କଟକ,୨୯/୦୭: ଭାରତୀୟ ଜନତା ପାର୍ଟି (ବିଜେପି) ର କଟକ ନଗର ଜିଲ୍ଲା ସଂଗଠନ, ଉପରୁ ଏକଜୁଟ୍‌ ଓ  ଠିକ୍‌ଠାକ୍‌ ଲାଗୁଥିଲେ ବି ଭିତରେ ଅନେକ ଦ୍ୱନ୍ଦ୍ୱକୁ ନେଇ ଗତି  କରୁଛି । ଦଳୀୟ ନେତାଙ୍କ ମଧ୍ୟରେ ସମନ୍ୱୟ ରହୁନଥିବା ସ୍ପଷ୍ଟ  ଦେଖାଯାଉଛି । ନେତାଙ୍କୁ ଦାୟିତ୍ୱ ମିଳିନି, କର୍ମୀଙ୍କୁ କାମ ମିଳୁନି ।  ଜିଲ୍ଲା ସଂଗଠନ ଏ ଯାଏ ସଜାଡ଼ି ହୋଇପାରିନି । ସେଥିପାଇଁ  ସଂଗଠନରେ ଥାଇ ବି ସକ୍ରିୟ ହେବାକୁ ନେତା, କର୍ମୀ ମନ ବଳାଉନାହାନ୍ତି । ଯଦିଓ ଶାସକ ଦଳ ଭାବେ ବିରୋଧୀ  କଂଗ୍ରେସ ଓ ବିଜେଡିକୁ ଘେରିବା ଏବଂ ଜବାବ୍‌ ଦେବାରେ ଅବହେଳା କରାଯାଉନି । ସାଂଗଠନିକ ସ୍ତରରେ ରହିଥିବା  ଅସନ୍ତୋଷକୁ ଦଳୀୟ ନେତା, କର୍ମୀ ହାଇକମାଣ୍ଡ୍‌ଙ୍କ ନିକଟରେ  ପହଞ୍ଚାଉଛନ୍ତି । କିନ୍ତୁ ସମାଧାନର ବାଟ କିଛି ବାହାରି ପାରୁ ନଥିବାରୁ ସାଂଗଠନିକ ସ୍ଥିତି କ୍ରମେ ଜଟିଳ ହେବାରେ ଲାଗିଛି । 

ନଗର ଜିଲ୍ଲା ସଂଗଠନର କାୟା ବଢ଼ିଛି । ପୂର୍ବରୁ ମାତ୍ର  କଟକ ମହାନଗରରେ ସୀମିତ ରହିଥିବା ଏହି ସଂଗଠନ ଏବେ  ୫ଟି ନିର୍ବାଚନ ମଣ୍ଡଳୀ-ବାରବାଟୀ କଟକ, ଚୌଦ୍ୱାର-କଟକ,  କଟକ ସଦର, ନିଆଳି ଓ ବାଙ୍କୀକୁ ନେଇ ଗଠିତ ହୋଇଛି ।  ମଣ୍ଡଳ ସଂଖ୍ୟା ୭ରୁ ବୃଦ୍ଧି ପାଇ ୩୭ରେ ପହଞ୍ଚିଛି । ନିକଟରେ  ନଗର ଜିଲ୍ଲାର ସମସ୍ତ ୩୭ଟି ମଣ୍ଡଳର ପଦାଧିକାରୀ ତାଲିକା  ପ୍ରକାଶ ପାଇଛି । ପ୍ରତି ମଣ୍ଡଳରେ ୧୬ ଜଣ ପଦାଧିକାରୀ  ଓ ୪୫ଜଣ କାର୍ଯ୍ୟକାରିଣୀ ସଦସ୍ୟ ରହିଛନ୍ତି । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେପିର ଏ ସଜବାଜ ତୃଣମୂଳ ସଂଗଠନକୁ ମଜଭୁତ୍‌ କରିଛି କହିଲେ ଅତ୍ୟୁକ୍ତି  ହେବନି । କିନ୍ତୁ ସଂଗଠନର ନେତୃତ୍ୱ ନେଉଥିବା ନେତାଙ୍କୁ ଏ  ଯାଏ କୌଣସି ଦାୟିତ୍ୱ ମିଳିନାହିଁ । ଫଳରେ ପ୍ରତି ନିର୍ବାଚନ  ମଣ୍ଡଳୀରେ ନେତାଙ୍କ ଗୋଷ୍ଠୀ ବିବାଦ ତେଜିବାରେ ଲାଗିଛି । ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ବିଜେପିର ନେତୃତ୍ୱ  କିଏ ନେଉଛନ୍ତି ତାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି । ସାଧାରଣ  ନିର୍ବାଚନରେ ୪୫ ହଜାରରୁ ଅଧିକ ଭୋଟ୍‌ ପାଇଥିବା ବିଜେପି ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ନିର୍ବାଚନ  ପରଠୁ ଦେଖିବାକୁ ମିଳୁନାହିଁ । ସଂଗଠନ ସହିତ ମଧ୍ୟ ତାଙ୍କର  ସମ୍ପର୍କ ନାହିଁ କହିଲେ ଚଳେ । ନିକଟରେ ତାଙ୍କର ଏକ ହୋର୍ଡିଂ  ଚର୍ଚ୍ଚା ସୃଷ୍ଟି କରିଛି । ଯେଉଁଠି ସେ ରାଜ୍ୟ ବିଜେପି ସଭାପତି  ମନମୋହନ ସାମଲଙ୍କ ଫଟୋ ହୋର୍ଡିଂରେ ମାରିଛନ୍ତି ।  

ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ଦେହାନ୍ତ ପରେ  ତାଙ୍କ ସଂଗଠନ ନେତୃତ୍ୱହୀନ ହୋଇପଡ଼ିଛି । ଯଦିଓ  ତାଙ୍କର କିଛି ସମର୍ଥକଙ୍କୁ ଏବେ ଜିଲ୍ଲା ସଭାପତି ସୁକାନ୍ତ  ବିଶ୍ୱାଳଙ୍କ ସହ ଦେଖିବାକୁ ମିଳୁଛି । ଦଳର ବରିଷ୍ଠ ନେତ୍ରୀ  ସ୍ମୃତି ପଟ୍ଟନାୟକ ଯଦିଓ ସଂଗଠନରେ ସକ୍ରିୟ ରହି କାମ  କରୁଛନ୍ତି, ତଥାପି କେତେକ କ୍ଷେତ୍ରରେ ତାଙ୍କ ନିରବତା  ପ୍ରଶ୍ନବାଚୀ ସୃଷ୍ଟି କରୁଛି । କୌଣସି ନିଗମ, ବୋର୍ଡ କିମ୍ବା  ରାଜ୍ୟ ସଂଗଠନରେ ତାଙ୍କୁ ଦଳ କ’ଣ ଦାୟିତ୍ୱ ଦେଉଛି ତା  ଉପରେ ତାଙ୍କ ଅନୁଗତମାନେ ନଜର ରଖିଥିବା କୁହାଯାଉଛି ।  ସାଂସଦ ଭର୍ତ୍ତୃହରି ମହତାବ ଏବେ ସିଧାସଳଖ ସଂଗଠନ  ସହ ଜଡ଼ିତ ରହୁଛନ୍ତି । ଭର୍ତ୍ତୃହରିଙ୍କ କ୍ୟାମ୍ପ୍‌ରେ ବିଜେଡି  ଛାଡ଼ିଥିବା କିଛି ନେତା ରହିଥିବା ବେଳେ ସ୍ୱାଭାବିକ ଭାବେ  ସେମାନଙ୍କର ବି ଦଳ ଠାରୁ ଆଶା ରହୁଛି । ସାଂସଦ  ସେମାନଙ୍କୁ ସମର୍ଥନ କରୁଥିବାରୁ ଏହାକୁ ନେଇ ତୃଣମୂଳ  ବିଜେପିର ନେତା, କର୍ମୀଙ୍କ ମଧ୍ୟରେ ଚାପା ଅସନ୍ତୋଷ  ଭରି ରହିଛି । କଟକ ମହାନଗର ନିଗମ(ସିଏମ୍‌ସି) ରେ ବିଜେପିର ୭ଜଣ କର୍ପୋରେଟର୍‌ ରହିଥିବା ସତ୍ତେ୍ୱ  ଏ ଯାଏ କାଉନସିଲ୍‌ ଉପରେ ଆଖିଦୃଶିଆ ଚାପ ପକାଇ  ପାରିନାହାନ୍ତି । ଅନ୍ୟପକ୍ଷରେ ବିନୋଦ ଦାଶ, ଶ୍ରୀତମ ଦାସ,  ଲଲାଟେନ୍ଦୁ ବଡୁ, ଲକ୍ଷ୍ମୀଧର ପ୍ରଧାନଙ୍କ ଭଳି ନେତାଙ୍କ ଭୂମିକା  ଆଗକୁ କ’ଣ ରହିବ ତାକୁ ନେଇ ଚର୍ଚ୍ଚା ଲାଗିରହିଛି । 

