ନୂଆଦିଲ୍ଲୀ, ୦୯/୦୨: ଠକେଇର ବଦଳୁଛି ଟ୍ରେଣ୍ଡ୍ । ନୂଆ ନୂଆ ତରିକା ଆପଣାଉଛନ୍ତି । ଫିଜିକାଲ୍ ଅପେକ୍ଷା ଠକଙ୍କୁ ପସନ୍ଦ ଡିଜିଟାଲ୍ ଠକେଇ । ଛୋଟ ପିଲାଙ୍କ ଠାରୁ ବୟସ୍କ ସମସ୍ତେ ଏଥିରେ ଶିକାର ହେଉଛନ୍ତି । ଦୈନିକ ଆସୁଛି ମାଳ ମାଳ ମାମଲା । ତେବେ ଏହି ଖବର ଭିତରେ ଉତ୍ତର ପ୍ରଦେଶ ଆଲ୍ଲିଗଡ଼ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି ।ଠିକେଇର ଶିକାର ହୋଇଛନ୍ତି ଖୋଦ୍ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅବସରପ୍ରାପ୍ତ ଡେପୁଟି ଜେନେରାଲ୍ ମ୍ୟାନେଜର । ଡିଜିଏମ୍ ପ୍ରାୟ ୧.୧୦ କୋଟି ଟଙ୍କା ହାଇଛନ୍ତି । ସେ କିଭଳି ସାଇବର ଠକେଇର ଶିକାର ହେଲେ, କିଭଳି ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଖାଲି ହୋଇଗଲା ଏହାର ଏକ ଭିଡିଓ ସେୟାର କରିଛନ୍ତି ନିଜେ ପୀଡ଼ିତ । ନିଜ ଏକ୍ସ ଆକାଉଣ୍ଟରେ ଏହାକୁ ପୋଷ୍ଟ କରି, ସାଇବର ସୁରକ୍ଷାର ତିନୋଟି ଜରୁରୀ କଥା ଉଲ୍ଲେଖ କରିଛନ୍ତି । ଆସନ୍ତୁ ଜାଣିବା ଏହାକ ସମ୍ପୂର୍ଣ୍ଣ ଘଟଣାବଳୀ ।...
୩୦-୪୦ ପ୍ରତିଶତ ଲାଭର ମିଛ ଅଫର:
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅବସରପ୍ରାପ୍ତ ଜେନେରାଲ୍ ମ୍ୟାନେଜର ଦିନେଶ ଶର୍ମା କହିଛନ୍ତି, ୨୦୨୫ ନଭେମ୍ବର ୨ ତାରିଖରେ ତାଙ୍କୁ ଏକ ଲୋଭାତ୍ମକ ମେସେଜ୍ ଆସିଥିଲା, ଯେଉଁଥିରେ ୩୦ରୁ ୪୦ ପ୍ରତିଶତ ଲାଭ ମିଳିବାର ସୂଚନା ରହିଥିଲା । ପ୍ରଥମେ ଦିନେଶ ଏହାକୁ ସାଇବର ଠକେଇ ବୋଲି ସନ୍ଦେହ କରିଥିଲେ ।
ହ୍ୱାଟସ୍ଆପ୍ ଗ୍ରୁପ୍ରେ ସାମିଲ କରାଗଲା:
ଏହାପରେ ଠକମାନେ ଦିନେଶ ଶର୍ମାଙ୍କୁ ଏକ ହ୍ୱାଟସ୍ଆପ୍ ଗ୍ରୁପ୍ରେ ଯୋଡ଼ି ଦେଇଥିଲେ । ଯେଉଁଠାରେ କିଛି ଲୋକ ନିଜ ଲାଭାଂଶର ସ୍କ୍ରିନ୍ସଟ୍ ଶେୟର କରୁଥିଲେ। ଏହା ଦେଖି ଦିନେଶ ଧୀରେ ଧୀରେ କିଛି ତଥ୍ୟ ବିଶ୍ବାସକୁ ନେଇଥିଲେ । ଏଇଠୁ ଆରମ୍ଭ ହୋଇଥିଲା ସାଇବର ଠକେଇର ଅସଲ ଖେଳ । ଠକ ଗ୍ରୁପ୍ ପ୍ରଥମେ ବିଶ୍ବାସକୁ ନେବା ପାଇଁ ଛୋଟ ନିବେଶ କରିବାକୁ ଚାପ ପକାଇଥିଲେ । ଏଥିରେ ମାନି ଯାଇଥିଲେ ପଞ୍ଜାବ ନ୍ୟାସନାଲ ଗ୍ରୁପର ଅବସରପ୍ରାପ୍ତ ଡେପୁଟି ଜେନେରାଲ୍ ମ୍ୟାନେଜର ।
