କଟକ,୧୯/୧୦: ବାଲିଯାତ୍ରାର ତଳ  ପଡ଼ିଆରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ମହିଳା, ଛୋଟ ପିଲାଙ୍କୁ ବୁଲାଇବା ପାଇଁ  ଇ-ରିକ୍ସା ଚାଲିବ । ଯେତିକି ଇ-ରିକ୍ସାର ଆବଶ୍ୟକତା ରହିଛି  ସେଥିରୁ ୩୦ଟି ଇ-ରିକ୍ସା ପୁରୀରୁ  ଅଣାଯିବ । ତେବେ ଏହା ଦେୟମୁକ୍ତ  ନୁହେଁ । ଏଥିପାଇଁ ଅର୍ଥ ପ୍ରଦାନ କରିବାକୁ ପଡ଼ିବ । କିନ୍ତୁ ଭିଆଇପି, ଭିଭିଆଇପି, ବାଲିଯାତ୍ରାକୁ ଆସିଥିବା ଅତିଥିଙ୍କ ପାଇଁ ଏହି ସେବା ମାଗଣାରେ ମିଳିବ । ଶୁକ୍ରବାର  ବାଲିଯାତ୍ରାରେ ପରିବହନ ସେବାକୁ ନେଇ ଅନୁଷ୍ଠିତ  ପ୍ରଥମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । 

ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ,  ଆର୍‌ଟିଓ ବିରଞ୍ଚି ନାରାୟଣ ଅଧିକାରୀ ଏବଂ  ଅନ୍ୟାନ୍ୟ କେତେକ ଅଧିକାରୀ ଏହି ପ୍ରସ୍ତୁତି  ବୈଠକରେ ଯୋଗ ଦେଇଥିଲେ । ବିଶେଷ କରି  ଗତବର୍ଷ ବାଲିଯାତ୍ରାରେ ଯେଉଁଭଳି ପ୍ରସ୍ତୁତି  ହୋଇଥିଲା ଚଳିତବର୍ଷ ମଧ୍ୟ ସେହିଭଳି କଟକ  ଆର୍‌ଟିଓଙ୍କ ପକ୍ଷରୁ ବାଲିଯାତ୍ରା ପାଇଁ  ସବୁ ପ୍ରକାର ସହଯୋଗ ଯୋଗାଇ  ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ  କୁହାଯାଇଥିଲା । ଭୁଆଶୁଣୀ ଗଡ଼ାରୁ  କ୍ୟାଣ୍ଟନ୍‌ମେଣ୍ଟ ପଡ଼ିଆ ପର୍ଯ୍ୟନ୍ତ  ମାଗଣାରେ ବାଲିଯାତ୍ରାକୁ ଆସୁଥିବା ଦର୍ଶକଙ୍କୁ  ମାଗଣାରେ ବସ୍‌ସେବା ଯୋଗାଇ ଦିଆଯିବ ।  ଇ-ରିକ୍ସା ଡ୍ରାଇଭରମାନଙ୍କୁ ସିଡିଏ ସ୍ଥିତ ଡ୍ରାଇଭିଂ  ଟେଷ୍ଟ ଟ୍ରାକ୍‌ରେ ରଖାଯିବାର ବ୍ୟବସ୍ଥା କରାଯିବ । ଆଜି  ପ୍ରଥମ ଥର ପାଇଁ ଏହି ପ୍ରସ୍ତୁତି ବୈଠକ ବସିଥିଲା ।  ପୂର୍ବବର୍ଷର କିଛି ନିଷ୍ପତ୍ତିକୁ ଦେହାରାଯିବାକୁ  ଥିବାବେଳେ ଆବଶ୍ୟକତା ଆଧାରରେ ଆଉ  କିଛି ନୂଆ ନିଷ୍ପତ୍ତି ମଧ୍ୟ ନିଆଯାଇ ପାରେ ବୋଲି  ସଂସ୍କୃତି ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।