ସେହିପରି କଟକ ସଦରରେ ବିଧାୟକ ଇଂ. ପ୍ରକାଶ  ସେଠୀ ନେତୃତ୍ୱ ନେଉଛନ୍ତି । ବରିଷ୍ଠ ନେତା ଦିଲ୍ଲୀପ ମଲ୍ଲିକ  ଅସୁସ୍ଥତା ହେତୁ ସଂଗଠନରେ ଅଧିକ ସକ୍ରିୟ ହୋଇ  ପାରୁନାହାନ୍ତି । ତେବେ ଶ୍ରୀ ମଲ୍ଲିକଙ୍କ ସମର୍ଥକମାନେ  ବିଧାୟକ ଶ୍ରୀ ସେଠୀଙ୍କୁ ଟପି ସିଧାସଳଖ ଜିଲ୍ଲା ସଭାପତି  ସୁକାନ୍ତ ବିଶ୍ୱାଳଙ୍କ ସହ ସମ୍ପର୍କରେ ରହିଥିବା ଜଣାପଡ଼ିଛି ।  କଟକ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀରେ ନୟନ କିଶୋର  ମହାନ୍ତି ସଂଗଠନରେ ପୂର୍ବାପେକ୍ଷା ଅଧିକ ସକ୍ରିୟ ହୋଇଥିଲେ  ମଧ୍ୟ ନିର୍ବାଚନ ମଣ୍ଡଳୀରେ ତାଙ୍କର ପ୍ରଭାବ ଏତେଟା ନାହିଁ ।  ନିଆଳିରେ ସ୍ଥିତି ପୂର୍ବାପେକ୍ଷା ସୁଧୁରିଛି । ବିଧାୟକ ଛବି  ମଲ୍ଲିକଙ୍କ ସହ ଜିଲ୍ଲା ସଭାପତି ନିଜେ ନିଆଳିରୁ ପ୍ରତିନିଧିତ୍ୱ  କରୁଛନ୍ତି । ବାଙ୍କୀରେ ତୁଷାର  ଚକ୍ରବର୍ତ୍ତୀ ଓ ଶୁଭ୍ରାଂଶୁ ମୋହନ  ପାଢ଼ୀଙ୍କ ବିବାଦ ଏବେ ଯାଏ  ତୁଟିନି । ନିର୍ବାଚନ ପୂର୍ବର  ଏହି ବିବାଦ କୁହୁଳିବାରେ  ଲାଗିଛି । ଏ ସବୁ ଭିତରେ  ଆଗକୁ ହେବାକୁ ଥିବା ଜିଲ୍ଲା  ସଂଗଠନର ପୁନର୍ବିନ୍ୟାସ, ନିଗମ ଓ ବିଭିନ୍ନ ବୋର୍ଡର ଦାୟିତ୍ୱ  କାହାକୁ ମିଳୁଛି ତା ଉପରେ ସବୁରି ନଜର ରହିବ । ଦଳ  କାହାକୁ କେଉଁ ଦାୟିତ୍ୱ ଦେବ ତାକୁ ନେଇ ଚର୍ଚ୍ଚା ଲାଗିରହିଛି ।  

ଏ ଭିତରେ ଶାସକ ଦଳକୁ ସମର୍ଥନ ଦେଉଥିବା କର୍ମୀମାନେ  ଏଯାଏ କୌଣସି ଲାଭ ପାଇ ପାରିନଥିବା ଦର୍ଶାଇ କ୍ଷୋଭ  ପ୍ରକାଶ କରୁଛନ୍ତି । ଉନ୍ନୟନମୂଳକ କାମ କରିବା ହେଉ ବା  ଏଜେନ୍ସି ସହ ବୁଝାମଣା ବାବଦରେ ଦଳୀୟ ସହଯୋଗ ପାଉ  ନଥିବା ସେମାନେ ଦର୍ଶାଉଛନ୍ତି । ଏହାକୁ ନେଇ କଟକ ଜିଲ୍ଲା  ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କୁ  କେତେଜଣ ଅଭିଯୋଗ ବି କରିଥିଲେ । ରାଜ୍ୟ ମନ୍ତ୍ରିମଣ୍ଡଳର  ଦୁଇ ମନ୍ତ୍ରୀଙ୍କ ନାଁରେ ଖୋଲାଖୋଲି ଅସନ୍ତୋଷ ଓକାଳିଥିଲେ ।  ଆଗକୁ ଦଳ ଏହା ଉପରେ କି ବିଚାର କରୁଛି, ନେତା ଓ  କର୍ମୀଙ୍କୁ କେମିତି ସନ୍ତୁଷ୍ଟ କରୁଛି ତାହା ଉପରେ ସବୁରି ନଜର ।