷ୍ପତ୍ତିକୁ ଦେହାରାଯିବାକୁ ଥିବାବେଳେ ଆବଶ୍ୟକତା ଆଧାରରେ ଆଉ କିଛି ନୂଆ ନିଷ୍ପତ୍ତି ମଧ୍ୟ ନିଆଯାଇ ପାରେ ବୋଲି ସଂସ୍କୃତି ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।