କଟକ,୦୯/୦୯: ଆକର୍ଷଣୀୟ କପଡ଼ା ଓ  ଲାଇଟ୍‌ ତୋରଣ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଥିବା କଟକ ଦଶହରାରେ ଚଳିତ ବର୍ଷ  ତୋରଣ ନିର୍ମାଣରେ ସମସ୍ୟା ସୃଷ୍ଟି ହୋଇଛି ।  ସମୟ ଅଭାବରୁ ଏଥର ବାଦାମବାଡ଼ିରେ ତୋରଣ ହେବନି ବୋଲି ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାବେଳେ ଖାନନଗର ତୋରଣ  ନିର୍ମାଣ ନିର୍ଦ୍ଧାରିତ ସମୟରେ ସରିବା ନେଇ ଆଶଙ୍କା ସୃଷ୍ଟି ହେଲାଣି । ଅପରପକ୍ଷେ ପ୍ରଶାସନିକ କଟକଣାକୁ ଦୃଷ୍ଟିରେ ରଖି ମାଲ୍‌ଗୋଦାମ ପୂଜା କମିଟି ପକ୍ଷରୁ ମଣ୍ଡପ ସମ୍ମୁଖରେ ତୋରଣ ନିର୍ମାଣ କରାଯିବ ନାହିଁ । ମାଲଗୋଦାମ ଗୁଡ୍‌ସେଡ୍‌ରେ ଚଳିତ ବର୍ଷ ‘ହାଇଦ୍ରାବାଦ୍‌ ପ୍ୟାଲେସ’ ଢାଞ୍ଚାର ଏକ ସୁଉଚ୍ଚ ତୋରଣ ନିର୍ମାଣ ହେବ ବୋଲି  ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ବର୍ଷ  ହେବ ମାଲ୍‌ଗୋଦାମ ପୂଜା କମିଟି ପକ୍ଷରୁ  ଦଶହରାରେ ସୁଉଚ୍ଚ ତୋରଣ ନିର୍ମାଣ  କରାଯାଉଛି । ପରମ୍ପରା ଅନୁସାରେ ରହିଥିବା ପୂଜା ମଣ୍ଡପ ସମ୍ମୁଖରେ ପ୍ରତିବର୍ଷ ତୋରଣ ନର୍ମାଣ କରାଯାଏ । ତେବେ ଚଳିତ ବର୍ଷ କଟକଣାକୁ ଦୃଷ୍ଟିରେ ରଖି ମଣ୍ଡପଠାରୁ କିଛି ଦୂରରେ ଥିବା ରେଳବାଇ ଗୁଡ୍‌ସେଡ୍‌ ପାଖ ଖାଲିସ୍ଥାନରେ ତୋରଣ ନିର୍ମାଣ କରାଯିବ । ଚଳିତ ବର୍ଷ  ପ୍ରାୟ ୫୦ ଫୁଟ୍‌ ଲମ୍ବର ଓ ୪୦ ଫୁଟ୍‌ ଉଚ୍ଚାରେ  ‘ହାଇଦ୍ରାବାଦ୍‌ ପ୍ୟାଲେସ୍‌’ ଢାଞ୍ଚାରେ ଗେଟ୍‌ ନିର୍ମାଣ ହେବାକୁ ସ୍ଥିର କରାଯାଇଛି । କଟକରେ  ପ୍ରଥମ ଥର ଏହି ପ୍ୟାଲେସ୍‌ ତୋରଣ ନିର୍ମାଣ  କରାଯାଉଥିବା ନେଇ ସଭାପତି ଧର୍ମାନନ୍ଦ ପାତ୍ର ଓ  ସଂପାଦକ ପ୍ରଫୁଲ୍ଲ ଛାଟୋଇ ସୂଚନା ଦେଇଛନ୍ତି।  

ଅନ୍ୟପକ୍ଷରେ ଚଳିତ ବର୍ଷ ଶଙ୍କରପୁର-ବାଦାମବାଡ଼ି ପୂଜା କମିଟି ପକ୍ଷରୁ ବାଦାମବାଡ଼ିରେ ଦଶହରା ତୋରଣ ନିର୍ମାଣ ହେବନି । ପ୍ରଶାସନିକ  ନିଷ୍ପତ୍ତିରେ ବିଳମ୍ବ ପାଇଁ ହାତରେ ଆଉ ସମୟ ନଥିବାରୁ ଚଳିତବର୍ଷ ତୋରଣ ନିର୍ମାଣ ହେବନି ବୋଲି କହିଛନ୍ତି କମିଟିର ବରିଷ୍ଠ କର୍ମକର୍ତ୍ତା  କୃଷ୍ଣଚନ୍ଦ୍ର ପରିଡ଼ା । ଫଳରେ ଗତବର୍ଷ ଭଳି ଚଳିତ  ବର୍ଷ ମଧ୍ୟ ବାଦାମବାଡ଼ିରେ ଦଶହରା ଗେଟ୍‌ ଦେଖିବାକୁ ମିଳିବନି । ଏଣେ ତୋରଣ ପାଇଁ  ବିଶେଷ ଖ୍ୟାତି ଅର୍ଜନ କରିଥିବା ଖାନ୍‌ନଗର ଖପୁରିଆ-ଶିଳ୍ପାଞ୍ଚଳ ପୂଜା କମିଟି ମଧ୍ୟ ଗେଟ୍‌  ନିର୍ମାଣ ଶେଷକୁ ନେଇ ଆଶା ଆଶଙ୍କାରେ ଅଛି । ଗେଟ୍‌ ନିର୍ମାଣ କରିବାକୁ ଗଲା ୪ ତାରିଖରେ ନିର୍ଦ୍ଦେଶ ଆସିବା ପରେ ୬ ତାରିଖରୁ କାମ ଆରମ୍ଭ ହୋଇଛି । ତିନି ଦିନରେ ଅଳ୍ପ କିଛି ବାଉଁଶ ଓ ବହ୍ଲା ପୋତାଯାଇଛି । ଚଳିତ ବର୍ଷ ଏଠାରେ  ଅପରେସନ୍‌ ସିନ୍ଦୂର ଆଧାରରେ ତୋରଣ ନିର୍ମାଣ ଯୋଜନା ଥିଲା । ହେଲେ କମିଟି ହାତରେ ସମୟ ଅଭାବ । ପ୍ରଶାସନିକ ନିର୍ଦ୍ଦେଶ ଅନୁସାରେ ୨୨  ତାରିଖ ମଧ୍ୟରେ ଗେଟ୍‌ କାମ ଶେଷ କଲେ ଏନ୍‌ଓସି ଦେବା ପାଇଁ ମିଳିତ କମିଟି ସ୍ଥାନ ପରିଦର୍ଶନ କରିବ । ହାତରେ ମାତ୍ର ଦୁଇ ସପ୍ତାହ ।  ଏତେ କମ୍‌ ସମୟରେ କାମ ସାରିବା ମୁସ୍କିଲ୍‌ ।  ଦିନ ସମୟରେ କାମ କରିହେଉନି । ତେଣୁ ୨୨  ତାରିଖ ମଧ୍ୟରେ କାମ ସରିବ କି ନାହିଁ ସେନେଇ କମିଟିର କର୍ମକର୍ତ୍ତା ଆଶଙ୍କା ବ୍ୟକ୍ତ କରିଛନ୍ତି ।