କଟକ ୦୪/୧୧: କେଉଁଠି ରଙ୍ଗ ବୋଳା ଚାଲିଛି ତ ଆଉ କେଉଁଠି ମେସିନ୍ ଖଞ୍ଜା ହେଉଛି । ଆଉ କେଉଁଠି ଲାଇଟ୍ ଲଗାଯାଉଛି । ଆଜି ସୁଦ୍ଧା ବାଲିଯାତ୍ରା ପାଇଁ ପଡ଼ିଆରେ ପ୍ରାୟ ୬୦ରୁ ୭୦ ପ୍ରତିଶତ ଶେଷ ହୋଇଛି । ତା ଭିତରେ ପଡ଼ିଆ ସମତୁଲ କାମ ଏବେ ବି ଚାଲିଛି ସବୁଠୁ ବଡ଼ କଥା ହେଉଛି, ଦିନକ ପରେ ବାଲିଯାତ୍ରା ଆରମ୍ଭ ହେବାକୁ ଥିଲାବେଳେ ଦିନକରେ କିଭଳି କାମ ସରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାଲିଯାତ୍ରା ପ୍ରସ୍ତୁତିକୁ ନେଇ ପ୍ରଶାସନର ଖାମଖିଆଲ ମନୋଭାବକୁ ପଦାରେ ପକାଇଛି ।
ଚଳିତ ବର୍ଷ ବାଲିଯାତ୍ରା ଆକର୍ଷଣୀୟ ହେବା ନେଇ ପ୍ରଶାସନ ଦ୍ୱାରା ସୂଚନା ଦିଆଯାଇଥିଲା । ଏମିତିକି କୋଟି କୋଟି ଟଙ୍କା ବ୍ୟୟରେ କଟକ ଇନ୍ କଟକୁ ତଳ ପଡିଆ ଓ ଉପର ପଡ଼ିଆରେ ବିଭିନ୍ନ ଆୟୋଜନ ହେବା ନେଇ ବ୍ଲୁ ପ୍ରିଣ୍ଟ୍ ହୋଇଥିଲା । ଏଥିରେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଅପ୍ଲୋଡ କରିଥିଲା । ଯାହା ବେଶ୍ ଟ୍ରେଣ୍ଡ୍ ହେବା ସହିତ ଲୋକମାନେ ବାଲିଯାତ୍ରାର ଏଭଳି ରୂପ ଦେଖିବାକୁ ବେଶ୍ ଉତ୍ସାହିତ ଅଚନ୍ତି । କିନ୍ତୁ ଏଯାବତ୍ କଟକ ଇନ୍ କଟକ ସମେତ ପ୍ରବେଶ ପଥ ଓ ପଡ଼ିଆରେ ମଞ୍ଚ ପ୍ରସ୍ତୁତି କାର୍ଯ୍ୟ ଅନେକ ବାକି ରହିଛି । ୫ତାରିଖ ବାଲିଯାତ୍ରା ଆରମ୍ଭ ହେବାକୁ ଥିଲାବେଳେ କିଭଳି ଏହି କାମ ସବୁ ଶେଷ ହେବ ତାହା ସନ୍ଦେହ ଘେରରେ ।
ଆଉ କିଛି ମୁହୂର୍ତ୍ତର ଅପେକ୍ଷା । ଐତିହାସିକ କଟକ ବାଲିଯାତ୍ରାର ଶୁଭାରମ୍ଭ ହେବ । ମହାନଦୀ ପଠାର ୬୦ ଏକର ପରିମିତ ଜମିରେ ଏଥର ମେଳା ଜମିବ । ପ୍ରଥମଥର ଏତେବଡ଼ ବିସ୍ତୀର୍ଣ୍ଣ ଇଲାକାରେ ବାଲିଯାତ୍ରା ହେଉଥିବା ବେଳେ ଆୟୋଜକ ଭାବେ ଜିଲ୍ଲା ପ୍ରଶାସନ ଛୋଟବଡ଼ ସଂସ୍କାର ଆଣି ମେଳାକୁ ସରସ ସୁନ୍ଦର ଭାବେ ଆୟୋଜନ କରିବାକୁ ଅଣ୍ଟା ଭିଡ଼ିଛି । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ତଳ ବାଲିଯାତ୍ରା ପଡ଼ିଆ ଉପରେ ନଜର ପକାଇଲେ, ଏଥର ମୋଟ୍ ୧୪ଲକ୍ଷ ୭୬ହଜାର ୮୭୦ ବର୍ଗଫୁଟ୍ ପରିମିତ ଜମିକୁ ପ୍ଲଟ୍ ଭାବେ ଆବଣ୍ଟନ କରାଯାଇଛି । ୧ହଜାର ୬୫୪ ଜଣ ବ୍ୟବସାୟୀ ଅଂଶଗ୍ରହଣ କରିବେ । ଏଥିରୁ ୩ଲକ୍ଷ ୪ହଜାର ୯୨୦ ବର୍ଗଫୁଟ୍ ଜମିରେ ଜାତୀୟ ପଲିଶ୍ରୀ ମେଳା ଜମିବ । ୪୦ହଜାର ବର୍ଗଫୁଟ୍ ଲେଖାଏଁ ଜମି ଗୋଲ୍ଡ ଓ ପ୍ଲାଟିନମ୍ ପୃଷ୍ଠପୋଷକଙ୍କୁ ପ୍ରଦାନ କରାଯାଇଛି । ୧ଲକ୍ଷ ୮୦ହଜାର ବର୍ଗଫୁଟ୍ ଜମିରେ ଚକ୍ରି ଜୋନ୍ କରାଯାଇଛି । ୧ଲକ୍ଷ ୭୪ହଜାର ବର୍ଗଫୁଟ୍ ଜମି କେନ୍ଦ୍ରୀୟ ଖଦି ଭଣ୍ଡାର, ୧ଲକ୍ଷ ୨୧ହଜାର ବର୍ଗଫୁଟ ଭେଣ୍ଡିଂଜୋନ୍ ରହିବ ।
ବାଲିଯାତ୍ରା କାର୍ତ୍ତିକେଶ୍ୱର ଗଡ଼ା ଠାରୁ ଆରମ୍ଭ ହେବ । ବୋଇତ ତୋରଣରୁ ମହାନଦୀ ଆଡକୁ ମୁହଁ କରି ଛିଡ଼ା ହେଲେ ବାମପାଶ୍ୱର୍ରେ ପ୍ରାୟ ୨ଶହରୁ ଅଧିକ ଷ୍ଟଲ୍ କରାଯାଉଛି । ଏହି ପାଶ୍ୱର୍ରେ ସାଧାରଣତଃ ଏତେ ଷ୍ଟଲ୍ ରୁହେନାହିଁ । କିନ୍ତୁ ବାଲିଯାତ୍ରାର କାୟା ବୃଦ୍ଧି କରାଯାଇଥିବାରୁ ଏହି ପାଶ୍ୱର୍କୁ ଷ୍ଟଲ୍ ଅଧିକ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ବୋଇତ ତୋରଣରୁ ଡାହାଣପାଶ୍ୱର୍କୁ ବିଭିନ୍ନ ପ୍ରକାରର ଆକର୍ଷଣ ଖଞ୍ଜି ଦିଆଯାଇଛି । ଏହି ପଟରେ ଜାତୀୟ ପଲିଶ୍ରୀ ମେଳା, ଏମ୍ଏସ୍ଏମ୍ଇ ପାଭିଲିୟନ୍, ଏକ୍ସପେରିଏନ୍ସ ଜୋନ୍, ଭିଣ୍ଟେଜ୍ କାର୍ ପ୍ରଦର୍ଶନୀ, ଖଦି ଭଣ୍ଡାର, ଡ୍ରମ୍ ସୋ’ ସହିତ ଅକ୍ଷୟ ମହାନ୍ତି ମଞ୍ଚ ରହିଛି । ତେଣୁ ମାତାମଠ ପାଶ୍ୱର୍ରୁ ଗାଡ଼ି ପାର୍କିଂ କରି ବାଲିଯାତ୍ରାରେ ପ୍ରବେଶ କରିଲେ ଲୋକେ ଗାଡ଼ି ଷ୍ଟାଣ୍ଡ୍ ପାଖରୁ ବାଲିଯାତ୍ରାର ମଜ୍ଜା ଉଠାଇବା ପାରିବେ । ଅକ୍ଷୟ ମହାନ୍ତି ମଞ୍ଚ ପାଶ୍ୱର୍ରେ ଗୋଲ୍ଡ ବ୍ଲକ୍ କରାଯାଇଛି, ଯେଉଁଠି ଏହି ପୃଷ୍ଠପୋଷକଙ୍କୁ ସେମାନଙ୍କ ପାଭିଲିୟନ୍ କିମ୍ବା ଷ୍ଟଲ୍ କରିବାର ସୁଯୋଗ ଦିଆଯାଇଛି । ସେହିପରି ବୈଷ୍ଣବ ପାଣି ମଞ୍ଚ ପାଶ୍ୱର୍ରେ ପ୍ଲାଟିନମ୍ ବର୍ଗର ପୃଷ୍ଠପୋଷକଙ୍କୁ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଗତବର୍ଷ ପରି ମହାନଦୀ କୂଳରେ ଗ୍ରୀନ୍ କରିଡର ରହିଛି । ସେହିପରି ମହାନଦୀରେ ଏଥର ତିନିଦିନ ଲେଜର ଲାଇଟ୍ ସୋ’ କରାଯିବ ବୋଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ କହିଛନ୍ତି । ପୂର୍ବରୁ ଏହି ସୋ’ ଗୋଟିଏ ଦିନ ହେଉଥିଲା । ବାଲିଯାତ୍ରାକୁ ଅଧିକ ଗୋଟିଏ ଦିନ ବଢ଼ାଇବାକୁ ପ୍ରଶାସନିକ ସ୍ତରରେ ଆଲୋଚନା ଜାରି ରହିଛି ।