୫ ହଜାରରୁ ଆରମ୍ଭ, ୧.୧୦ କୋଟିରେ ଶେଷ:
ଦିନେଶ ଶର୍ମା ସାଇବର ଠକଙ୍କ କଥାରେ ଭସିଯାଇ ପ୍ରଥମେ ୫ ହଜାର ଟଙ୍କା ନିବେଶ କରିଥିଲେ। ଏଥିରେ ତରୁନ୍ତ ଲାଭାଂଶ ମିଳିଯାଇଥିଲା । ଏକ ଭର୍ଚୁଆଲ୍ ଆପ୍ ମାଧ୍ୟମରେ ଲାଭ ଶୋ’ କରୁଥିବାରୁ ସେ ଅଧିକ ଟଙ୍କା ନିବେଶ କରିଥିଲେ । ମଣିଷର ଲୋଭ ହୋଇଥିଲା ଯେ ରାତାରାତି କୋଟିପତି ହେବାର ନିଶା ଘାରିଥିଲା । ଦିନେଶ ଲୋଭରେ ପଡ଼ି ନିଜ ଜୀବନର ସବୁ ସଞ୍ଚୟ ଅର୍ଥାତ୍ ୧.୧୦ କୋଟି ଟଙ୍କା ଲଗାଇ ଦେଇଥିଲେ । ଆଉ ଏହାର ଫିରାକ୍ ଥିବା ସାଇବର ଠକ ତୁରନ୍ତ ଅବସରପ୍ରାପ୍ତ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଲୁଟି ନେଇଥିଲେ । କ୍ଷଣକର ଖାଲି ହୋଇଯାଇଥିଲା ବ୍ୟାଙ୍କ୍ ଆକାଉଣ୍ଟ ।
୩ କୋଟି ଟଙ୍କା ମାଗିବା ପରେ ଖୋଲିଲା ସତ୍ୟ:
୧.୧୦ କୋଟି ଟଙ୍କା ନେବା ପରେ ଠକମାନେ ଆହୁରି ୩ କୋଟି ଟଙ୍କା ମାଗିଥିଲେ । ଯାହା ପରେ ଦିନେଶ ସମ୍ପୂର୍ଣ୍ଣ ଘଟଣା ଘର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଏହାକୁ ସାଇବର ଠକେଇ ବୋଲି ସ୍ପଷ୍ଟ କରିଦେଲେ । ଆଉ ସାଇବର ସେଲ୍ ଅଭିଯୋଗ ଦାଖଲ କରିଥିଲେ ।
ପ୍ରେସ୍ କନଫରେନ୍ସରେ ଅଭିଜ୍ଞତା ସେୟାର:
ସାଇବର ଠକେଇ ପରେ ଦିନେଶ ସାଇବର ସେଲ୍ରେ ଅଭିଯୋଗ ଦାଖଲ କରିଥିଲେ। ଏହା ପରେ ପ୍ରେସ୍ କନଫରେନ୍ସ ମାଧ୍ୟମରେ ନିଜର ଅନୁଭୂତିକୁ ସେୟାର କରି ସାଧାରଣ ଲୋକଙ୍କୁ ସଚେତନ କରିଛନ୍ତି । ସେ ସାଧାରଣ ଲୋକଙ୍କୁ ସାଇବର ସୁରକ୍ଷା ନେଇ ୩ଟି ମୁଖ୍ୟ ପରାମର୍ଶ ଦେଇଛନ୍ତି ।
- କେବେ ବି ପରିବାର ଠାରୁ କିଛି ଲୁଚାନ୍ତୁ ନାହିଁ
- ଆକର୍ଷଣୀୟ ଓ ଅସମ୍ଭବ ଲାଭର ଅଫରରେ ପଡ଼ନ୍ତୁ ନାହିଁ
- ସାଇବର ଠକେଇର ଶିକାର ହେଲେ ତୁରନ୍ତ ସାଇବର ସେଲ୍ରେ ଅଭିଯୋଗ କରନ୍ତୁ
ଅଧିକ ପଢ଼ନ୍ତୁ-ଆଖି ଆଢ଼ୁଆଳରେ ଆପଣଙ୍କ ଟଙ୍କା ଲୁଟୁଛନ୍ତି ନକଲି ମୋବାଇଲ୍ ଟାୱାର ! ବିପଦ ଆଣିବ SMS ବ୍ଲାଷ୍ଟ ଠକେଇ